ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୬ ପ୍ରତିଶତ ପାଲଟା ଶୁଳ୍କ ଲଗାଇବାର ଧମକ ଦେଇ ଭାରତକୁ ଚାପରେ ରଖି ରାଜିନାମା କରିବାକୁ ଚାହୁଛନ୍ତି। କିନ୍ତୁ କୌଣସି ଚାପ ଆଗରେ ଭାରତ ମୁଣ୍ଡ ନୁଆଁଇବ ନାହିଁ। ଚାଷୀଙ୍କ ସ୍ବାର୍ଥ ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ କହିଛନ୍ତି। କିଛି ଦିନ ପୂର୍ବେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ୍ ମଧ୍ୟ ସମାନ କଥା କହିଥିଲେ। ଗୋୟଲ କହିଥିଲେ ଯେ କୌଣସି ସମୟ ସୀମାକୁ ଦୃଷ୍ଟିରେ ରଖି ତରବରିଆ ଭାବେ ଭାରତ କିଛି କରିବାକୁ ଚାହୁନାହିଁ। ମୁକ୍ତ ବାଣିଜ୍ୟ ରାଜିନାମା ଉଭୟ ପକ୍ଷ ପାଇଁ ଲାଭ ଲାଭଦାୟକ ହେବା ଦରକାର। କେବଳ ଯୁକ୍ତିଯୁକ୍ତ ଓ ଭାରତକୁ ଲାଭ ମିଳୁଥିବା ରାଜିନାମା ଉପରେ ଆମେ ଧ୍ୟାନ ଦେଉଛୁ ବୋଲି ସେ କହିଥିଲେ। ଯେହେତୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି, ତେଣୁ ନିକଟ ଭବିଷ୍ୟତରେ ଆମେରିକା ଗସ୍ତ କରି ଆଲୋଚନା କରିବାର କୌଣସି ଯୋଜନା ନାହିଁ ବୋଲି ସେ କହିଥିଲେ। 

Advertisment

ପାଲଟା ଶୁଳ୍କ ଲଗାଇବା ଲାଗି ଚଳିତ ମାସ ୯ ପର୍ଯ୍ୟନ୍ତ ଟ୍ରମ୍ପ ସମୟ ଦେଇଥିଲେ। ସେହି ତାରିଖ ଦ୍ରୁତ ଗତିରେ ପାଖେଇ ଆସୁଥିବା ବେଳେ ସମ୍ଭାବ୍ୟ ଚଢ଼ା ଟିକସକୁ ଏଡ଼ାଇବା ଲାଗି ନିକଟରେ ଭାରତର ଏକ ପ୍ରତିନିଧି ଦଳ ନିର୍ଧାରିତ ସମୟଠାରୁ ଅଧିକ ଦିନ ୱାସିଂଟନରେ ରହି ଆମେରିକୀୟ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ କୌଣସି ନିଷ୍ପତ୍ତି ହୋଇନପାରିବାରୁ ସେହି ପ୍ରତିନିଧି ଦଳ ଭାରତ ଫେରିଆସିଥିଲେ। ଶିଳ୍ପ ସାମଗ୍ରୀ, ଇଲେକ୍ଟ୍ରିକ ଯାନ (ଇଭି), ମଦ, ପେଟ୍ରୋ‌ରସାୟନ, ଦୁଗ୍ଧ ଓ କୃଷିଜାତ ଉତ୍ପାଦ ଉପରୁ ଭାରତ ଟିକସ କମ୍ କରୁ ବୋଲି ଆମେରିକା ଦାବି କରୁଛି। ଏଭଳି କେତେକ ଜିନିଷ ଉପରୁ ଟିକସ କମାଇବାକୁ ଆମେରିକା କହୁଛି ଯାହା ଭାରତରେ ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ। ‌ଅନ୍ୟ ପକ୍ଷରେ ବୟନ ସାମଗ୍ରୀ, ଗହଣା ଓ ରତ୍ନପଥର, ଚମଡ଼ା ସାମଗ୍ରୀ, ଚିଙ୍ଗୁଡ଼ି, କଦଳୀ, ଅଙ୍ଗୁର ଉପରୁ ଟିକସ କମାଇବା ଲାଗି ଭାରତ ପକ୍ଷରୁ ଆମେରିକା ନିକଟରେ ଦାବି କରାଯାଇଛି।