ଟେସ୍‌ଲା ପାଇଁ ଶୁଳ୍କ କମାଇବନି ଭାରତ

ନୂଆଦିଲ୍ଲୀ :ଭାରତରେ ବିଦ୍ୟୁତ୍ ଯାନ ବିକ୍ରି କରିବା ପାଇଁ ଆମେରିକାର ପ୍ରମୁଖ କମ୍ପାନି ଟେସ୍‌ଲା ଟିକସ ହ୍ରାସ ଲାଗି ଦାବି କରିଆସୁଛି। କିନ୍ତୁ ଭାରତ ସରକାର ଟେସ୍‌ଲାର ଏହି ଦାବିକୁ ଗ୍ରହଣ କରିବା ପାଇଁ ରାଜିନାହାନ୍ତି। ଆଜି ଜଣେ ବରିଷ୍ଠ ସରକାରୀ ଅଧିକାରୀ ଏ ସଂପର୍କରେ ଭାରତର ଆଭିମୁଖ୍ୟକୁ ସ୍ପଷ୍ଟ କରିବା ପରେ ଟେସ୍‌ଲାକୁ ଏକ ଧକ୍କା ଲାଗିଛି। ବିଦେଶରେ ଆଂଶିକଭାବେ ନିର୍ମିତ ଗାଡ଼ି ଭାରତକୁ ଆମଦାନି କରିବା ଏବଂ ସେଗୁଡ଼ିକୁ ଭାରତରେ କମ୍‌ଶୁଳ୍କରେ ଆସେମ୍ବ୍ଲି କରିବା ନିୟମ ପୂର୍ବରୁ ରହିଛି।

‌ସେହି ଶୁଳ୍କରେ ପରିବର୍ତ୍ତନର ଆବଶ୍ୟକତା ରହିଛି କି ନାହିଁ ଆମେ ତାହାକୁ ଦେଖିଲୁ। କିନ୍ତୁ ବର୍ତ୍ତମାନର ଶୁଳ୍କ ଢାଞ୍ଚାରେ ଦେଶକୁ ନିବେଶ ମଧ୍ୟ ଆସୁଛି ଓ ଉତ୍ପାଦନ ହେଉଛି ବୋଲି କେନ୍ଦ୍ରୀୟ ପରୋକ୍ଷ କର ବୋର୍ଡ (ସିବିଆଇସି) ଅଧ୍ୟକ୍ଷ ବିବେକ ଜୋହରି କହିଛନ୍ତି। ଏକ ସାକ୍ଷାତକାରରେ ଜୋହରି କହିଛନ୍ତି ଯେ, କୌଣସି ପ୍ରତିବନ୍ଧକ ନଥିବା ଏଥିରୁ ସ୍ପଷ୍ଟ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶାସନ ଭାରତରେ ବିଦ୍ୟୁତ୍ ଯାନ ଉତ୍ପାଦନ ପାଇଁ ଉତ୍ସାହିତ କରୁଛନ୍ତି। କିନ୍ତୁ ଟେସ୍‌ଲା କମ୍ପାନିର ପ୍ରତିଷ୍ଠାତା ଏଲନ ମସ୍କ ଭାରତକୁ ଆମଦାନି ହେଉଥିବା ବିଦ୍ୟୁତ୍ ଯାନ ଉପରେ ଆଦାୟ କରାଯାଉଥିବା ୧୦୦ ପ୍ରତିଶତ ଭଳି ଉଚ୍ଚ ଟିକସକୁ ହ୍ରାସ କରିବା ପାଇଁ ଦାବି କରୁଛନ୍ତି। ଫଳରେ କମ୍ପାନି ବିଦେଶରେ ନିର୍ମିତ ହୋଇଥିବା ଯାନକୁ ଭାରତରେ ବିକ୍ରି କରିପାରିବ। ଟେସ୍‌ଲା ପକ୍ଷରୁ ଭାରତରେ କାର୍‌ ଉତ୍ପାଦନ ନେଇ ସେମିତି କିଛି ଯୋଜନା ଉପସ୍ଥାପନ କରାଯାଇନାହିଁ। ଏପରିକି ସରକାର ଏ ସଂପର୍କରେ କମ୍ପାନିକୁ କହିବା ପରେ ମଧ୍ୟ ସେହି ସୂଚନା ମିଳିନାହିଁ ବୋଲି ଜୋହରି କହିଛନ୍ତି। ତେବେ ଭାରତର ପାଖାପାଖି ୫ଟି ରାଜ୍ୟ ଟେସ୍‌ଲାକୁ କାରଖାନା ବସାଇବା ପାଇଁ ଆମନ୍ତ୍ରଣ କରିସାରିଲେଣି। ସିକେଡି ବା ଆଂଶିକ ଭାବେ ନିର୍ମିତ ଗାଡ଼ି ଆମଦାନି କରିବା ଲାଗି ଭାରତ ଟେସ୍‌ଲାକୁ କହିଛି। କାରଣ ଏହା ଉପରେ କମ୍ ହାରରେ ଟିକସ ଆଦାୟ କରାଯାଉଛି। ଭାରତରେ ଆସେମ୍ବ୍ଲି ହେବାକୁ ଥିବା ଯାନ ପାଇଁ ଆମଦାନି ହେଉଥିବା ଉପକରଣ ଉପରେ ୧୫ରୁ ୩୦ ପ୍ରତିଶତ ମଧ୍ୟରେ ଆମଦାନି ଶୁଳ୍କ ଲାଗୁ କରାଯାଉଛି।

ବିଦ୍ୟୁତ ଯାନ ପାଇଁ ଭାରତରେ ଘରୋଇ କମ୍ପାନି ମହିନ୍ଦ୍ରା ଆଣ୍ଡ୍ ମହିନ୍ଦା ଏବଂ ଟାଟା ମୋଟର୍ସ ନିବେଶ କରୁଛନ୍ତି। ଟେସଲା ସେମାନଙ୍କ ପଥ ଅନୁସରଣ କରିବା ଆବଶ୍ୟକ। ଦେଶରେ ଅନ୍ୟମାନେ ମଧ୍ୟ ସଂପୂର୍ଣ୍ଣ ଭାବେ ନିର୍ମିତ ଗାଡ଼ି ଆମଦାନି କରୁଛନ୍ତି। ସେ ରାସ୍ତା ମଧ୍ୟ ଖୋଲା ଅଛି ବୋଲି ସେ କହିଛନ୍ତି। ବର୍ତ୍ତମାନର ଶୁଳ୍କ ଢାଞ୍ଚାରେ ଦେଶକୁ କିଛି ନିବେଶ ଆସିଛି। ତେଣୁ ଅନ୍ୟମାନେ କାହିଁକି ଆସିପାରିବେ ନାହିଁ ବୋଲି ଜୋହରି ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର