ନୂଆଦିଲ୍ଲୀ: ନଭେମ୍ବର ୪ରୁ ଇରାନ ଉପରେ ଆମେରିକାର ବାଣିଜ୍ୟ କଟକଣା ଲାଗୁ ହେବ। ଭାରତ କିନ୍ତୁ ଇରାନଠାରୁ ତେଲ କିଣିବା ଜାରି ରଖିବ। ଇରାନରୁ ତେଲ କିଣିବା ପାଇଁ ଏବେ ଭାରତ ୟୁରୋରେ ପେମେଣ୍ଟ୍ କରୁଛି। କିନ୍ତୁ ବାଣିଜ୍ୟ କଟକଣା ଲାଗୁ ହେବା ପରେ ୟୁରୋକୁ ବ୍ୟବହାର କରାଯାଇପାରିବ ନାହିଁ। କାରଣ ଆମେରିକାର ଏହି ପଦକ୍ଷେପକୁ ୟୁରୋପୀୟ ସଂଘ ସମର୍ଥନ କରଛି। ଆମେରିକୀୟ ଡଲାରକୁ ମଧ୍ୟ ବ୍ୟବହାର କରିହେବ ନାହିଁ। ଏଭଳି ପରିସ୍ଥିତିରେ ଟଙ୍କା ଦେଇ ଇରାନ ଠାରୁ ତେଲ କିଣିବା ଉପରେ ଭାରତ ବିଚାର କରୁଛି। ଭାରତ ଓ ଇରାନ ଭିତରେ ବିଭିନ୍ନ ସାମଗ୍ରୀକୁ ନେଇ କାରବାର ଜାରି ରହିଛି। ଇରାନଠାରୁ ଭାରତ ତେଲ କିଣୁଥିବା ବେଳେ ଭାରତଠାରୁ ଇରାନ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ କିଣୁଛି। ତେଲ ପାଇଁ ଇରାନ ପେମେଣ୍ଟ୍ ଆକାରରେ ଯେଉଁ ଟଙ୍କା ପାଇବ ତାହାକୁ ଭାରତର ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବାରେ ବ୍ୟବହାର କରିପାରିବ।ପୂର୍ବରୁ ମଧ୍ୟ ଦୁଇ ଦେଶ ମଧ୍ୟରେ ଟଙ୍କାରେ କାରବାର ହୋଇଥିଲା। ୨୦୧୩ କଟକଣା ସମୟରେ ଭାରତ ପକ୍ଷରୁ ଇରାନର ଅଧା େପମେଣ୍ଟ୍ ଟଙ୍କାରେ କରାଯାଇଥିଲା। ୨୦୧୫ରେ କଟକଣା କୋହଳ ହେବା ପରେ ବକେୟା ପେମେଣ୍ଟ୍ ଅନ୍ୟ ମୁଦ୍ରାରେ କରାଯାଇଥିଲା। ତେଲ ବଦଳରେ ଇରାନକୁ ଗହମ, ସୋୟାବିନ ଓ ଅନ୍ୟାନ୍ୟ ଉପଭୋକ୍ତା ସାମଗ୍ରୀ ବିକ୍ରି କରିବାକୁ ମଧ୍ୟ ଭାରତ ପ୍ରସ୍ତାବ ଦେଇଥିଲା।
ଟଙ୍କା ଦେଇ ଇରାନରୁ ତେଲ କିଣିବ ଭାରତ
/sambad/media/post_attachments/wp-content/uploads/2018/10/oilll-1.jpeg)