ଆମେରିକାରେ ତୈଳ ଗଚ୍ଛିତ ରଖିବ ଭାରତ, ଲଗାତାର ୪ ଦିନ ହେଲା ବଢ଼ୁଛି ଡିଜେଲ ଦର

ପେଟ୍ରୋଲ, ଡିଜେଲ ବିକ୍ରି ହ୍ରାସ

ନୂଆଦିଲ୍ଲୀ: ଦେଶ ବାହାରେ ତୈଳ ଗଚ୍ଛିତ ରଖିବା ଲାଗି ଭାରତ ପ୍ରସ୍ତୁତ ହୋଇଛି। ଆମେରିକାରେ ଥିବା ତୈଳ ଭଣ୍ଡାରରେ ଏହା ‌ଅଶୋଧିତ ତେଲ ରଖିବ। ବିଭିନ୍ନ ସମୟରେ ଦେଖାଦେଉଥିବା ସମସ୍ୟ‌ା ଯୋଗୁଁ ତେଲ ଯୋଗାଣରେ ଦେଖାଦେଉଥିବା ବିଭ୍ରାଟରୁ ନିଜକୁ ସୁରକ୍ଷିତ ରଖିବା ଲାଗି ଭାରତ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଯେତେବେଳେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦାମ୍ ବହୁତ କମିଯିବ ସେହି ସମୟରେ ବିପୁଳ ପରିମାଣର ତେଲ କିଣି ତାହାକୁ ଆମେରିକାରେ ସାଇତି ରଖାଯିବ। ଏ ସଂକ୍ରାନ୍ତରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆମେରିକାରେ ଥିବା ଭଣ୍ଡାରରେ ତେଲ ଗଚ୍ଛିତ ରଖିବା ଲାଗି ଆମେ ଯେଉଁ କଥାବାର୍ତା କରୁଥିଲୁ ତାହା ଆଗେଇଛି। ଆମେରିକାର ଶକ୍ତି ମନ୍ତ୍ରୀ ଡାନ୍ ବ୍ରୋଲେଟିଙ୍କ ସହ ଏନେଇ ସେ କଥାବାର୍ତା ହୋଇଛନ୍ତି। ରଣନୀତି ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲିୟମ୍ ଭଣ୍ଡାରର ପରିଚାଳନା ଓ ରକ୍ଷଣାବେକ୍ଷଣ ସହିତ ସୂଚନାର ଆଦାନ ପ୍ରଦାନ ଲାଗି ଉଭୟ ଭାରତ ଓ ଆମେରିକା ଏକ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି। ଏହି ବୁଝାମଣା ଅନୁସାରେ କଥାବାର୍ତା ଆଗକୁ ବଢ଼ାଇ ତାହାକୁ ସଫଳ କରିବା ଲାଗି ତୈଳ କାରବାର ସହିତ ଜଡ଼ିତ ଥିବା କିଛି ସଂସ୍ଥା ଉଦ୍ୟମ କରିବେ।

ଇଣ୍ଡିଆନ୍ ‌ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭ ଲିମିଟେଡ୍‌ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବର୍ତମାନ ଏହି ସଂସ୍ଥାର ଭାରତରେ ଥିବା ତୈଳ ଭଣ୍ଡାରଗୁଡ଼ିକରେ ୫.୩୩ ନିୟୁତ ଟନ ତୈଳ ଗଚ୍ଛିତ ରଖାଯାଇପାରିବ। ‌ତାହା ଦେଶର ସାଢ଼େ ନଅ ଦିନର ଆବଶ୍ୟକତାକୁ ପୂରଣ କରପାରିବ। ଆମେରିକା ସହ ପ୍ରଥମ ଥର ପାଇଁ ତୈଳକୁ ନେଇ କାରବାର ହେଉନାହିଁ। କେବଳ ଓପେକ୍ ରାଷ୍ଟ୍ରଗୁଡ଼ିକ ଉପରେ ନିର୍ଭରଶୀଳ ନରହି ଯେବେଠାରୁ ତୈଳ କିଣାରେ ବିବିଧତା ଆଣିବା ଲାଗି ଭାରତ ସରକାର ନିଷ୍ପତ୍ତି ନେଲେଣି, ସେହିବର୍ଷରୁ ଆମେରିକାରୁ ମଧ୍ୟ କିଛି ପରିମାଣର ତେଲ ଆମଦାନି କରାଯାଉଛି। କିଛି ଦିନ ତଳେ ଆମେରିକାରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦାମ୍ ବିଯୁକ୍ତ ୩୭ ଡଲାର ହୋଇଯାଇଥିଲା। ସେଭଳି ପରିସ୍ଥିତିରେ ତେଲ କିଣି ତାହାକୁ ଆମେରିକା ଭିତରେ ଗଚ୍ଛିତ ରଖିବା ଲାଗି ଭାରତ ସରକାର ଉଦ୍ୟମ କରିବେ।

ଲଗାତାର ୪ ଦିନ ହେଲା ବଢ଼ୁଛି ଡିଜେଲ ଦର
ଭୁବନେଶ୍ବର: ପେଟ୍ରୋଲ ଦର ଗତମାସ ୨୯ ତାରିଖରୁ ସ୍ଥିର ଥିବାବେଳେ ଡିଜେଲ ଦର ବଢ଼ିଚାଲିଛି। ଜୁନ୍ ୨୯ରୁ ଇତିମଧ୍ୟରେ ୭ ଥର ଡିଜେଲ ଦର ବଢ଼ିଛି। ତେବେ ଲଗାତାର ୪ ଦିନ ହେଲା ଏହାର ଦର ବଢ଼ିବା ଚିନ୍ତା ବଢ଼ାଇଛି। ଗତ ୧୫ ତାରିଖରୁ ଡିଜେଲ ଦର କ୍ରମାଗତ ଭାବେ ବଢ଼ିବା ସହିତ ଶନିବାର ଭୁବନେଶ୍ବରରେ ଲିଟର ପିଛା ୭୯ ଟଙ୍କା ୬୧ ପଇସାରେ ପହଞ୍ଚି ଯାଇଛି। ଶୁକ୍ରବାର ଡିଜେଲ ଦର ୭୯ ଟଙ୍କା ୪୫ ପଇସା ଥିବାବେଳେ ଶନିବାର ଏଥିରେ ୧୬ ପଇସାର ବୃଦ୍ଧି ଘଟିଛି। ଗତ ୪ ଦିନ ମଧ୍ୟରେ ୩୩ ପଇସା ବୃଦ୍ଧି ଘଟିଛି। ଡିଜେଲ ଦର ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ବିଭିନ୍ନ ସାମଗ୍ରୀ ଓ ‌ପରିବହନ ସେବା ମହଙ୍ଗା ହେବା ସମ୍ଭାବନା ସୃଷ୍ଟି ହୋଇଛି। କିନ୍ତୁ ପେଟ୍ରୋଲ ଦର ଗତ ୨୯ ତାରିଖରୁ ଭୁବନେଶ୍ବରରେ ଲିଟର ପିଛା ୮୧ ଟଙ୍କା ୦୧ ପଇସାରେ ସ୍ଥିର ରହିଛି।

ପେଟ୍ରୋଲ, ଡିଜେଲ ବିକ୍ରି ହ୍ରାସ
ନୂଆଦିଲ୍ଲୀ: ଲକ୍‌ଡାଉନ୍ ସମେତ ଦର ଉଚ୍ଚା ରହିବା କାରଣରୁ ଚଳିତମାସର ପ୍ରଥମ ୧୫ ଦିନରେ ଦେଶରେ ପେଟ୍ରୋଲ ଓ ଡିଜେଲ ବିକ୍ରି ହ୍ରାସ ପାଇଛି। ଚଳିତବର୍ଷ ଜୁଲାଇ ପ୍ରଥମାର୍ଦ୍ଧରେ ଜୁନ ପ୍ରଥମାର୍ଦ୍ଧ ତୁଳନାରେ ପେଟ୍ରୋଲ ବିକ୍ରି ୬.୭ ପ୍ରତିଶତ ହ୍ରାସ ଘଟି ୮,୮୦,୦୦୦ ଟନ୍ ରହିଛି। ଗତବର୍ଷ ଜୁଲାଇ ପ୍ରଥମାର୍ଦ୍ଧ ତୁଳନାରେ କିନ୍ତୁ ଏହି ବିକ୍ରି ପ୍ରାୟ ୧୨ ପ୍ରତିଶତ କମ୍‌ ରହିଛି। ସେହିଭଳି ବିଶ୍ବର ତୃତୀୟ ବୃହତ୍ ତୈଳ ଆମଦାନିକାରୀ ଏବଂ ବ୍ୟବହାରକାରୀ ରାଷ୍ଟ୍ର ଭାରତରେ ଚଳିତବର୍ଷ ଜୁନ ପ୍ରଥମାର୍ଦ୍ଧ ତୁଳନାରେ ଜୁଲାଇ ପ୍ରଥମାର୍ଦ୍ଧରେ ଡିଜେଲ ବିକ୍ରି ୧୮ ପ୍ରତିଶତ ହ୍ରାସ ଘଟି ୨.୨ ନିୟୁତ ଟନ୍ ରହିଛି। ଗତବର୍ଷ ଜୁଲାଇ ତୁଳନାରେ ଏହା ୨୧ ପ୍ରତିଶତ କମ ବୋଲି ଭାରତୀୟ ତୈଳ ନିଗମ ପକ୍ଷରୁ ପ୍ରସ୍ତୁତ ପ୍ରାଥମିକ ତଥ୍ୟରୁ ଜଣାଯାଇଛି।

ସମ୍ବନ୍ଧିତ ଖବର