ସୁଧାର ବିଳମ୍ବ ହେଲେ ଅଧିକ କ୍ଷତି ହେବ, ଭାରତ ୧୦ ଲକ୍ଷ କୋଟିର କ୍ଷତି ସହିବ
ନୂଆଦିଲ୍ଲୀ: କରୋନା ସଙ୍କଟ ଭାରତୀୟ ଅର୍ଥନୀତି ପାଇଁ ବଡ଼ ଧରଣର ବିପଦ ସୃଷ୍ଟି କରିଛି। ଏହି ମହାମାରୀ ଆରମ୍ଭ ହେବା ପୂର୍ବରୁ ଅର୍ଥନୀତିର ଅବସ୍ଥା ଭଲ ନଥିଲା। ଏହାପରେ ଏତେ ବଡ଼ ସଙ୍କଟକୁ ଭାରତ ସାମ୍ନା କରୁଛି। ଏହା କେବେ ଦୂର ହେବ ତାହାର ସଠିକ୍ ଆକଳନ ଆଜି ପର୍ଯ୍ୟନ୍ତ କରାଯାଇପାରୁନାହିଁ। ବର୍ତ୍ତମାନ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରତିଦିନ ସଂଖ୍ୟାଧିକ ମାମଲା ସାମ୍ନାକୁ ଆସୁଛି। ତେଣୁ ଅର୍ଥନୀତିରେ କେବେ ସୁଧାର ଘଟିବ ତାହା ଜଣାପଡ଼ୁନି। ଏହି ସଙ୍କଟ ଯେତେ ଦିନ ପର୍ଯ୍ୟନ୍ତ ରହିବ ଭାରତୀୟ ଅର୍ଥନୀତିକୁ ସେତେ ଅଧିକ କ୍ଷତି ପହଞ୍ଚିବ ବୋଲି କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ଅର୍ଥନୀତିର ମୂଲ୍ୟ ୨୦୧୯-୨୦ରେ ୨୦୩ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି। କରୋନା ସଙ୍କଟ ପ୍ରଭାବରେ ଯଦି ସେଥିରେ ୫% ହ୍ରାସ ହେବ ତେବେ ତାହାର ମୂଲ୍ୟ ୧୦ ଲକ୍ଷ କୋଟି ଟଙ୍କା ସହ ସମାନ ହେବ। ପ୍ରାରମ୍ଭିକ ଆକଳନରୁ ଏହି ହିସାବ କରାଯାଇଛି। ସଙ୍କଟ ଅଧିକ ଦିନ ରହିଲେ ଅର୍ଥନୀତିକୁ ଏହାଠାରୁ ଆହୁରି ଯଥେଷ୍ଟ ଅଧିକ କ୍ଷତି ସହିବାକୁ ପଡ଼ିବ। କରୋନା ସଂକ୍ରମଣ ରୋକିବା ଲାଗି ଭାରତ ଯେଉଁ ଲକ୍ଡାଉନ୍ ଘୋଷଣା କରିଥିଲା ତାହା ବିଶ୍ବର ଅନ୍ୟତମ କଠୋର ଲକ୍ଡାଉନ୍ ଥିଲା। ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଅର୍ଥନୀତିର ଚକ ସମ୍ପୂର୍ଣ୍ଣ ଅଟକିଯାଇଥିଲା। ଚାରିଟି ପର୍ଯ୍ୟାୟରେ ପ୍ରାୟ ୬୮ ଦିନ ପର୍ଯ୍ୟନ୍ତ ଲକ୍ଡାଉନ୍ ରହିଥିଲା। ଏହାର ପ୍ରଭାବରେ ନିୟୁତାଧିକ ପ୍ରବାସୀ ଶ୍ରମିକ କ୍ଷତିଗ୍ରସ୍ତ ହୋଇଛନ୍ତି। କଟକଣାକୁ କୋହଳ କରାଯିବା ପରଠାରୁ ଅର୍ଥନୈତିକ କାର୍ଯ୍ୟକଳାପରେ ଧୀରେ ଧୀରେ ସୁଧାର ହେଉଛି। ସ୍ଥିତି ସୁଧୁରି ଆସୁଥିବା ବେଳେ ପୁଣି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରୁ ସରକାର ଓ ନୀତି ନିର୍ଧାରକମାନଙ୍କ ଚିନ୍ତା ବଢ଼ିଯାଇଛି। କେତେକ ରାଜ୍ୟରେ ସ୍ଥାନୀୟ ଲକ୍ଡାଉନ୍ ଘୋଷଣା କରାଯାଇଛି। ସେଥିପାଇଁ ଉଭୟ ବର୍ତ୍ତମାନ ଓ ଭବିଷ୍ୟତର ବ୍ୟାବସାୟିକ ଓ ଗ୍ରାହକ ଚିନ୍ତାଧାରା ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି। କେବଳ ଭାରତ ନୁହେଁ ସମଗ୍ର ବିଶ୍ବ ଏଭଳି ସମସ୍ୟା ଦେଇ ଗତି କରୁଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପରିଚାଳନା ନିର୍ଦେଶିକା କ୍ରିଷ୍ଟାଲିନା ଜୋର୍ଜିଭା ଏକ ବ୍ଲଗ୍ରେ ଲେଖିଛନ୍ତି ଯେ ବିଶ୍ବ ଅର୍ଥନୀତିର ସୁଧାର ଆଶା ଏବେବି ଅନିଶ୍ଚିତ ରହିଛି। ଟିକା ଯଦି ଶୀଘ୍ର ଆସିବ ତେବେ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧିରେ ଆଶାନୁରୂପ ସୁଧାର ହେବାର ସମ୍ଭାବନା ରହିଛି। ଯଦି ଦ୍ବିତୀୟ ଥର ପାଇଁ କରୋନା ସଂକ୍ରମଣ ବ୍ୟାପିବ ତେବେ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଅର୍ଥନୀତିରେ କୌଣସି ପ୍ରକାର ବୃଦ୍ଧି ହେବ ନାହିଁ ବୋଲି ସେ ଲେଖିଛନ୍ତି।
ଭାରତ ଏକ ବହୁତ ବଡ଼ ଦେଶ। ଏଠାରେ ଗୋଟିଏ ରାଜ୍ୟରେ କରୋନା ସଙ୍କଟରେ ସୁଧାର ହେଉଥିବା ବେଳେ ଆଉ କିଛି ରାଜ୍ୟରେ ବିଗିଡ଼ିଯାଉଛି। ବର୍ତ୍ତମାନ ସହରାଞ୍ଚଳ ଓ ଶିଳ୍ପାଞ୍ଚଳ ଥିବା ରାଜ୍ୟଗୁଡ଼ିକ ତୁଳନାରେ ଗରିବ ରାଜ୍ୟଗୁଡ଼ିକରେ କରୋନା ସଂକ୍ରମଣ ଅଧିକ ଦେଖିବାକୁ ମିଳୁଛି। କରୋନା ସଙ୍କଟ ଗ୍ରାମୀଣ ଅର୍ଥନୀତିକୁ ପ୍ରଭାବିତ କରିବା ଭଳି ସମୟର ନିକଟତର ହୋଇଗଲାଣି। କୃଷି କାର୍ଯ୍ୟ ଓ ମନରେଗା କୌଣସି ପ୍ରକାରରେ ଏହି ଅର୍ଥନୈତିକ ସଙ୍କଟକୁ ଏପର୍ଯ୍ୟନ୍ତ ଦୂରରେ ରଖିଛି। ମାତ୍ର ଯଦି ଅଣ-କୃଷି କ୍ଷେତ୍ର ଶୀଘ୍ର କାର୍ଯ୍ୟକ୍ଷମ ନହେବ ତେବେ ମନରେଗା ପାଇଁ ଦିଆଯାଇଥିବା ଆବଣ୍ଟନ ଶୀଘ୍ର ଶେଷ ହୋଇଯିବ। ଲକ୍ଡାଉନ୍ ସମୟରେ ଭାରତର ପ୍ରବାସୀ ଶ୍ରମିକ ଦୁର୍ବଳତା ସାରା ବିଶ୍ବକୁ ଜଣାପଡ଼ିଥିଲା। ଏହି ମାନବିକ ସଙ୍କଟ ୍ରନେକ ଆହ୍ବାନ ସୃଷ୍ଟି କରିଛି। ଆର୍ଥିକ କ୍ଷେତ୍ରରେ ମଧ୍ୟ ବଡ଼ ଧରଣର ବିଭ୍ରାଟ ଦେଖାଦେଇପାରେ ବୋଲି ନିକଟରେ ଏସବିଆଇ ବ୍ୟାଙ୍କିଙ୍ଗ୍ କନ୍କ୍ଲେଭ୍ରେ ଅଂଶଗ୍ରହଣ କରି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚିନ୍ତାପ୍ରକଟ କରିଥିଲେ। ମୋରାଟୋରିଅମ୍ ଅବଧି ଶେଷ ହେବା ପରେ ଏନ୍ପିଏ ବହୁତ ବଢ଼ିଯିବ ବୋଲି ସେ କହିଛନ୍ତି।
ଅର୍ଥନୈତିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇପାରୁନଥିବାରୁ ରାଜସ୍ବ ଆୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ତେଣୁ ବଜେଟ୍ ଲକ୍ଷ୍ୟକୁ ନେଇ ସରକାରଙ୍କୁ ପୁଣି ଥରେ ଚିନ୍ତା କରିବାକୁ ପଡ଼ିବ। ଜୀବନଜୀବିକା ରକ୍ଷା କରିବା ଏବଂ ଉତ୍ପାଦନ କ୍ଷମତାକୁ ବଜାୟ ରଖିବା ଭଳି ଦୁଇଟି ବଡ଼ଧରଣର ଆହ୍ବାନ ସରକାରଙ୍କ ସାମ୍ନାରେ ରହିଛି। କାହାକୁ ଅଧିକ ପ୍ରାଥମିକତା ଦିଆଯିବ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ। କରୋନା ସଙ୍କଟର ମୁକାବିଲା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଚଳିତ ଆର୍ଥିକ ବର୍ଷର ବଜେଟ୍ ସହ ଏହା ପ୍ରାୟ ସମାନ। ସ୍ଥିତି ସୁଧୁରି ନଥିବା ବେଳେ ଏତେ ବଡ଼ ପ୍ୟାକେଜ୍ ଘୋଷଣା ହୋଇଗଲା। ସୁଧାର ହେବା ପରେ ଯେଉଁ ସହାୟତା ଦରକାର ପଡ଼ିବ ତାହା ସରକାର କିଭଳି ପୂରଣ କରିବେ ତାହା ମଧ୍ୟ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।