ଚୀନ୍ଠୁ କାରଖାନା ଛଡ଼ାଇ ଆଣିବ ଭାରତ: ୧୦୦ ଲକ୍ଷ କୋଟିର ଯୋଜନା
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ମହତ୍ବକାଂକ୍ଷୀ ପିଏମ୍ ଗତି ଶକ୍ତି ଯୋଜନାରେ ୧୦୦ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ। ବିଶ୍ବର ପ୍ରମୁଖ କଂପାନିଗୁଡ଼ିକୁ କାରଖାନା ସ୍ଥାପନ କରିବା ଲାଗି ଆକୃଷ୍ଟ କରିବାରେ ତାହା ଭାରତ ପାଇଁ ବିଶେଷ ସହାୟକ ହେବ। ଏହି ପ୍ରକଳ୍ପ ଦ୍ବାରା ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ ପାଇବାକୁ ଥିବା ବେଳେ ପରିବହନ ମଧ୍ୟ ତ୍ବରାନ୍ବିତ ହେବ। ଯେଉଁ କଂପାନିଗୁଡ଼ିକ ଚୀନ୍ ବାହାରେ କାରଖାନା ସ୍ଥାପନ କରିବାକୁ ଚାହୁଛନ୍ତି ସେମାନେ ଭାରତ ଆସିବା ଏକ ପ୍ରକାର ନିଶ୍ଚିତ ହୋଇଯିବ। ସବୁ କିଛି ଯଦି ଠିକ୍ ଭାବେ ଚାଲିବ ତେବେ ବିଶ୍ବର କାରଖାନା ଭାବେ ପରିଚିତ ଥିବା ଚୀନ୍ ଖୁବ୍ଶୀଘ୍ର ସେହି ମାନ୍ୟତା ହରାଇବ। ଭାରତକୁ ସେହି ମୁକୁଟ ମିଳିବ। ଚୀନ୍ଠାରୁ ଭାରତ କାରଖାନା ଛଡ଼ାଇ ଆଣିବ। ଆମେରିକୀୟ କଂପାନି ଆପଲ୍ ଏହାର ଆଇଫୋନ୍ ୧୪କୁ ଭାରତରେ ଉତ୍ପାଦନ କରିବା ଆରମ୍ଭ କରିଛି। ସାମସଙ୍ଗ୍ ଭାରତରେ ଏହାର ସର୍ବବୃହତ ମୋବାଇଲ୍ କାରଖାନା ସ୍ଥାପନ କରିଛି। ଓଲା ଇଲେକ୍ଟ୍ରିକ୍ ମଧ୍ୟ ବିଶ୍ବର ସର୍ବବୃହତ ସ୍କୁଟର କାରଖାନାକୁ ଭାରତରେ ସ୍ଥାପନ କରିଛି। ଏହିଭଳି ଭାବେ ନିର୍ମାଣ ଓ ଉତ୍ପାଦନ କ୍ଷେତ୍ରରେ ଭାରତ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚୀନ୍ ସହିତ ପ୍ରତିଦ୍ବନ୍ଦ୍ବିତା କରିବାକୁ ହେଲେ ଚୀନ୍ଠାରୁ କମ୍ ଦାମ୍ରେ ବିଭିନ୍ନ ପ୍ରକାର ସୁବିଧା କଂପାନିଗୁଡ଼ିକୁ ଦେବାକୁ ପଡ଼ିବ। ଦେଶର କୋଣ ଅନୁକୋଣରେ ନିରବଚ୍ଛିନ୍ନ ଭାବେ ସାମଗ୍ରୀ ଓ କଞ୍ଚାମାଲ ପରିବହନ ହୋଇପାରିଲେ ବିଶ୍ବସ୍ତରୀୟ କଂପାନିଗୁଡ଼ିକ ଭାରତକୁ ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ବିବେଚନା କରିବେ। ପିଏମ୍ ଗତି ଶକ୍ତି ଜରିଆରେ ସେହି ଲକ୍ଷ୍ୟକୁ ହାସଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଯୋଜନାରେ ପ୍ରମୁଖ ଶିଳ୍ପ କ୍ଷେତ୍ରଗୁଡ଼ିକୁ ରେଳ, ବନ୍ଦର ଓ ବିମାନବନ୍ଦର ସହ ଯୋଡ଼ିବାକୁ ଉଦ୍ୟମ କରାଯାଉଛି। ପ୍ରକଳ୍ପ କାର୍ଯ୍ୟକାରିତାରେ ହେଉଥିବା ବିଳମ୍ବକୁ ଦୂର କରିବା ଲାଗି ପ୍ରଯୁକ୍ତି ବ୍ୟବହାର କରାଯାଇଛି। ଏକ ସ୍ବତନ୍ତ୍ର ଡିଜିଟାଲ ପ୍ଲାଟଫର୍ମ ସୃଷ୍ଟି କରାଯାଇଛି ଯେଉଁଥିରେ ୧୬ ମନ୍ତ୍ରାଳୟ ଯୋଡ଼ି ହୋଇଛନ୍ତି।
ସେହି ପୋର୍ଟାଲ୍ ନିବେଶକ ଓ କଂପାନିଗୁଡ଼ିକ ପାଇଁ ଏକକ ସମାଧାନ ମାଧ୍ୟମ ଭାବେ କାର୍ଯ୍ୟ କରୁଛି। ତାହା ଜରିଆରେ ମଞ୍ଜୁରି ହାସଲ କରିବା ବେଶ ସହଜ ହୋଇପାରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବ ଅମ୍ରିତ ଲାଲ ମିନା କହିଛନ୍ତି ଯେ ଗତି ଶକ୍ତି ପୋର୍ଟାଲ୍ରେ ପ୍ରଦର୍ଶିତ ହୋଇଥିବା ୧୩୦୦ ପ୍ରକଳ୍ପ ମଧ୍ୟରୁ ୪୦ ପ୍ରତିଶତ ପ୍ରକଳ୍ପ ଜମି ଅଧିଗ୍ରହଣ, ଜଙ୍ଗଲ ଓ ପରିବେଶ ମଞ୍ଜୁରି ଆଦି ପାଇଁ ବିଳମ୍ବ ହୋଇଛି। ଫଳରେ ପ୍ରକଳ୍ପରେ ହେବାକୁ ଥିବା ଖର୍ଚ୍ଚ ବୃଦ୍ଧି ପାଇଛି। ପ୍ରାୟ ୪୨୨ଟି ପ୍ରକଳ୍ପରେ ଏହି ସମସ୍ୟା ଥିବା ବେଳେ ୨୦୦ ପ୍ରକଳ୍ପର ସମସ୍ୟାକୁ ସମାଧାନ କରାଯାଇପାରିଛି। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ୟୁରୋପ ଏବଂ ୧୯୮୦ରୁ ୨୦୧୦ ଭିତରେ ଚୀନ୍ ଯେଉଁ ଢାଞ୍ଚାରେ କାମ କରି ଆଗକୁ ବଢ଼ିଥିଲେ, ଭାରତ ମଧ୍ୟ ସେଭଳି ଆଗକୁ ବଢ଼ିବାକୁ ଚାହୁଛି।