ବାଣିଜ୍ୟରେ ଚୀନ୍‌କୁ ଘେରିବ ଭାରତ, ଆପ୍‌ ପରେ ବିଦ୍ୟୁତ ଯନ୍ତ୍ରାଂଶ ପାଳି

ଆଜି ବସିବ ରାଜ୍ୟ ଶକ୍ତିମନ୍ତ୍ରୀଙ୍କ ବୈଠକ, ନିଆଯାଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଗଲ୍‌ୱାନ ଘାଟି ସଂଘ‌ର୍ଷ ପରେ ଚୀନକୁ ବିଭିନ୍ନ ଦିଗରୁ ଘେରିବା ପାଇଁ ଭାରତ ଉଦ୍ୟମ ଆରମ୍ଭ କରିଛି। ବିଶେଷକରି ଅର୍ଥନୈତିକ କଟକଣାକୁ କଡ଼ାକଡ଼ି କରିବାକୁ ପଦକ୍ଷେପ ନେଇଛି। କେବଳ କେନ୍ଦ୍ର ସରକାର ନୁହେଁ, ରାଜ୍ୟମାନେ ମଧ୍ୟ ଏହି ଲଢ଼େଇରେ କେନ୍ଦ୍ର ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ‌କେନ୍ଦ୍ର ଚାହୁଛି। ସମ୍ବିଧାନର ମିଳିତ ତାଲିକାରେ ବିଦ୍ୟୁତ୍‌ କ୍ଷେତ୍ର ରହିଛି। ତେଣୁ ବିଦ୍ୟୁତ୍ ସାମଗ୍ରୀର ଉପକରଣ ଉପରେ ଉଭୟ ଶୁଳ୍କ ଓ ଅଣଶୁଳ୍କ ପ୍ରତିବନ୍ଧକ ଲଗାଇବା ପାଇଁ ଉଦ୍ୟମ ଚାଲିଛି। ଚୀନରୁ ଏସବୁ ଯନ୍ତ୍ରାଂଶର ଆମଦାନି କମାଇ ଭାରତରେ ଏସବୁ ସାମଗ୍ରୀ ଉତ୍ପାଦନ ବଢ଼ାଇବା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ଏକ ରଣକୌଶଳ ମଧ୍ୟ ଆପଣାଇଛନ୍ତି। ଦେଶରେ ବୈଦ୍ୟୁତିକ ଯନ୍ତ୍ରାଂଶ ନିର୍ମାତାମାନଙ୍କୁ ସବ୍‌ସିଡି ପ୍ରଦାନ ସହିତ ଶତ୍ରୁଦେଶରୁ ଏସବୁ ସାମଗ୍ରୀ ଆମଦାନି କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ପ୍ରାକ୍ ଅନୁମତି ନେବାକୁ କୁହାଯାଇପାରେ। ଏଥିସହିତ ଦେଶରେ ଏକ୍ଷେତ୍ରର ଷ୍ଟାର୍ଟଅପ୍ ଉଦ୍ୟୋଗଗୁଡ଼ିକୁ ସହାୟତା ପ୍ରଦାନ କରିବା, ପର୍ଯ୍ୟାୟକ୍ରମେ ଉତ୍ପାଦନ ବଢ଼ାଇବା ଏବଂ ଭେଣ୍ଡର ବିକାଶ, ଗବେଷଣା ଓ ବିକାଶ ସମେତ ଟିକସ ଲାଗୁ ଆଦି ପଦକ୍ଷେପ ନିଆଯିବା ନେଇ ଯୋଜନା ରହିଛି। ଗୋଟିଏ ପଟେ ଶତ୍ରୁଦେଶରୁ ଆମଦାନି ହ୍ରାସ କରିବା ସହିତ ଅନ୍ୟପଟେ ଆତ୍ମ ନିର୍ଭର ଭାରତ ଯୋଜନାରେ ଏସବୁ ସାମଗ୍ରୀର ଉତ୍ପାଦନ ଦେଶରେ କରିବା ଉପରେ ଗୁରୁତ୍ବ ଦିଆଯାଉଛି। ‌ଆତ୍ମନିର୍ଭର ଭାରତ ଯୋଜନାରେ ଆସନ୍ତା ୩ ବର୍ଷ ମଧ୍ୟରେ ଭ‌ାରତରେ ସମସ୍ତ ପ୍ରକାର ବିଦ୍ୟୁତ୍ ଉପକରଣ ଉତ୍ପାଦନ ନେଇ ଲକ୍ଷ୍ୟ ରଖାଯାଇଛି। ଶୁକ୍ରବାର ରାଜ୍ୟ ଶକ୍ତିମନ୍ତ୍ରୀଙ୍କ ସହିତ କେନ୍ଦ୍ର ଶକ୍ତି ମନ୍ତ୍ରାଳୟର ହେବାକୁ ଥିବା ବୈଠକରେ ଏ ନେଇ କିଛି ଠୋସ୍ ନିଷ୍ପତ୍ତି ନିଆଯାଇପାରେ।

ସରକାର ପୂର୍ବରୁ ସୌର ପ୍ୟାନେଲ, ମଡ୍ୟୁଲସ ଓ ଇନଭର୍ଟର ଆମଦାନି ଉପରେ ଅଗଷ୍ଟ ୧ରୁ ମୌଳିକ ସୀମା ଶୁଳ୍କ ଲାଗୁ କରିସାରିଛନ୍ତି। ଏଥିସହିତ ସୌର ସେଲ୍ ଓ ମଡ୍ୟୁଲ୍ସ ଉତ୍ପାଦନରେ ବ୍ୟବହୃତ ୱେଫର ଓ ଇନଗଟ୍ ଉପରେ ମଧ୍ୟ ଆମଦାନି ଶୁଳ୍କ ଲାଗୁ କରିବା ଉପରେ ଯୋଜନା ରହିଛି। କେବଳ ଶତ୍ରୁଦେଶ ନୁହେଁ, ଯେଉଁ ରାଜ୍ୟଗୁଡ଼ିକ କେନ୍ଦ୍ରର ନିର୍ଦ୍ଦେଶକୁ ନମାନିବେ ସେମାନଙ୍କ ବିରୋଧରେ ଆର୍ଥିକ କଟକଣା ଲଗାଯିବା ନେଇ ମଧ୍ୟ ଯୋଜନା ରହିଛି। ଦେଶରେ ଉତ୍ପାଦନ ହେଉଥିବା ବିଦ୍ୟୁତ୍ ଉପକରଣ ଏବଂ ପ୍ରଯୁକ୍ତିକୁ ଯେଉଁମାନେ ବ୍ୟବହାର ନକରିବେ ସେସବୁ ରାଜ୍ୟକୁ ପାୱାର ଫାଇନାନ୍ସ କର୍ପୋରେସନ, ରୁରାଲ ଇଲେକ୍ଟ୍ରିଫିକେସନ କର୍ପୋରେସନ ଏବଂ ଇଣ୍ଡିଆନ୍ ରିନେୱେବଲ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସି ଆଦିରୁ ଅର୍ଥ ମିଳିବା ପ୍ରତିବନ୍ଧକ ଲାଗିପାରେ।

ସମ୍ବନ୍ଧିତ ଖବର