ଆମେରିକା-ଚୀନ୍‌ ଲଢ଼େଇରେ ଭାରତକୁ ଲାଭ, ୮୨୮୫ କୋଟିର ଅଧିକ ରପ୍ତାନି କଲା ଭାରତ

ନୂଆଦିଲ୍ଲୀ : ‌ବିଶ୍ବର ଦୁଇ ପ୍ରମୁଖ ଅର୍ଥନୈତିକ ମହାଶକ୍ତି ଆମେରିକା ଓ ଚୀନ୍‌ ମଧ୍ୟରେ ଚାଲିଥିବା ବାଣିଜ୍ୟ ଲଢ଼େଇରେ ଭାରତକୁ ଲାଭ ମିଳିଛି। ଜାତିସଂଘର ସଂସ୍ଥା ‘ୟୁଏନ୍‌ସିଟିଏଡି’ ଏହାର ରିପୋର୍ଟରେ ଏକଥା ଜଣାଇଛି। ତେବେ ବଡ଼ ଧରଣର ଲାଭ ହାସଲ କରିବାରେ ଭାରତ ବିଫଳ ହୋଇଥିବା ଜଣାପଡ଼ିଛି। ଏହି ଲଢ଼େଇରୁ ସବୁଠୁ ଅଧିକ ଲାଭ ତାଇୱାନ, ମେକ୍ସିକୋ ଓ ୟୁରୋପୀୟ ସଂଘକୁ ମିଳିଛି। କୋରିଆ, କାନାଡା ଓ ଭାରତକୁ କମ୍ ଲାଭ ମିଳିଛି।

ବାଣିଜ୍ୟ ଲଢ଼େଇର ପ୍ରଭାବ ଯୋଗୁ ଆମେରିକାକୁ ଭାରତ ଅଧିକ ୭୫୫ ନିୟୁତ ଡଲାର (ପ୍ରାୟ ୫୨୮୫ କୋଟି ଟଙ୍କା)ର ରପ୍ତାନି କରିପାରିଛି। ୨୦୧୯ର ପ୍ରଥମ ଛଅ ମାସ ଭିତରେ ଭାରତ ଅଧିକ ପରିମାଣର ରାସାୟନିକ ପଦାର୍ଥ, ଧାତୁ ଏବଂ ପଥର ଆମେରିକାକୁ ପଠାଇଥିବା ୟୁଏନ୍‌ସିଟିଏଡି ରିପୋର୍ଟରୁ ଜଣାପଡ଼ିଛି।

ଆମେରିକାରେ ଚୀନ୍‌ ସାମଗ୍ରୀ ମହଙ୍ଗା ହୋଇଯିବା ପରେ ସେଠାରେ ଯେଉଁ ଅଭାବ ଦେଖାଦେଇଥିଲା ତାହାକୁ ତାଇୱାନ, ମେକ୍ସିକୋ ଓ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସୁଲଭ ମୂଲ୍ୟର ସାମଗ୍ରୀ ପଠାଇ ଅଧିକ ମାତ୍ରାରେ ପୂରଣ କରିପାରିଛନ୍ତି। ଅନ୍ୟ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ଲାଭବାନ ହୋଇଥିବା ଜଣାପଡ଼ିଛି। ୟୁଏନ୍‌ସିଟିଏଡି ଏହାର ରିପୋର୍ଟରେ ଜଣାଇଛି ଯେ, ବାଣିଜ୍ୟ ‌ଲଢ଼େଇ ପ୍ରଭାବରେ ଚୀନ୍‌ ଗ୍ରାହକଙ୍କ ପାଇଁ ଅନେକ ସାମଗ୍ରୀର ଦାମ୍ ବଢ଼ିଥିବା ବେଳେ ଆମେରିକୀୟ ରପ୍ତାନିକାରୀମାନେ କ୍ଷତି ସହୁଛନ୍ତି। ସେହି ସମୟରେ ଅନ୍ୟ ଦେଶଗୁଡ଼ିକ ଉଭୟ ଦେଶକୁ ସୁଲଭ ମୂଲ୍ୟର ସାମଗ୍ରୀ ପଠାଇ ଲାଭବାନ ହେଉଛନ୍ତି। ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଲଢ଼େଇ ଯୋଗୁ ଆମେରିକାକୁ ଚୀନ୍‌ର ରପ୍ତାନି ୩୫ ବିଲିଅନ୍ ଡଲାର କମିଛି। ସେଥି ମଧ୍ୟରୁ ୬୨% (୨୧ ବିଲିଅନ ଡଲାର) ବଜାରକୁ ଅନ୍ୟ ଦେଶଗୁଡ଼ିକ ମାଡ଼ିବସିଲେଣି। ବଳକା ଯେଉଁ ୧୪ ବିଲିଅନ ଡଲାର ରହିଛି ତାହା ସମ୍ପୂର୍ଣ୍ଣ କ୍ଷତି ହୋଇଥାଇପାରେ କିମ୍ବା ଆମେରିକୀୟ କଂପାନିଗୁଡ଼ିକ ସେହି ସୁଯୋଗକୁ ହାତେଇ ନେଇଥାଇପାରନ୍ତି ବୋଲି ରିପୋର୍ଟରେ ଆକଳନ କରାଯାଇଛି।

ଆମେରିକା ଓ ଚୀନ୍‌ର ବାଣିଜ୍ୟ ଲଢ଼େଇ ଉଭୟ ଦେଶର ଗ୍ରାହକଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି। ଆମେରିକୀୟ ଗ୍ରାହକମାନଙ୍କୁ ସେହି ସମାନ ଜିନିଷକୁ ଏବେ ଅଧିକ ଦାମ୍‌ରେ କିଣିବାକୁ ପଡ଼ୁଛି। ଚୀନ୍‌ର ଗ୍ରାହକଙ୍କ ଅବସ୍ଥା ମଧ୍ୟ ସମାନ। ତେବେ ରପ୍ତାନି ଉପରେ ଅତ୍ୟଧିକ ନିର୍ଭରଶୀଳ ଥିବା ଚୀନ୍‌ର କଂପାନିଗୁଡ଼ିକ ଏବେ ରପ୍ତାନି ପାଇଁ ଉପଲବ୍ଧ କରୁଥିବା ସାମଗ୍ରୀଗୁଡ଼ିକର ଦାମ୍ କମାଇବା ଆରମ୍ଭ କରିଛନ୍ତି। ଏହା ଜରିଆରେ ସେମାନେ ନିଜର ବଜାର ଅଂଶକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ୨୦୧୮ ମଧ୍ୟ ଭାଗରୁ ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ ଲଢ଼େଇ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର