ବାୟୁସେନା ଲଞ୍ଚ କଲା ଏହି ସ୍ମାର୍ଟଫୋନ୍‌ ଗେମ୍‌: ଏମିତି କରନ୍ତୁ ଡାଉନ୍‌ଲୋଡ୍‌, ଖେଳିବାରେ ଆସିବ ରୋମାଞ୍ଚକର ଅନୁଭବ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଦେଶର ଯୁବ ପିଢ଼ିଙ୍କ ପାଇଁ ଏକ ୩-ଡି ମୋବାଇଲ ଗେମ୍‌ ପ୍ରସ୍ତୁତ କରାଯାଇଛି। ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ବୀରେନ୍ଦ୍ର ସିଂହ ଧନୋଆ ଏହି ୩-ଡି ମୋବାଇଲ ଗେମ୍‌ ଆପ୍‌କୁ ଆଜି (ବୁଧବାର) ଆନୁଷ୍ଠାନିକ ଭାବେ ନୂଆଦିଲ୍ଲୀର ବାଲ୍‌ଭବନ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଲୋକାର୍ପିତ କରିଛନ୍ତି। ଏହି ୩-ଡି ମୋବାଇଲ ଗେମ୍‌ ଉଭୟ ଏଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ମଡେଲ ପାଇଁ ଆପ୍‌ ଷ୍ଟୋରରେ ଉପଲବ୍ଧ ହେଉଛି।

ଭାରତୀୟ ବାୟୁସେନା ପକ୍ଷରୁ ପ୍ରସ୍ତୁତ ଏହି ୩-ଡି ମୋବାଇଲ ଗେମ୍‌ରେ ଆକାଶ ମାର୍ଗରେ ଲଢ଼ୁଆ ବିମାନ ମଧ୍ୟରେ ଡଗ୍‌ ଫାଇଟ୍‌ ସହ ପରସ୍ପର ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ, କ୍ଷେପଣାସ୍ତ୍ର ମାଡ଼ କରି ଆକାଶରୁ ଲଢ଼ୁଆ ବିମାନକୁ ଖସାଇବା ସମେତ ଳଢ଼ୁଆ ବିମାନରୁ ପାରାଚୁଟ୍‌ ସାହଯ୍ୟରେ ତଳକୁ ଖସିବା ଆଦି ଖେଳ ମଧ୍ୟ ରହିଛି।

ତେବେ, ସବୁଠାରୁ ଉଲ୍ଲେଖନୀୟ ବିଷୟ ବାୟୁସେନାର ଏହି ୩-ଡି ମୋବାଇଲ ଗେମ୍‌ରେ ବାୟୁସେନାର ଯେଉଁ ପାଇଲଟଙ୍କ ପ୍ରତିଛବି ରହିଛି ତାହା ଅବିକଳ ବାୟୁସେନାର ଚର୍ଚ୍ଚିତ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ସଦୃଶ। ଭାରତୀୟ ଯୁବ ପିଢ଼ିକୁ ବାୟୁସେନା ଆଡ଼କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଏହି ୩-ଡି ମୋବାଇଲ ଗେମ୍‌ ଆପ୍‌କୁ ପ୍ରସ୍ତୁତ କରା ଯାଇଥିବା ଏହି ଅବସରରେ କହିଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ବୀରେନ୍ଦ୍ର ସିଂହ ଧନୋଆ।

କିଛିଦିନ ପୂର୍ବରୁ ଭାରତର ବାୟୁସେନା ନିଜର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ୍‌ରେ ଏହି ଭିଡିଓ ଗେମ୍‌ର ଏକ ଟିଜର ଜାରି କରିଥିଲା। ନିମ୍ନରେ ଦିଆଯାଇଥିବା ପ୍ଲେ-ଷ୍ଟୋର ଲିଙ୍କ୍‌ରେ ଏହି ଗେମ୍‌କୁ ସହଜରେ ଡାଉନ୍‌ଲୋଡ କରି ପାରିବେ।

https://play.google.com/store/apps/details?id=com.threye.iaf.aca

ଆଇଏଏଫ ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ, ଏହା ସିଙ୍ଗଲ ପ୍ଲେୟାର ମୋବାଇଲ ଭିଡିଓ ଗେମ୍‌ ଅଟେ। ଯାହାକୁ ଏଣ୍ଡ୍ରୋଏଡ ଓ ଆଇଓଏସ୍‌ ଦୁଇଟି ଭର୍ସନ୍‌ରେ ଖେଳା ଯାଇ ପାରିବ। ଅକ୍ଟୋବର ପର୍ଯ୍ୟନ୍ତ ଏହି ଖେଳର ମଲଟିପ୍ଲେୟର ଭର୍ସନ ବି ଲଞ୍ଚ କରାଯିବ।

ଆଇଏଏଫ ଦାବି ଅନୁସାରେ ଖେଳାଳିକୁ ଏହି ଖେଳ ଖେଳିବା ସମୟରେ ରୋମାଞ୍ଚକ ଅନୁଭବ ମିଳିବ। ତେବେ ଅନ୍ୟ ଫ୍ଲାଇଟ ସିମ୍ୟୁଲେଟର ଗେମ୍‌ ଭଳି ଏହି ଖେଳକୁ ଖେଳିବା ପୂର୍ବରୁ ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରଶିକ୍ଷଣ ଦିଆଯିବା ପରେ ବିମାନ ଉଡାଇବାର ମଉକାମ ମିଳିବ।

ସମ୍ବନ୍ଧିତ ଖବର