ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କଗୁଡ଼ିକ ଚଳିତ ବର୍ଷ ଏକ ଲକ୍ଷ ୨୦ ହଜାର କୋଟି ଟଙ୍କାର ଋଣ ରାଇଟ୍ ଅଫ୍ କରିଛନ୍ତି। ରାଇଟ୍ ଅଫ୍ର ଅର୍ଥ ହେଉଛି ହିସାବ ଖାତାରୁ ଏନ୍ପିଏକୁ ବାଦ ଦେବା। ବ୍ୟାଙ୍କଗୁଡ଼ିକ ନିଜ ଲାଭର କିଛି ଅଂଶକୁ ଏନ୍ପିଏ କ୍ଷତି ଭରଣା କରିବାରେ ବ୍ୟବହାର କରନ୍ତି। ତାହାକୁ ପ୍ରୋଭିଜନିଂ କୁହାଯାଉଛି। ପ୍ରୋଭିଜନିଂ ପରେ ଏନ୍ପିଏଗୁଡ଼ିକୁ ବ୍ୟାଙ୍କର ହିସାବ ଖାତାରୁ ବାଦ ଦିଆଯାଏ ଓ ତାହାକୁ ଆଉ ଏନ୍ପିଏ ଭାବେ ଗଣାଯାଏ ନାହିଁ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଋଣ ରାଇଟ୍ ଅଫ୍ ହୋଇଥାଏ। ଚଳିତ ବର୍ଷ ବ୍ୟାଙ୍କଗୁଡ଼ିକ ବିପୁଳ ପରିମାଣର କ୍ଷତି ସହିଥିବା ବେଳେ ଏତେ ପରିମାଣର ଋଣ ଅର୍ଥରାଶି ରାଇଟ୍ ଅଫ୍ କରିବା ପରିସ୍ଥିତିକୁ ଅଧିକ ଜଟିଳ କରିଦେଇଛି। ୨୦୧୭-୧୮ରେ ବ୍ୟାଙ୍କଗୁଡ଼ିକର କ୍ଷତି ପରିମାଣ ୮୫,୩୭୦ କୋଟି ଟଙ୍କା ହୋଇଛି। ଏହା ବ୍ୟତୀତ ସେମାନଙ୍କ ଋଣ ରାଇଟ୍ ଅଫ୍ ପରିମାଣ ୧୪୦% ବଢ଼ିଛି। ୨୦୧୬-୧୭ରେ ବ୍ୟାଙ୍କଗୁଡ଼ିକ ୮୧,୬୮୩ କୋଟି ଟଙ୍କାର ଋଣ ରାଇଟ୍ ଅଫ୍ କରିଥିଲେ। ୨୦୧୩-୧୪ରେ ବ୍ୟାଙ୍କଗୁଡ଼ିକ ୩୪, ୪୦୯ କୋଟି ଟଙ୍କାର ଋଣ ରାଶି ରାଇଟ୍ ଅଫ୍ କରିଥିଲେ। କିଛି ବର୍ଷ ଭିତରେ ଏହି ପରିମାଣ ପାଞ୍ଚ ଗୁଣା ବଢ଼ିଯାଇଛି। ୨୦୧୭-୧୮ରେ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ସର୍ବାଧିକ ୪୦,୧୯୬ କୋଟି ଟଙ୍କାର ଋଣ ରାଇଟ୍ ଅଫ୍ କରାଯାଇଛି। ସେହି ସମୟରେ କାନାରା ବ୍ୟାଙ୍କ ପକ୍ଷରୁ ୮୩୧୦ କୋଟି, ପିଏନ୍ବି ୭୪୦୭ କୋଟି ଓ ବ୍ୟାଙ୍କ ଅଫ୍ ବରୋଦା ୪୯୪୮ କୋଟି ଟଙ୍କାର ଋଣ ରାଶି ରାଇଟ୍ ଅଫ୍ କରିଛି।