ଭରସା ଦେଲେ ଶକ୍ତିକାନ୍ତ: ଭାରତୀୟ ବ୍ୟାଙ୍କ ଦୃଢ଼, ସ୍ଥିର

ଯେକୌଣସି ସଙ୍କଟ ମୁକାବିଲା କରିବାକୁ ସକ୍ଷମ

କୋଚି : ଆମେରିକାରୁ ଆରମ୍ଭ ହୋଇ ୟୁରୋପ ପର୍ଯ୍ୟନ୍ତ ପହଞ୍ଚିଥିବା ବ୍ୟାଙ୍କ ସଙ୍କଟକୁ ନେଇ ସାରା ବିଶ୍ବ ଚିନ୍ତିତ ଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଦେଶବାସୀଙ୍କୁ ଭରସା ଦେଇ କହିଛନ୍ତି ଯେ ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ବେଶ ଦୃଢ଼ ଓ ସ୍ଥିର। ଯେକୌଣସି ପ୍ରକାର ସଙ୍କଟର ମୁକାବିଲା କରିବାକୁ ସେମାନେ ପ୍ରସ୍ତୁତ ରହିଛନ୍ତି। ନିଜ ପାଖରେ ଅଧିକ ପାଣ୍ଠି ରଖିବା ଲାଗି ମହାମାରୀ ସମୟରେ ଯେଉଁ ଆହ୍ବାନ ଦିଆଯାଇଥିଲା ତାହାକୁ ଆମ ବ୍ୟାଙ୍କଗୁଡ଼ିକୁ ଠିକ୍ ଭାବେ ଗ୍ରହଣ କରିଛନ୍ତି ଓ ପାଖରେ ବିପୁଳ ପାଣ୍ଠି ରଖିଛନ୍ତି ବୋଲି ସେ କହିଛନ୍ତି। ଋଣ ଓ ଜମାରେ ଦେଖାଦେଉଥିବା ଅସଙ୍ଗତି ପ୍ରତି ସତର୍କ ରହିବା ଲାଗି ବ୍ୟାଙ୍କଗୁଡ଼ିକୁ ଆହ୍ବାନ ଦେଇ ସେ କହିଛନ୍ତି ଯେ ଉଭୟ ଋଣ ଓ ଜମାରେ ଅତ୍ୟଧିକ ବୃଦ୍ଧି ବ୍ୟାଙ୍କ ଶିଳ୍ପ ପାଇଁ ଶୁଭଙ୍କର ନୁହେଁ।

ଆମେରିକା ସଙ୍କଟ ଜଣାଇଲା କ୍ରିପ୍ଟୋ କେତେ ଘାତକ
ଦରବୃଦ୍ଧିକୁ ନେଇ ଆଉ ଚିନ୍ତା ନାହିଁ

ଦେଶରେ ଦରବୃଦ୍ଧି ଆଉ ଚିନ୍ତାଜନକ ସ୍ଥିତିରେ ନାହିଁ ବୋଲି ସେ କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ମୁଦ୍ରାନୀତି ଜନିତ ସବୁଠୁ ବଡ଼ ପଦକ୍ଷେପ ହେଉଛି ମୁଦ୍ରାସ୍ଫୀତିର ମୁକାବିଲା ବୋଲି ସେ କହିଛନ୍ତି। ଦେଶରେ ଫେବ୍ରୁଆରିରେ ପାଇକାରୀ ମୁଦ୍ରାସ୍ଫୀତି ୨୫ ମାସର ନିମ୍ନ ସ୍ତର ୩.୮୫ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ଖୁଚୁରା ମୁଦ୍ରାସ୍ଫୀତି କିନ୍ତୁ ୬.୪ ପ୍ରତିଶତ ଭଳି ଚିନ୍ତାଜନକ ସ୍ତରରେ ରହିଛି।

ଆମେରିକାରେ ଦେଖାଦେଇଥିବା ବ୍ୟାଙ୍କ ସଙ୍କଟ ସମ୍ପର୍କରେ ସେ କହିଛନ୍ତି ଯେ ଏକ ଦୃଢ଼ ବ୍ୟାଙ୍କିଙ୍ଗ୍‌ ନିୟାମକ ସଂସ୍ଥାର ଆବଶ୍ୟକତାକୁ ପୁଣି ଥରେ ଏହି ସଙ୍କଟ ସାମ୍ନାକୁ ଆଣିଛି। ଆର୍ଥିକ ବ୍ୟବସ୍ଥା ପ୍ରତି ଘରୋଇ ସଂସ୍ଥା ଦ୍ବାରା ପରିଚାଳିତ କ୍ରିପ୍ଟୋକରେନ୍ସି କେତେ ଘାତକ ତାହା ମଧ୍ୟ ଏହି ସଙ୍କଟରୁ ସ୍ପଷ୍ଟ ଜଣାପଡ଼ୁଛି ବୋଲି କେ ପି ହୋର୍ମିସ୍‌ ସ୍ମାରକୀ ବକ୍ତୃତା ପ୍ରଦାନ କରି ଶକ୍ତିକାନ୍ତ କହିଛନ୍ତି।

ଭାରତୀୟ ବ୍ୟାଙ୍କଗୁଡ଼ିକୁ ଦୃଢ଼ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଆଲୋଚନା କରି ସେ କହିଛନ୍ତି ଯେ ସମ୍ଭାବ୍ୟ ବିପଦକୁ ଜାଣିବା ଲାଗି ନିୟମିତ ବ୍ୟବଧାନରେ ପରୀକ୍ଷା କରାଯାଉଛି। କୌଣସି ସଂସ୍ଥାରେ କିଛି ସମସ୍ୟା ଥିବା ଜଣାପଡ଼ିଲେ ଆମେ ତୁରନ୍ତ ତାହାର କର୍ତ୍ତୃପକ୍ଷଙ୍କ ସହ ଯୋଡ଼ିହୋଇ କାମ କରୁଛୁ। ଆମର କାମ ହେଉଛି ସ୍ଥିତି ଉପରେ ନଜର ରଖିବା ଏବଂ ଯଦି କିଛି ବିପଦ ବା ଆହ୍ବାନ ରହିଛି ତାହାକୁ ସାମ୍ନାକୁ ଆଣିବା ବୋଲି ସେ କହିଛନ୍ତି।

ଗତ କିଛି ବର୍ଷ ଭିତରେ ନିୟମିତ ବ୍ୟବଧାନରେ ବ୍ୟାଙ୍କଗୁଡ଼ିକର ସ୍ଥିତିକୁ ରିଜର୍ଭ ବ୍ୟାଙ୍କ ଅନୁଶୀଳନ କରୁଛି ଏବଂ ଏହି ପ୍ରକ୍ରିୟା ବେଶ କଠୋର କରାଯାଇଛି। ବ୍ୟାଙ୍କଗୁଡ଼ିକ ଉପରେ ରିଜର୍ଭ ବ୍ୟାଙ୍କର ସଠିକ୍ ନିୟନ୍ତ୍ରଣ ରହିଥିବା ସେ କହିଛନ୍ତି। ସମ୍ଭାବ୍ୟ ବିପଦକୁ ଜାଣିବା ଲାଗି ବିପଦ ଜାଣିବା ପାଇଁ ଦୃଢ଼ ବ୍ୟବସ୍ଥା ଲାଗୁ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଥିବା ବେଳେ ରିଜର୍ଭ ବ୍ୟାଙ୍କ ନିଜେ ନିୟମିତ ବ୍ୟବଧାନରେ ପରୀକ୍ଷା କରୁଛି ଏବଂ ବିପଦ ମୁକାବିଲା ଲାଗି ଆଗୁଆ ଅଲଗା ପାଣ୍ଠି ରଖିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଜମା ଓ ଋଣରେ ବୃଦ୍ଧି ଯେଭଳି ନିରବଚ୍ଛିନ୍ନ ରହିବ ତାହା ନିଶ୍ଚିତ କରିବା ଲାଗି ମଧ୍ୟ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଜି୨୦ର ସଭାପତିତ୍ବ ଉପରେ ଆଲୋଚନା କରି ସେ କହିଛନ୍ତି ଯେ ଡଲାର ମୂଲ୍ୟରେ ବୃଦ୍ଧି ଘଟିବା କାରଣରୁ ପ୍ରଭାବିତ ହୋଇଥିବା ଦେଶଗୁଡ଼ିକୁ ଉଦ୍ଧାର କରିବା ଲାଗି ବିଶ୍ବର ୨୦ ଶକ୍ତିଶାଳୀ ଦେଶ ଏକଜୁଟ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର