ନୂଆଦିଲ୍ଲୀ: ଦିନ ଥିଲା ସଫଳତା ସହ ଧନ ଏବଂ ଖ୍ୟାତି ସବୁକିଛି ମିଳିଥିଲା। କିନ୍ତୁ ତା’ପରେ ସବୁକିଛି ମାଟିରେ ମିଶିଗଲା। କାରଣ ଲୋଭ ହେତୁ ମଣିଷ ଠକାମିର ରାସ୍ତାକୁ ଚାଲିଯାଏ, ଯାହା ଦିନେ ଶେଷ ହେବା ନିଶ୍ଚିତ। ଆଉ ଆଜି ସେହି ୭ କୋଟିପତିଙ୍କ ବିଷୟରେ ଜାଣିବା ଯାହାଙ୍କ ସହ ସମାନ ଘଟଣା ଘଟିଥିଲା। ଏମାନେ ଏକ ସମୟରେ ଲୋକମାନଙ୍କର ଆଦର୍ଶ ଥିଲେ, କିନ୍ତୁ ବର୍ତ୍ତମାନ ବଦନାମ ହୋଇଯାଇଛନ୍ତି।
ଚନ୍ଦା କୋଚର: ଚାନ୍ଦା କୋଚରଙ୍କ ଜାଲିଆତିର କାହାଣୀ ଏବେ ସବୁଠାରେ ହେଡଲାଇନରେ ଅଛି। ଚନ୍ଦା କୋଚର ଆଇସିଆଇସିଆଇ ବ୍ୟାଙ୍କର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଥିଲେ। ସେ ତାଙ୍କ ପଦର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସିବିଆଇ ଏହାର ଅନୁଧ୍ୟାନ କରୁଛି। ଲାଞ୍ଚ ମାମଲାରେ ଚନ୍ଦା କୋଚରଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ବର୍ତ୍ତମାନ ସେ ଜାମିନରେ ବାହାରେ ଅଛନ୍ତି। ଚନ୍ଦା କୋଚର ୬୪ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ନିକଟରେ ସିବିଆଇ ପ୍ରକାଶ କରିଛି ଯେ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚର ମାତ୍ର ୧୧ ଲକ୍ଷ ଟଙ୍କା ଦେଇ ୫.୩ କୋଟି ଟଙ୍କାର ଫ୍ଲାଟ କିଣିଛନ୍ତି। ଭିଡିଓକନ୍ ଗ୍ରୁପ୍ କମ୍ପାନିଗୁଡିକୁ ଋଣ ଦେବା ବଦଳରେ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଋଣ ବଦଳରେ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କ ନ୍ୟୁ ପାୱାର ଲିମିଟେଡରେ ୬୪ କୋଟି ଟଙ୍କା ବିନିଯୋଗ କରିଥିଲେ।
ବେଣୁଗୋପାଲ ଧୁତ୍:- ଭିଡିଓକନ୍ ଗ୍ରୁପ୍ ର ପ୍ରମୋଟର୍ ବେଣୁଗୋପାଲ ଧୁତ୍ ମଧ୍ୟ ଜାମିନରେ ଏବେ ବାହାରେ ଅଛନ୍ତି। ବେଣୁଗୋପାଲ ଧୁତଙ୍କୁ ଆଇସିଆଇସିଆଇ ବ୍ୟାଙ୍କ ଠକେଇ ମାମଲାରେ ଗିରଫ କରାଯାଇଥିଲା। ଫୋର୍ବସ୍ ମାଗାଜିନ୍ ଅନୁଯାୟୀ, ୨୦୧୫ରେ ବେଣୁଗୋପାଲଙ୍କ ସମ୍ପତ୍ତି ପ୍ରାୟ ୧.୧୯ ବିଲିୟନ ଡ଼ଲାର୍ ଥିଲା। ସେତେବେଳେ ସେ ଭାରତର ୬୧ ତମ ଧନୀ ବ୍ୟକ୍ତି ଥିଲେ। ୨୦୧୮ ମସିହାରେ, ଭିଡିଓକନ୍ କମ୍ପାନି ଏନସିଏଲଟିରେ ଦେବାଳିଆ ପ୍ରକ୍ରିୟା ପାଇଁ ନିଜକୁ ଦାଖଲ କରିଥିଲା। ଚନ୍ଦା କୋଚର ଭିଡିଓକନ୍ ଗ୍ରୁପକୁ ପ୍ରାୟ ୩୦୦୦ କୋଟି ଟଙ୍କା ଋଣ ଦେବାରେ ଅନିୟମିତତା କରିଥିବା ସିବିଆଇ ଅଭିଯୋଗ କରିଛି।
ମଲବିନ୍ଦର ସିଂ ଓ ଶିବିନ୍ଦର ସିଂ (ରନବାକ୍ସି): ଏକ ସମୟରେ 'ରନବାକ୍ସି ଲାବୋରେଟୋରି' ଏକ ପ୍ରସିଦ୍ଧ କମ୍ପାନି ଥିଲା। ୨୦୧୫ ମସିହାରେ ଫୋର୍ବସ୍ ତାଲିକାରେ ରନବାକ୍ସି ପ୍ରମୋଟର୍ସ ମଲବିନ୍ଦର ସିଂ ଓ ଶିବିନ୍ଦର ସିଂ ମିଳିତ ଭାବେ ଭାରତର ଧନୀ ତାଲିକାରେ ୩୫ ନମ୍ବରରେ ସ୍ଥାନ ପାଇଥିଲେ, ତା’ପରେ ସେମାନଙ୍କର ସମ୍ପତ୍ତି ୨.୫ ବିଲିୟନ ଡ଼ଲାର ଥିଲା। ଜାଲିଆତି ଅଭିଯୋଗରେ ଉଭୟ ଜେଲ ମଧ୍ୟ ଯାଇଥିଲେ। ଉଭୟ ଭାଇଙ୍କ ପତନର କାହାଣୀ ୨୦୦୮ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ସେମାନେ ରନବାକ୍ସୀ କମ୍ପାନୀରେ ଥିବା ଅଂଶକୁ ଜାପାନର କମ୍ପାନି ଡାଏଚି ସାଙ୍କୋଙ୍କୁ ୯,୫୭୬ କୋଟିରେ ବିକ୍ରି କରିଥିଲେ। ଏଥିରୁ ପାଇଥିବା ଟଙ୍କାକୁ ସେମାନେ ଭୁଲ ବାଟରେ ଖର୍ଚ୍ଚ କରିଥିଲେ। ତା’ପରେ ସେମାନେ ଋଣରେ ବୁଡ଼ିଗଲେ ଆଉ ଦିନେ ରନବାକ୍ସି କମ୍ପାନି ମଧ୍ୟ ବିକ୍ରି ହେଇଗଲା।
ବିଜୟ ମାଲ୍ୟା: ବିଳାସପୂର୍ଣ୍ଣ ଜୀବନଯାପନ ପାଇଁ ବିଜୟ ମାଲ୍ୟାଙ୍କୁ ସମସ୍ତେ ଜାଣନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କ ନାମ ସହ ପଳାତକ ବିଜୟ ମାଲ୍ୟା ଯୋଡି ହୋଇଯାଇଛି। କାରଣ ସେ ଦେଶର ବ୍ୟାଙ୍କଗୁଡ଼ିକୁ ଠକିବା ପରେ ଦେଶ ଛାଡି ପଳାଇଛନ୍ତି। ତାଙ୍କ ଉପରେ ଦେଶର ୧୭ଟି ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ତାଙ୍କର ଅନେକ ସମ୍ପତ୍ତି ମଧ୍ୟ ଭାରତରେ ନିଲାମ ହୋଇଛି। ଏକ ସମୟରେ ବିଜୟ ମାଲ୍ୟାଙ୍କର ବିମାନ ସେବା ସମେତ ଅନେକ ବଡ ବ୍ୟବସାୟ ଥିଲା। ମାର୍ଚ୍ଚ ୨୦୧୬ ଠାରୁ ମାଲ୍ୟା ବ୍ରିଟେନରେ ଅଛନ୍ତି।
ମେହୁଲ ଚୋକସି: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୪ ହଜାର କୋଟି ଟଙ୍କା ଠକେଇ କରି ସେ ଦେଶ ଛାଡି ପଳାଇବା ପର୍ଯ୍ୟନ୍ତ ମେହୁଲ ଚୋକସିଙ୍କୁ କେହି ଜାଣି ନ ଥିଲେ। ତାଙ୍କର ଗୀତାଞ୍ଜଳି ନାମକ ଏକ ଅଳଙ୍କାର କମ୍ପାନି ଅଛି, ଯାହାର ଭାରତରେ ପ୍ରାୟ ୪୦୦୦ ଷ୍ଟୋର୍ ଅଛି । ୫ ବର୍ଷ ପୂର୍ବେ ତାଙ୍କର ସମ୍ପତ୍ତି ମୂଲ୍ୟ ପ୍ରାୟ ୧୧୫୦ କୋଟି ଟଙ୍କା ଥିଲା। କିନ୍ତୁ ଜାଲିଆତି ହେତୁ ଏବେ ସବୁକିଛି ନଷ୍ଟ ହୋଇଯାଇଛି ଏବଂ ସେ ଦେଶରୁ ପଳାୟନ କରିଛନ୍ତି। ବର୍ତ୍ତମାନ ତାଙ୍କର ସମୁଦାୟ ସମ୍ପତ୍ତି ୨୩ କୋଟି ଟଙ୍କା ରହିଛି। ମେହୁଲ ଚୋକସି ତାଙ୍କ ଭଣଜା ନିରବ ମୋଦୀଙ୍କ ସହ ୧୩,୫୦୦ କୋଟି ଟଙ୍କା ପିଏନବି ସ୍କାମରେ ଅଭିଯୁକ୍ତ। ମେହୁଲ ଚୋକସୀ ୧୯୯୬ରେ ଗୀତାଞ୍ଜଳି ଗ୍ରୁପ ପ୍ରତିଷ୍ଠା କରିଥିଲେ। ଚୋକସୀ ଡିସେମ୍ବର ୨୦୧୭ ରେ ଆଣ୍ଟିଗୁଆ ଓ ବାରବୁଡାର ନାଗରିକତ୍ୱ ପାଇଥିଲେ। ପିଏନବି ସହିତ ଠକେଇର ଏହି ମାମଲା ଜାନୁଆରୀ ୨୦୧୮ରେ ସାମ୍ନାକୁ ଆସିଥିଲା।
ନିରବ ମୋଦୀ: ୨୦୧୮ ପର୍ଯ୍ୟନ୍ତ ଅଧିକାଂଶ ଲୋକ ନିରବ ମୋଦୀଙ୍କୁ ଧନୀ ବୋଲି ଜାଣି ନଥିଲେ, କିନ୍ତୁ ଯେତେବେଳେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ତାଙ୍କ ହେତୁ ଦେବାଳିଆ ହୋଇଥିଲା, ସେତେବେଳେ ଦେଶ ତାଙ୍କ ଜାଲିଆତି ବିଷୟରେ ଜାଣିଥିଲା। ସେ ଗୁଜୁରାଟର ଜଣେ ହୀରା ବ୍ୟବସାୟୀ ଭାବେ ଜଣାଶୁଣା ଥିଲେ । ନୀରବ ମୋଦୀ ବର୍ତ୍ତମାନ ଲଣ୍ଡନ ଜେଲରେ ଅଛନ୍ତି। ତାଙ୍କ ବିରୋଧରେ ଅର୍ଥ ହେରଫେର, ଅପରାଧିକ ଷଡଯନ୍ତ୍ର ଓ ପ୍ରତାରଣା, ସରକାରୀ କର୍ମଚାରୀଙ୍କୁ ହଇରାଣ କରିବା ଭଳି ଅନେକ ମାମଲା ପଞ୍ଜିକୃତ ହୋଇଛି।
ରାଣା କପୁର: ରାଣା କପୁର 'ୟେସ ବ୍ୟାଙ୍କ'ର ପ୍ରତିଷ୍ଠାତା ତଥା ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଥିଲେ। କିନ୍ତୁ ବର୍ତ୍ତମାନ ଜେଲ ହେଉଛି ତାଙ୍କର ଦ୍ୱିତୀୟ ଘର। ରାଣା କପୁର ତାଙ୍କ ପଦର ଅପବ୍ୟବହାର କରି ତାଙ୍କ ପରିବାରକୁ ଉପକୃତ କରୁଥିବା ଅଭିଯୋଗ ହୋଇଛି। ମାର୍ଚ୍ଚ ୨୦୨୦ରେ ସିବିଆଇ ରାଣା କପୁରଙ୍କ ବିରୋଧରେ ଠକେଇ ଓ ଅପରାଧିକ ଷଡଯନ୍ତ୍ର ମାମଲା ରୁଜୁ କରିଥିଲା। ଏଥି ସହିତ ଇଡିର ତଦନ୍ତ ଚାଲିଛି।