ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଅର୍ଥନୀତିରେ ଦ୍ରୁତ ସୁଧାର ହେଉଥିବାରୁ କର୍ମଚାରୀମାନଙ୍କ ଦରମା ବଢ଼ାଇବା ଲାଗି ଭାରତୀୟ କଂପାନିଗୁଡ଼ିକ ପ୍ରସ୍ତୁତ ହେଉଛନ୍ତି। ୨୦୨୨ରେ ସେମାନେ ବେତନ ବଢ଼ାଇ କର୍ମଚାରୀଙ୍କୁ ଖୁସି କରିବାକୁ ଉଦ୍ୟମ କରିବେ। ହାରାହାରି ଭାବେ କର୍ମଚାରୀମାନଙ୍କ ଦରମାରେ ୯.୩% ବୃଦ୍ଧି ହେବ। ହାଇ-ଟେକ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମାରେ ସର୍ବାଧିକ ୯.୯% ବୃଦ୍ଧି ହେବ। କଞ୍ଜ୍ୟୁମର ଉତ୍ପାଦ କଂପାନି ୯.୫% ଓ ମାନୁଫାକ୍ଚରିଂ କ୍ଷେତ୍ରର କଂପାନିଗୁଡ଼ିକ କର୍ମଚାରୀଙ୍କ ଦରମାରେ ୯.୩% ବୃଦ୍ଧି କରିବେ ବୋଲି ଆଶା କରାଯାଉଛି ବୋଲି ୱିଲିସ୍ ଟାୱାର ୱାଟସନ୍ ସର୍ଭେ ରପୋର୍ଟରୁ ଜଣାପଡ଼ିଛି।
ଏହି ସର୍ଭେରେ ୪୩୫ଟି ଭାରତୀୟ କଂପାନି ଅଂଶଗ୍ରହଣ କରିଥିଲେ। ଦରମା ବଢ଼ାଇବା ନେଇ ସେମାନଙ୍କର ଯେଉଁ ଭାବନା ରହିଛି ସେହି ଆଧାରରେ ଏହି ସର୍ଭେ ରିପୋର୍ଟକୁ ପ୍ରସ୍ତୁତ କରାଯାଇଛି। ରିପୋର୍ଟରୁ ଜଣାପଡ଼ିଛି ଯେ ଏସୀୟ ପ୍ରଶାନ୍ତ ମହାସାଗରୀୟ ଦେଶଗୁଡ଼ିକ ମଧ୍ୟରେ ଭାରତୀୟ କଂପାନିଗୁଡ଼ିକ କର୍ମଚାରୀଙ୍କ ଦରମା ସର୍ବାଧିକ ବଢ଼ାଇବେ। ଶ୍ରୀଲଙ୍କା କଂପାନିଗୁଡ଼ିକ ଦରମାରେ ୫.୫%, ଚୀନ୍ କଂପାନି ୬%, ଇଣ୍ଡୋନେସିଆର କଂପାନି ୬.୯% ଓ ସିଙ୍ଗାପୁରର କଂପାନି କର୍ମଚାରୀଙ୍କ ଦରମାରେ ୩.୯% ବୃଦ୍ଧି କରିବା ବିଷୟରେ ବିଚାର କରୁଛନ୍ତି। ୱିଲ୍ସନ୍ ଟାୱାର୍ସ ୱାଟ୍ସନ୍ର କନ୍ସଲ୍ଟିଂ ଲିଡର୍ ରାଜୁଲ୍ ମାଥୁର କହିଛନ୍ତି ଯେ ବ୍ୟବସାୟରେ ବୃଦ୍ଧି ଘଟୁଥିବାରୁ କଂପାନିଗୁଡ଼ିକ କର୍ମଚାରୀଙ୍କ ଦରମା ବଢ଼ାଇବେ ଏବଂ ଅଧିକ ଲୋକଙ୍କୁ ନିଯୁକ୍ତି ମଧ୍ୟ ଦେବେ। ଶ୍ରମ ଶକ୍ତିରେ ନିବେଶର ପୁନର୍ବିଚାର କରିବା ଲାଗି ମହାମାରୀର ଏକ ଐତିହାସିକ ସମୟ ଥିଲା। ଏବେବି ଅନେକ ସଂସ୍ଥା ପାଇଁ ପ୍ରତିଭାବାନ କର୍ମଚାରୀଙ୍କୁ ଧରି ରଖିବା ଓ ଆକର୍ଷିତ କରିବା ଏକ ଆହ୍ବାନ ହୋଇରହିଛି। ଏହି କ୍ଷେତ୍ରରେ ଆଗକୁ ରହିବାକୁ ହେଲେ କେବଳ ଦରମା ବଢ଼ାଇଲେ ଚଳିବ ନାହିଁ, କର୍ମଚାରୀମାନଙ୍କୁ ଅତିରିକ୍ତ ସୁବିଧା, ସ୍ବାସ୍ଥ୍ୟ ଓ କଲ୍ୟାଣ ସୁବିଧା, କୌଶଳ ବିକାଶ ସୁଯୋଗ ଆଦି ଦେବାକୁ ପଡ଼ିବ ବୋଲି ଶ୍ରୀ ମାଥୁର କହିଛନ୍ତି।