ବିବାଦ ପରେ ଚେତିଲେ ସରକାର : ବଦଳିବ ତଥ୍ୟ ସଂଗ୍ରହ ପଦ୍ଧତି

ନୂଆଦିଲ୍ଲୀ : ଦେଶରେ ବେକାରି ହାର ୪୫ ବର୍ଷରେ ସର୍ବାଧିକ ସ୍ତରକୁ ବୃଦ୍ଧି ପାଇବା ଏବଂ ଗ୍ରାମାଞ୍ଚଳ ଲୋକଙ୍କ ଖର୍ଚ୍ଚ ଅତି ନିମ୍ନ ସ୍ତରରେ ଥିବା ନେଇ ରିପୋର୍ଟକୁ ସରକାର ଚାପି ଦେଇଥିଲେ। ଏହାକୁ ନେଇ ବାଦ ବିବାଦ ଦେଖାଦେଲା। କେବଳ ରାଜନୈତିକ ବିରୋଧୀ ନୁହନ୍ତି ବିଶେଷଜ୍ଞମାନେ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲେ। ଏପରିକି ମୋଦୀ ସରକାରଙ୍କ ଅମଳରେ ସରକାରଙ୍କ ଅର୍ଥନୈତିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିବା ଅରବିନ୍ଦ ସୁବ୍ରମଣ୍ୟନ୍ ମଧ୍ୟ ମୁହଁ ଖୋଲିଲେ। ଦେଶର ଜିଡିପି ବାସ୍ତବରେ ଯେତିକି ରହିଛି ସରକାର ତାହାଠାରୁ ଅଢ଼େଇ ପ୍ରତିଶତ ଅଧିକ ଦର୍ଶାଉଛନ୍ତି ବୋଲି ସୁବ୍ରମଣ୍ୟନ୍ ମନ୍ତବ୍ୟ ଦେଇଥିଲେ। ଏମିତିକି ଅର୍ଥନୀତିର ଗୋଲାପି ଛବି ଦେଖା‌ଇବା ପାଇଁ ସରକାର ପରିସଂଖ୍ୟାନକୁ ଏପଟ ସେପଟ କରୁଥିବା ଅଭିଯୋଗ ମଧ୍ୟ ଉଠିଥିଲା। ଏହାପରେ ଅର୍ଥନୀତିର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମାନକ ପ୍ରସ୍ତୁତିରେ ଉତ୍ତମ ମାନର ତଥ୍ୟ ବ୍ୟବହୃତ ହୋଇନାହିଁ ବୋଲି ସରକାର ସଫେଇ ଦେଲେ। ଏସବୁ ବାଦବିବାଦ ଦେଖାଦେବାର କିଛିଦିନ ପରେ ସରକାର ଏବେ ପରିସଂଖ୍ୟାନ ବା ତଥ୍ୟ ସଂଗ୍ରହରେ ଉନ୍ନତି ଆଣିବା ପାଇଁ ଅଣ୍ଟା ଭିଡ଼ିଛନ୍ତି।

ବିଶ୍ବବ୍ୟାଙ୍କ ସହାୟତା ନିଆଯିବ!
ଅର୍ଥନୀତିର ଏକ ଉତ୍ତମ ଛବି ଦେଶବାସୀଙ୍କ ସାମ୍ନାକୁ ଆଣିବା ପାଇଁ ପରିସଂଖ୍ୟାନର ମାନରେ ଉନ୍ନତି ଆଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ନିତି ଆୟୋଗ, ପରିସଂଖ୍ୟାନ ମନ୍ତ୍ରାଳୟ ଏବଂ ଅନ୍ୟ ସରକାରୀ ଏଜେନ୍ସି ଗୁଡ଼ିକ ମଧ୍ୟରେ ଏଥିପାଇଁ ଏକାଧିକ ବୈଠକ ଅନୁଷ୍ଠିତ ହୋଇଛି। ତଥ୍ୟର ମାନକୁ ନେଇ ବୈଠକରେ ପ୍ରଶ୍ନ ଉଠିବା ପରେ ଏଥିରେ ସଂଶୋଧନ ଲାଗି ନିଷ୍ପତ୍ତି ନିଆଯାଇଛି। ଉତ୍ତମ ମାନର ତଥ୍ୟ ସଂଗ୍ରହ ପାଇଁ ସରକାର ବିଶ୍ବବ୍ୟାଙ୍କର ସହାୟତା ମଧ୍ୟ ନେବା ସମ୍ଭାବନା ରହିଛି। ଅନ୍ତର୍ଜାତୀୟ ସ୍ତରରେ ତଥ୍ୟ ସଂଗ୍ରହ ମାନକୁ ଆପଣାଇବା ପାଇଁ ସରକାର ଏଭଳି ଯୋଜନା ରଖିଛନ୍ତି। କେବଳ ସେତିକି ନୁହେଁ, ତଥ୍ୟ ବା ପରିସଂଖ୍ୟାନ ସଂଗ୍ରହରେ ରାଜ୍ୟଗୁଡ଼ିକ ମଧ୍ୟ ଗୁରୁତ୍ବପୂର୍ଣ୍ଣ ସହଯୋଗୀ ଭାବେ କାର୍ଯ୍ୟ କରିବେ। ଏହାର ମୂଳ ଲକ୍ଷ୍ୟ ହେବ ଅର୍ଥନୈତିକ କାର୍ଯ୍ୟକଳାପର ବାସ୍ତବ ଛବି କିଭଳି ଠିକ୍ ଭାବେ ମିଳିବ। ମୁଖ୍ୟତଃ ଅସଂଗଠିତ କ୍ଷେତ୍ର ଏବଂ ନୂଆ ପ୍ରଯୁକ୍ତିକୁ ଉପଯୋଗ କରି ସଦ୍ୟତମ ତଥ୍ୟ କିଭଳି ମିଳିବ ତାହା ଉପରେ ସରକାର ପ୍ରାଧାନ୍ୟ ଦେବେ।

କୃଷି ସାମଗ୍ରୀର ବଜାର ଦର ସଂଗ୍ରହ ହେବ
କୃଷିଜାତ ସାମଗ୍ରୀର ଦର ଜମି ନିକଟରେ ରହୁଥିବା ଦାମ୍‌ (ଫାର୍ମ ଗେଟ୍ ପ୍ରାଇସ୍‌)କୁ ନେଇ ହିସାବ କରାଯାଉଛି। ଏହାକୁ ସରକାରୀ ଅର୍ଥନୀତିଜ୍ଞମାନେ ତ୍ରୁଟିପୂର୍ଣ୍ଣ ବୋଲି କହୁଛନ୍ତି। ଏବେ ଅନଲାଇନରେ ଦର ଉପଲବ୍ଧ ହେଉଥିବାରୁ ମଣ୍ଡିରେ ଥିବା ବିଭିନ୍ନ ସାମଗ୍ରୀର ଦର ମିଳିଯାଇ ପାରିବ। ସେହିଭଳି କୃଷକମାନେ ଚାଷବେଳେ ପାଣି ବାବଦରେ କେତେ ଅର୍ଥ ଖର୍ଚ୍ଚ କରୁଛନ୍ତି ତାହା ଜାଣିବା ପାଇଁ ସରକାର ବଜେଟ୍‌ରେ ହେଉଥିବା ବ୍ୟୟବରାଦକୁ ବିଚାରକୁ ନେଉଛନ୍ତି। କିନ୍ତୁ ଚାଷୀମାନେ ଜମିରେ ପାଣି ମଡ଼ାଇବା ପାଇଁ ବିଜୁଳି ବ୍ୟବହାର ବାବଦରେ କେତେ ଅର୍ଥ ଖର୍ଚ୍ଚ କରୁଛନ୍ତି ତାହା ହିସାବକୁ ନିଆଯାଉନାହିଁ। ସେହିଭଳି ଜମିର ସରକାରୀ ଦର ହିସାବକୁ ନିଆଯାଉଥିବାରୁ ବଜାର ଦରର ପ୍ରତିଫଳନ ହେଉନାହିଁ। ତେଣୁ ଏସବୁରେ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି।

ରଙ୍ଗରାଜନ୍ କମିଟି ସୁପାରିସ କାର୍ଯ୍ୟକାରୀ ହୋଇପାରେ
ଅଟଳ ବିହାରୀ ବାଜ‌ପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ସି. ରଙ୍ଗରାଜନ କମିଟି ଗଠନ ହୋଇଥିଲା। ତେବେ ଏହି କମିଟି ରିପୋର୍ଟକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ପାରିନାହିଁ। ତେଣୁ ପରିସଂଖ୍ୟାନ ସଂଗ୍ରହ କ୍ଷେତ୍ରରେ ଯେଉଁସବୁ ପରିବର୍ତ୍ତନ ‌କରାଯିବା ଯୋଜନା ରହିଛି ସେଥିରେ ରଙ୍ଗରାଜନ୍ କମିଟିର ସୁପାରିସକୁ କାର୍ଯ୍ୟକାରୀ କରାଯିବାର ସମ୍ଭାବନା ଅଧିକ ରହିଛି। ଏପରିକି ଏଥିପାଇଁ ଏକ ଆଇନ ମଧ୍ୟ ପ୍ରଣୟନ ଯୋଜନା ରହିଛି। ଏହି ଆଇନ ପାଇଁ ଚିଠା ପ୍ରସ୍ତାବ ପ୍ରସ୍ତୁତ ହେବା ସହିତ ମତାମତ ପାଇଁ ସାର୍ବଜନୀନ କରାଯାଇଥିବା କୁହାଯାଉଛି।

ସଂଶୋଧିତ ହେବ ସେବା କ୍ଷେତ୍ର ତଥ୍ୟ ସଂଗ୍ରହ
ଦେଶର ମୋଟ ଜିଡିପିରେ ସେବା କ୍ଷେତ୍ରର ଯୋଗଦାନ ୫୦ ପ୍ରତିଶତରୁ ଅଧିକ ରହିଛି। ଏହି କ୍ଷେତ୍ରର ହିସାବକୁ ମୁଖ୍ୟତଃ ସଂଗଠିତ କ୍ଷେତ୍ରର କମ୍ପାନି ଗୁଡ଼ିକକୁ ନେଇ କରାଯାଉଛି। କିନ୍ତୁ ମୋଟ ସେବା କ୍ଷେତ୍ରରେ ସଂଗଠିତ କ୍ଷେତ୍ରର କମ୍ପାନିଙ୍କ ଯୋଗଦାନ ଏକ ଚତୁର୍ଥାଂଶରୁ ସାମାନ୍ୟ ଅଧିକ ରହିଛି। ଦେଶର ୧୧ ଲକ୍ଷ ସକ୍ରିୟ କମ୍ପାନି ଥିବାବେଳେ ଏମାନଙ୍କ ମଧ୍ୟରୁ ୭ ଲକ୍ଷ କମ୍ପାନି ସେବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସେହିଭଳି ପରିବହନ ଏବଂ ରେସ୍ତୋରାଁ କ୍ଷେତ୍ରରେ ମଧ୍ୟ ତଥ୍ୟ ସଂଗ୍ରହ ଆହୁରି ଖରାପ ରହିଥିବା ଜଣାଯାଇଛି। ୧୫ ପ୍ରତିଶତ ସଂସ୍ଥାକୁ ବିଚାରକୁ ନେଇ ଏହି ହୋଟେଲ ଓ ରେସ୍ତୋରାଁ କ୍ଷେତ୍ରର ମୋଟ ଉତ୍ପାଦନ ଆକଳନ କରାଯାଉଛି। ଏହା ପୁଣି କେବଳ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନିଙ୍କୁ ନେଇ କରାଯାଉଛି। ଢାବା ଏବଂ ଛୋଟ ଛୋଟ ଭୋଜନାଳାୟ ଗୁଡ଼ିକରେ କ’ଣ ହେଉଛି ତାହା ଜିଡିପିରେ ପ୍ରତିଫଳିତ ହେଉନାହିଁ। ଚିନି ଉତ୍ପାଦନ ତଥ୍ୟ ପାଇବା ପାଇଁ ଯେଉଁ ତଥ୍ୟ ବ୍ୟବହୃତ ହେଉଛି ତାହା ତିନି ଦଶନ୍ଧି ପୁରୁଣା।

ସମ୍ବନ୍ଧିତ ଖବର