ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଅମଳରେ ଦେଶର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିବା ଅରବିନ୍ଦ ସୁବ୍ରମଣ୍ୟନ୍ ଅର୍ଥନୀତିକୁ ନେଇ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି। ଅର୍ଥନୀତି ଏବେ ଦ୍ବୈତ ବାଲାନ୍ସସିଟ୍ ସଙ୍କଟର ଦ୍ବିତୀୟ ପର୍ଯ୍ୟାୟ ଦେଇ ଗତି କରୁଛି। ଅର୍ଥନୀତିରେ ଏବେ ଯେଉଁ ମାନ୍ଦାବସ୍ଥା ଦେଖାଦେଇଛି ତାହା ସାଧାରଣ ନୁହେଁ ବରଂ ମହା ମାନ୍ଦାବସ୍ଥା। ଅର୍ଥନୀତି ଆଇସିୟୁ ଆଡ଼େ ମୁହାଇଁଛି ବୋଲି ସୁବ୍ରମଣ୍ୟନ୍ କହିଛନ୍ତି। ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ସେଣ୍ଟର ଫର୍ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟର ଏକ ସନ୍ଦର୍ଭରେ ଶ୍ରୀ ସୁବ୍ରମଣ୍ୟନ୍ ଭାରତୀୟ ଅର୍ଥନୀତି ସମ୍ପର୍କରେ ଏଭଳି ଟିପ୍ପଣୀ ଦେଇଛନ୍ତି। ସୁବ୍ରମଣ୍ୟନ୍ ଦେଶର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଥିବାବେଳେ ୨୦୧୪ ଡିସେମ୍ବର ବେଳକୁ ଦ୍ବୈତ ବାଲାନ୍ସସିଟ୍ ସଙ୍କଟ ସମ୍ପର୍କରେ ଉଲ୍ଲେଖ କରିଥିଲେ। ୨୦୦୪ରୁ ୨୦୧୧ ମଧ୍ୟରେ ବ୍ୟାଙ୍କଗୁଡ଼ିକ ଇସ୍ପାତ, ଶକ୍ତି ଏବଂ ଭିତ୍ତିଭୂମି କ୍ଷେତ୍ରର ବଡ଼ ବଡ଼ କମ୍ପାନିକୁ ଦେଇଥିବା ଋଣ ଏନପିଏ ହେବାକୁ ସେ ଦ୍ବୈତ ବାଲାନ୍ସସିଟ୍ ସଙ୍କଟ-୧ର ଆଖ୍ୟା ଦେଇଥିବାବେଳେ ବିମୁଦ୍ରୀକରଣ ପରେ ଦେଖାଦେଇଥିବା ସମସ୍ୟାକୁ ସେ ଦ୍ବୈତ ବାଲାନ୍ସସିଟ୍ ସଙ୍କଟ-୨ ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି, ବିମୁଦ୍ରୀକରଣ ପରେ ବିପୁଳ ପରିମାଣର ଟଙ୍କା ବ୍ୟାଙ୍କରେ ଜମା ହୋଇଥିଲା। ଫଳରେ ବ୍ୟାଙ୍କଗୁଡ଼ିକ ସେହି ଟଙ୍କାକୁ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ପ୍ରତିଷ୍ଠାନ (ଏନବିଏଫସି)ଗୁଡ଼ିକୁ ଦେଲେ। ଏନବିଏଫସି ଗୁଡ଼ିକ ସେହି ଟଙ୍କାକୁ ରିଅଲ ଇଷ୍ଟେଟ କମ୍ପାନି ଗୁଡ଼ିକୁ ଋଣ ଦେଲେ। ୨୦୧୭-୧୮ ସୁଦ୍ଧା ରିଅଲ ଇଷ୍ଟେଟ ଗୁଡ଼ିକ ଉପରେ ପଡ଼ିଥିବା ୫ ଲକ୍ଷ କୋଟି ଟଙ୍କା ମଧ୍ୟରୁ ଏନବିଏଫସି ଗୁଡ଼ିକର ପ୍ରାୟ ଅଧା ଅର୍ଥ ଫସି ରହିଥିଲା। ୨୦୧୮ ସେପ୍ଟେମ୍ବର ୧୮ରେ ସାମ୍ନାକୁ ଆସିଥିବା ଆଇଏଲ ଆଣ୍ଡ ଏଫଏସ ମାମଲା ଏ କ୍ଷେତ୍ରରେ ଭୂକମ୍ପ ଭଳି ଘଟଣା ବୋଲି ସେ କହିଛନ୍ତି। ୨୦୧୯ ଜୁନ୍ ସୁଦ୍ଧା ଦେଶର ୮ଟି ବଡ଼ ସହରରେ ୧୦ ଲକ୍ଷ ୟୁନିଟ୍ ଘର/ଫ୍ଲାଟ୍ ବିକ୍ରି ନହୋଇ ପଡ଼ି ରହିଥିଲା। ଏହାର ମୂଲ୍ୟ ପ୍ରାୟ ୮ ଲକ୍ଷ କୋଟି ଟଙ୍କା ବୋଲି ସେ ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ଅର୍ଥନୀତିରେ ଦେଖାଦେଇଥିବା ସମସ୍ୟା ୧୯୯୧ ମସିହାର ସମସ୍ୟା ଭଳି ବୋଲି ସେ ମତ ଦେଇଛନ୍ତି।
ଆଇସିୟୁରେ ଅର୍ଥନୀତି: ପୂର୍ବତନ ସିଇଏ
/sambad/media/post_attachments/wp-content/uploads/2019/12/arvind_subramanian_660_121418111247_141219020939.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)