ଟ୍ରାକ୍‌କୁ ଫେରୁଛି ଭାରତୀୟ ଅର୍ଥନୀତି: ଏପ୍ରିଲ୍‌-ଜୁନ୍‌ରେ ଜିଡିପି ଅଭିବୃଦ୍ଧି ୧୩.୫%

କୃଷି, ସେବା, ଖଣି କ୍ଷେତ୍ରରେ ଉତ୍ସାହଜନକ ଅଭିବୃଦ୍ଧି

ନୂଆଦିଲ୍ଲୀ: କରୋନା ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଭାରତୀୟ ଅର୍ଥନୀତିରେ ସୁଧାର ଆରମ୍ଭ ହୋଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ (ଏପ୍ରିଲରୁ ଜୁନ୍) ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୧୩.୫ ପ୍ରତିଶତ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ଏହି ସମୟ ମଧ୍ୟରେ ୟୁକ୍ରେନ ଯୁଦ୍ଧ, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଫସଲହାନୀ ଓ ଅଣାୟତ୍ତ ଦରଦାମ ପରିସ୍ଥିତି ସତ୍ତ୍ବେ ଏଭଳି ସଫଳତା ମିଳିଛି। ଏହି ସଫଳତା ପଛରେ କୃଷି, ଖଣି ଓ ସେବା କ୍ଷେତ୍ରର ପ୍ରମୁଖ ଅବଦାନ ରହିଛି। ଘରୋଇ ପୁଞ୍ଜିନିବେଶରେ ବୃଦ୍ଧି ମଧ୍ୟ ଏଭଳି ଅଭିବୃଦ୍ଧିର ଅନ୍ୟତମ କାରଣ।

ପ୍ରଥମ ତ୍ରୈମାସିକରେ ଏହାକୁ ଦ୍ରୁତତମ ବାର୍ଷିକ ଅଭିବୃଦ୍ଧି ହାର ଭାବେ ବିଚାର କରାଯାଉଛି। ଏହାପୂର୍ବ ତିନି ମାସ (ଜାନୁଆରୀରୁ ମାର୍ଚ୍ଚ) ଅଭିବୃଦ୍ଧି ହାର ଥିଲା ମାତ୍ର ୪.୧ ପ୍ରତିଶତ। ଦୁଇ ବର୍ଷ ପୂର୍ବେ ୨୦୨୦ରେ କରୋନା ମହାମାରୀ ବ୍ୟାପିବ‌ା ପରେ ସେହି ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲ୍-ଜୁନ୍‌)ରେ ଅଭିବୃଦ୍ଧି ୨୩.୮ ପ୍ରତିଶତ ହ୍ରାସ ପାଇଥିଲା। କିନ୍ତୁ ବର୍ଷକ ପରେ ୨୦୨୧ ଏପ୍ରିଲ୍-ଜୁନ୍‌ରେ ସେଥିରେ ଦ୍ରୁତ ସୁଧାର ଘଟିଥିଲା ଓ ଅଭିବୃଦ୍ଧି ହାର ୨୦.୧ ପ୍ରତିଶତ ରହିଥିଲା। କିନ୍ତୁ ୨୦୨୨ର ଜାନୁଆରି-ମାର୍ଚ୍ଚ ତ୍ରୈମାସିକ ସୁଦ୍ଧା ଅଭିବୃଦ୍ଧି ହାର ୪.୧ ପ୍ରତିଶତକୁ ଖସିଆସିଥିଲା। ସେହି ତୁଳନାରେ ଏପ୍ରିଲ୍‌-ଜୁନ୍‌ର ୧୩.୫ ପ୍ରତିଶତ ଅଭିବୃଦ୍ଧି ନିଶ୍ଚିତ ରୂପେ ଉତ୍ସାହଜନକ। ଏହି ତିନି ମାସରେ ଚୀନ୍‌ର ଅଭିବୃଦ୍ଧି ଭାରତଠାରୁ ବହୁତ କମ୍‌ ଅର୍ଥାତ ମାତ୍ର ୦.୪% ରହିଛି। ୨୦୧୧-୧୨ ମୂଲ୍ୟ ଅନୁସାରେ ଦେଶର ମୋଟ ଜିଡିପି ପରିମାଣ ୩୬.୮୫ ଲକ୍ଷ କୋଟି ଟଙ୍କା ହୋଇଛି ଯାହା

ପୂର୍ବବର୍ଷ ଏହି ସମୟରେ ୩୨.୪୬ ଲକ୍ଷ କୋଟି ଟଙ୍କା ଥିଲା। ଏହି ମୂଲ୍ୟରେ ୧୩.୫ ପ୍ରତିଶତ ବୃଦ୍ଧି ହୋଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ, ପେଟ୍ରୋଲ ଓ ଡିଜେଲ୍ ଉପରୁ କେନ୍ଦ୍ର ସରକାର ଟିକସ ହ୍ରାସ କରାଯିବା ଦ୍ବାରା ଦରଦାମ୍ ସ୍ଥିତି‌ ନିୟନ୍ତ୍ରଣକୁ ଆସିଥିଲା। ଏହା ଫଳରେ ବିଭିନ୍ନ ସାମଗ୍ରୀ ଓ ସେବାର ଚାହିଦା ବଢ଼ିଥିଲା। ସେଥିପାଇଁ ଅର୍ଥନୈତିକ କାର୍ଯ୍ୟକଳାପ ତ୍ବରାନ୍ବିତ ହୋଇଥିଲା। ତେବେ ଦରଦାମ୍ ସ୍ଥିତି ଏବେବି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ। ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି ଏବଂ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଯୋଗାଣ ଶୃଙ୍ଖଳରେ ବିଭ୍ରାଟ ଭଳି ସମସ୍ୟା ଏବେବି ଜାରି ରହିଛି। ଅର୍ଥନୀତିରେ ହେଉଥିବା ସୁଧାରକୁ ଏହା ପ୍ରଭାବିତ କରିବାର ଆଶଙ୍କା ରହିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତୈମାସିକରେ ଭାରତର ଅଭିବୃଦ୍ଧି ୧୩ ପ୍ରତିଶତ ରହିବ ବୋଲି ରେଟିଂ ଏଜେନ୍ସି ଇକ୍ରା ଆକଳନ କରିଥିଲା। ସେହିପରି ଷ୍ଟେଟ୍‌ ବ୍ୟାଙ୍କର ଆକଳନ ୧୫.୭%, ରଏଟରର ଅର୍ଥନୀତିଜ୍ଞଙ୍କ ମତଦାନ ଆକଳନ ୧୫.୨ ପ୍ରତିଶତ, ବ୍ଲୁମ୍‌ବର୍ଗର ସର୍ବେକ୍ଷଣରେ ୧୫.୩ ପ୍ରତିଶତ ଅଭିବୃଦ୍ଧି ହେବ ବୋଲି ଆକଳନ କରାଯାଇଥିଲା। ସେହିଭଳି ଭାରତୀୟ ରିଜର୍ଭ ବ୍ୟାଙ୍କ ୧୬.୨ ପ୍ରତିଶତ ବୃଦ୍ଧି ଆକଳନ କରିଥିଲା। ଇକ୍ରାକୁ ବାଦ ଦେଲେ ଅନ୍ୟମାନଙ୍କ ଆକଳନ ଭୁଲ ପ୍ରମାଣିତ ହୋଇଛି।

ସମ୍ବନ୍ଧିତ ଖବର