ଆଶାଠାରୁ ଅଧିକ ବେଗରେ ସୁଧୁରୁଛି ଭାରତୀୟ ଅର୍ଥନୀତି

ବିଦେଶୀ ମୁଦ୍ରା ଭଣ୍ଡାର ୫୬୮ ବିଲିଅନ ଡଲାର ଟପିଲା

ନୂଆଦିଲ୍ଲୀ : ଭାରତୀୟ ଅର୍ଥନୀତି ଆଶାଠାରୁ ଅଧିକ ବେଗରେ ସୁଧୁରୁଛି। ଫଳରେ ରିଜର୍ଭ ବ୍ୟାଙ୍କର ସୁଧ କୋହଳ ନୀତିରେ ପୂର୍ଣ୍ଣଛେଦ ପଡ଼ିବା ସମ୍ଭାବନା ରହିଛି। ଏହା କହିଛି ଅନ୍ତର୍ଜାତୀୟ ସ୍ତରର ଆକଳନ ସଂସ୍ଥା ଅକ୍ସଫୋର୍ଡ ଇକୋନୋମିକ୍ସ। ତେବେ ମୁଦ୍ରାସ୍ଫୀତି ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ୬ ପ୍ରତିଶତରୁ ଅଧିକ ରହିପାରେ। କିନ୍ତୁ ରିଜର୍ଭ ବ୍ୟାଙ୍କ ଆସନ୍ତା ଡିସେମ୍ବରର ମୁଦ୍ରାନୀତି ସମୀକ୍ଷା ବେଳେ ସୁଧ ହାରକୁ ସ୍ଥିର ରଖିପାରେ ବୋଲି ଏହି ସଂସ୍ଥା କହିଛି। ପୂର୍ବରୁ ମୁଡିସ୍‌ ମଧ୍ୟ ଭାରତର ଅର୍ଥନୀତି ପୂର୍ବାପେକ୍ଷା କମ୍ ସଂକୁଚିତ ହେବ ବୋଲି କହିଛି। କରୋନା ମହାମାରୀ ପାଇଁ ଦେଶରେ ଲକଡାଉନ୍ ଓ ସଟଡାଉନ୍ ଆଦି କାର୍ଯ୍ୟକାରୀ ହେବା ଫଳରେ ଅର୍ଥନୀତି ଗୁରୁତର ସଂକୁଚିତ ହୋଇଥିଲା। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଅଭିବୃଦ୍ଧି ପାଖାପାଖି ୨୪ ପ୍ରତିଶତ ତଳକୁ ଖସିଯାଇଥିଲା।

ବିଦେଶୀ ମୁଦ୍ରା ଭଣ୍ଡାର ୫୬୮ ବିଲିଅନ ଡଲାର ଟପିଲା
ମୁମ୍ବାଇ : କରୋନା ମହାମାରୀ ଭିତରେ କିନ୍ତୁ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇବାରେ ଲାଗିଛି। ନଭେମ୍ବର ୬ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ୭.୭୭୯ ବିଲିଅନ ଡଲାର ବୃଦ୍ଧି ଘଟି ୫୬୮.୪୯୪ ବିଲିଅନ ଡଲାରରେ ପହଞ୍ଚିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ସୂଚନାରୁ ଏହା ଜଣାଯାଇଛି। ଏହା ପୂର୍ବ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ୫୬୦.୭୧୫ ବିଲିଅନ ଡଲାର ରହିଥିଲା।

ସମ୍ବନ୍ଧିତ ଖବର