ଚଳିତ ବର୍ଷ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ୧୦.୩% କମିବ : ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ବିଶ୍ୱ ଅର୍ଥନୀତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ବିଶ୍ୱର କୌଣସି ଦେଶ ଏହାର ପ୍ରଭାବରୁ ମୁକ୍ତ ହୋଇପାରିନାହାନ୍ତି । ଫଳରେ ସମଗ୍ର ବିଶ୍ୱ ଅର୍ଥନୀତି ଏକ ଗଭୀର ମାନ୍ଦାବସ୍ଥାରେ ପ୍ରବେଶ କରିଛି ।  ୨୦୨୦ରେ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ୪.୪ ପ୍ରତିଶତ ହ୍ରାସ ପାଇବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ପୂର୍ବାନୁମାନ କରିଛି ।

ଭାରତ ସମ୍ପର୍କରେ ଆଇଏମଏଫ୍‌ କହିଛି ଯେ ଚଳିତ ବର୍ଷ ଏହାର ଜିଡିପି ଅଭିବୃଦ୍ଧି ୧୦.୩ ପ୍ରତିଶତ କମିବ । କିନ୍ତୁ ଆସନ୍ତା ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ଅଭିବୃଦ୍ଧି ପଥକୁ ଫେରିବ ଓ ଜିଡିପି ଅଭିବୃଦ୍ଧି ୮.୮ ପ୍ରତିଶତ ରହିବ । ଏହା ଫଳରେ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥନୀତିରେ ପରିଣତ ହେବ  । ସେହିପରି ବିଶ୍ୱ ଅର୍ଥନୀତି ମଧ୍ୟ ଆସନ୍ତା ଆର୍ଥିକ ବର୍ଷରେ ୫.୨ ପ୍ରତିଶତ ହାରରେ ଅଭିବୃଦ୍ଧି ଲାଭ କରିବ ।

ଗତ ସପ୍ତାହରେ ପ୍ରକାଶିତ ବିଶ୍ୱବ୍ୟାଙ୍କ ରିପୋର୍ଟରେ କୁହାଯାଇଥିଲା ଯେ ଚଳିତ ଆର୍ଥିକ ବର୍ଷ (୨୦୨୦-୨୧)ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୯.୬ ପ୍ରତିଶତ ହ୍ରାସ ପାଇବ । କିନ୍ତୁ ୨୦୨୧-୨୨ରେ ଭାରତୀୟ ଅର୍ଥନୀତି ପୁଣି ଥରେ ଅଭିବୃଦ୍ଧି ପଥକୁ ଫେରିବ ଓ ୫.୪ ପ୍ରତିଶତ ଜିଡିପି ଅଭିବୃଦ୍ଧି ହାସଲ କରିବ ।

ଚଳିତ ଆର୍ଥିକ ବର୍ଷରେ ଭାରତର ଡିଜିପି ଅଭିବୃଦ୍ଧି ଚିନ୍ତାଜନକ ଭାବେ ହ୍ରାସ ପାଇବ ବୋଲି ପୂର୍ବରୁ ମଧ୍ୟ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ରେଟିଂ ସଂସ୍ଥା ପୂର୍ବାନୁମାନ କରିଥିଲେ ।

ସମ୍ବନ୍ଧିତ ଖବର