ଚଳିତ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୧୧.୮ % ହ୍ରାସ ପାଇବ : ଇଣ୍ଡିଆ ରେଟିଂସ

ନୂଆଦିଲ୍ଲୀ : କରୋନା ମହାମାରୀ ପ୍ରଭାବରେ ଭାରତୀୟ ଅର୍ଥନୀତି ଏକ ସଂକଟଜନକ ସମୟ ଦେଇ ଗତି କରୁଛି । ଚଳିତ ଆର୍ଥିକ ବର୍ଷରେ ଦେଶର ଡିଜିପି ଅଭିବୃଦ୍ଧି ଚିନ୍ତାଜନକ ଭାବେ ହ୍ରାସ ପାଇବ ବୋଲି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ରେଟିଂ ସଂସ୍ଥା ପୂର୍ବାନୁମାନ କରୁଛନ୍ତି ।

ଇଣ୍ଡିଆ ରେଟିଂସ (ଇଣ୍ଡ-ରା) ପକ୍ଷରୁ ଆଜି ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୦-୨୧ରେ ଭାରତୀୟ ଅର୍ଥନୀତି ୧୧.୮ ପ୍ରତିଶତ ହ୍ରାସ ପାଇବ । ଏପରି ହେଲେ ଏହା ଇତିହାସରେ ସବୁଠାରୁ ଅଧିକ ଜିଡିପି ହ୍ରାସ ହେବ ବୋଲି କୁହାଯାଉଛି । ତେବେ ୨୦୨୧-୨୨ରେ ସ୍ଥିତିରେ ଦ୍ରୁତ ସୁଧାର ଆସିବ । ଫଳରେ ଅର୍ଥନୀତି ୯ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ ବୋଲି ଏହି ରିପୋର୍ଟରେ ଆଶା ସଂଚାର କରାଯାଇଛି ।

ଆଜି ମଧ୍ୟ ଅନ୍ତର୍ଜାତୀୟ କ୍ରେଡିଟ ରେଟିଂ ସଂସ୍ଥା ଫିଚ ପକ୍ଷରୁ ପ୍ରକାଶିତ ବିଶ୍ୱ ଅର୍ଥନୈତିକ ପ୍ରେକ୍ଷାପଟ୍ଟ ରିପୋର୍ଟରେ କୁହାଯାଇଥିଲା ଯେ ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ୧୦.୫ ପ୍ରତିଶତ ହ୍ରାସ ପାଇବ । କେବଳ ଏତିକି ନୁହେଁ, କରୋନା ପ୍ରଭାବରେ ସାରା ବିଶ୍ୱର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି । ଫଳରେ ୨୦୨୦ରେ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ୪.୪ ପ୍ରତିଶତ କମିବ । କିନ୍ତୁ ସମଗ୍ର ବିଶ୍ୱକୁ କରୋନା ଦେଇଥିବା ଚୀନର ଅର୍ଥନୀତି ୨.୭ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ।

ଅନ୍ୟପକ୍ଷରେ ଗୋଲଡ ମ୍ୟାନ ସ୍ୟାକ୍ସର ରିପୋର୍ଟ ଅନୁସାରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ୧୪.୫ ପ୍ରତିଶତ କମିବ ।

ସମ୍ବନ୍ଧିତ ଖବର