କରୋନା ସ‌ତ୍ତ୍ବେ ଭାରତରେ ପାରିବାରିକ ସମ୍ପତ୍ତି ବଢ଼ିଛି

ନୂଆଦିଲ୍ଲୀ: କରୋନାରେ ବିଶ୍ବରେ ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି। ଅର୍ଥନୀତିକୁ କରୋନା ମହାମାରୀ ଛାରଖାର ‌କରିଦେଇଛି। ନିଯୁକ୍ତି ଠାରୁ ଆରମ୍ଭ କରି ବ୍ୟକ୍ତିଗତ ରୋଜଗାର ଉପରେ ଏହାର ବଡ଼ ଧରଣର ପ୍ରତିକୂଳ ପ୍ରଭାବ ପଡ଼ିଛି। ଏଥିଯୋଗୁ ପାରିବାରିକ ସମ୍ପତ୍ତି ପ୍ରାୟତଃ ବିଶ୍ବରେ ସ୍ଥିର ରହିଛି। ‌କିନ୍ତୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା କେବଳ ଚୀନ ଓ ଭାର‌ତରେ ଏହା ବୃଦ୍ଧି ପାଇଛି। ଚୀନରେ ପାରିବାରିକ ସଂପତ୍ତି ୪.୪ ପ୍ରତିଶତ ବଢ଼ିଥିବାବେଳେ ଭାରତରେ ୧.୬ ପ୍ରତିଶତ ବଢ଼ିଛି। ଅନ୍ୟପକ୍ଷରେ ଲାଟିନ ଆମେରିକାରେ ସର୍ବାଧିକ ୧୩ ପ୍ରତିଶତ ହ୍ରାସ ଘଟିଛି। ସୁଇଜରଲାଣ୍ଡର କ୍ରେଡିଟ ସୁଇସ୍ ପକ୍ଷରୁ ଏଭଳି ରିପୋର୍ଟ ଗୁରୁବାର ପ୍ରକାଶ କରାଯାଇଛି। ବିଶ୍ବରେ ଧନୀ ବ୍ୟକ୍ତି ବା ମିଲିୟନାଏରଙ୍କ ସଂଖ୍ୟା ଗତବର୍ଷ ୫୧.୯ ନିୟୁତକୁ ବୃଦ୍ଧି ପାଇଥିଲା। ଚଳିତବର୍ଷ ଏହି ସଂଖ୍ୟା ସ୍ଥିର ରହିଛି। ସେହିଭଳି ଅତି ଧନି ବ୍ୟକ୍ତି (ଯେଉଁମାନଙ୍କ ସଂପତ୍ତି ୫୦ ନିୟୁତ ଡଲାରରୁ ଅଧିକ)ଙ୍କ ସଂଖ୍ୟାରୁ ୧୨୦ ଜଣ ବାଦ୍ ପଡ଼ିଛନ୍ତି।

ସେମାନଙ୍କ ସଂଖ୍ୟା ୧,୭୫,୫୭୦ ରହିଛି। ବିଶ୍ବର ଶୀର୍ଷ ୧ ପ୍ରତିଶତ ଧନୀଙ୍କ ମଧ୍ୟରୁ ଅଧିକାଂଶ ଆମେରିକାରେ ରୁହନ୍ତି। ସେହିଭଳି ମିଲିୟନାଏରଙ୍କ ମଧ୍ୟରୁ ପ୍ରାୟ ୩୯ ପ୍ରତିଶତ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ବାସ କରନ୍ତି। ତେବେ ଆମେରିକାରେ ଆର୍ଥିକ ବୈଷମ୍ୟ ହ୍ରାସ ପାଇଛି ବୋଲି ରିପୋର୍ଟରେ କୁହାଯାଇଛି। ବିଶ୍ବର ଶୀର୍ଷ ୧ ପ୍ରତିଶତ ଧନୀ ( ୧ ନିୟୁତ ଡଲାରରୁ ଅଧିକ ସଂପତ୍ତି ଥିବା ବ୍ୟକ୍ତି)ଙ୍କ ନିକଟରେ ବିଶ୍ବର ୪୩ ପ୍ରତିଶତ ସଂପତ୍ତି ରହିଛି। ତେବେ ବିଶ୍ବରେ ପ୍ରାୟ ୨୮୦ କୋଟି ସାବାଳକଙ୍କ ପାଖରେ ୧୦ ହଜାର ଡଲାରରୁ କମ୍ ସଂପତ୍ତି ରହିଛି। ଅର୍ଥାତ୍ ସାମଗ୍ରିକଭାବେ ଏମାନଙ୍କ ନିକଟରେ ବିଶ୍ବ ସଂପତ୍ତିର ମାତ୍ର ୧.୪ ପ୍ରତିଶତ ସଂପତ୍ତି ରହିଛି ବୋଲି କ୍ରେଡିଟ୍ ସୁଇସ ରିପୋର୍ଟରେ କୁହାଯାଇଛି। ବିଶ୍ବ ଅର୍ଥନୀତି ଉପରେ କରୋନାର ଯେଉଁ ପ୍ରତିକୂଳ ପ୍ରଭାବ ପଡ଼ିଛି ସେଭଳି ସ୍ଥଳେ ବିଶ୍ବରେ ପାରିବାରିକ ସଂପତ୍ତି ଅକ୍ଷୁଣ୍ଣ ରହିବା ଉଲ୍ଲେଖନୀୟ ବୋଲି ଏହି ରିପୋର୍ଟର ଅନ୍ୟତମ ଲେଖକ ଆନ୍ଥୋନୀ ସରକ୍ସ କହିଛନ୍ତି। ଅର୍ଥନୀତିରେ ସୁଧାର ଆସିଲେ ବିଶ୍ବ ସମ୍ପତ୍ତିରେ ଆସନ୍ତାବର୍ଷ ବୃଦ୍ଧି ଘଟିବ। କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ-୧୯ର ଅତ୍ୟଧିକ ପ୍ରଭାବ ପଡ଼ିଥିବାରୁ ଉତ୍ତର ଆମେରିକାର ସ୍ଥିତିରେ ଉନ୍ନତି ହେବନାହିଁ।

ସମ୍ବନ୍ଧିତ ଖବର