ଏଣିକି ଭାରତୀୟ ପାଦ ମାପର ଜୋତା ଆସିବ

ନୂଆଦିଲ୍ଲୀ: ବିଦେଶୀଙ୍କ ପାଦ ମାପର ଜୋତା ବ୍ୟାପକ ଭାବେ ବିକ୍ରି ହେଉଛି। ଭାରତୀୟମାନଙ୍କ ପାଦ ମାପର ଜୋତା ଉପଲବ୍ଧ ହେଉନଥିବାରୁ ବିଦେଶୀ ମାପ ଉପରେ ନିର୍ଭରଶୀଳ ରହିବାକୁ ପଡ଼ୁଛି। ତେବେ ଖୁବ୍‌ଶୀଘ୍ର ଭାରତୀୟ ପାଦ ମାପର ଜୋତା ଆସିବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ସେହି ମାପକୁ ବିଶ୍ବବ୍ୟାପୀ କାର୍ଯ୍ୟକାରୀ କରାଯିବ। ଫଳରେ ଭାରତୀୟ ମାପକୁ ବିଦେଶରେ ମଧ୍ୟ ଲୋକମାନେ ସହଜରେ ଚୟନ କରିପାରିବେ। ଗତ ଜୁନ୍‌ରେ ଗୋୟଲ କହିଥିଲେ ଯେ ଭାରତୀୟମାନଙ୍କ ଶରୀର ଗଠନଶୈଳୀ ଆଧାରରେ ଭାରତୀୟ ମାପର ପୋଷାକ ବିକାଶ କରାଯିବ। ଜାତୀୟ ସ୍ତରୀୟ ସର୍ବେକ୍ଷଣ ଜରିଆରେ ମାପ ନିର୍ଧାରଣ କରାଯିବ। ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍‌ ଅଫ୍ ଫେସନ୍ ଡିଜାଇନିଂ ସବୁ ରାଜ୍ୟରେ ସେହି ସର୍ବେକ୍ଷଣ କରିଛନ୍ତି। ଭାରତୀୟ ମାପକୁ ଚୂଡ଼ାନ୍ତ କରାଯାଉଛି ବୋଲି ସେ କହିଥିଲେ।

ଶ୍ରୀ ଗୋୟଲ କହିଛନ୍ତି ଯେ ବିଦେଶୀ ମୁଦ୍ରା ଅର୍ଜନ ଓ ନିଯୁକ୍ତି ସୃଷ୍ଟିରେ ଚମଡ଼ା ଓ ଜୋତା ଶିଳ୍ପର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହି ଶିଳ୍ପରେ ୪୫ ଲକ୍ଷ ଲୋକ କାମ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ହେଉଛନ୍ତି ମହିଳା। ବିଶ୍ବର ସର୍ବବୃହତ ଓ ଶ୍ରେଷ୍ଠ ଜୋତା ନିର୍ମାତା ହେବାର ସବୁ ଗୁଣ ଭାରତ ପାଖରେ ରହିଛି ବୋଲି ସେ କହିଛନ୍ତି। ୟୁଏଇ ଓ ଅଷ୍ଟ୍ରେଲିଆ ସହ ସ୍ବାକ୍ଷର ହୋଇଥିବା ମୁକ୍ତ ବାଣିଜ୍ୟ ରାଜିନାମା ଦ୍ବାରା ଜୋତା ଶିଳ୍ପ ବିଶେଷ ଭାବେ ଉପକୃତ ହୋଇପାରିବ ବୋଲି ସେ କହିଛନ୍ତି। ବ୍ରିଟେନ୍‌ ସହ ଆଲୋଚନା ଜାରି ରହିଥିବା ବେଳେ କାନାଡ଼ା ଓ ୟୁରୋପୀୟ ସଂଘ ସହ ମଧ୍ୟ ଆଲୋଚନା ହେଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର