ଚୀନ ଯିବ ଭାରତ ଅଙ୍ଗୁର

ବେଜିଂ: ଚୀନ୍‌ରେ ଏକ ବଡ଼ ଫଳ ବଜାର ରହିଛି। ବିଶେଷକରି ଅଙ୍ଗୁରର ଚାହିଦା ଅଧିକ। ଭାରତ ଚୀନ ବଜାରକୁ ୨୦୧୬ରେ ୩.୫ ନିୟୁତ ଡଲାର ଅଙ୍ଗୁର ରପ୍ତାନି କରିଥିବାବେଳେ ୨୦୧୭ରେ ଏହା ୬.୭ ନିୟୁତ ଡଲାରକୁ ବୃଦ୍ଧି ପାଇଛି। ଚୀନ ବର୍ଷକୁ ପ୍ରାୟ ୬୩୦ ନିୟୁତ ଡଲାରର ଅଙ୍ଗୁର ରପ୍ତାନି କରିଥାଏ। ତେଣୁ ଚୀନକୁ ଭାରତ ରପ୍ତାନି କରୁଥିବା ଅଙ୍ଗୁରର ପରିମାଣ ମାତ୍ର ୧% ହୋଇଥିବାବେଳେ ଭାରତ ମୋଟ ରପ୍ତାନି କରୁଥିବା ମୋଟ ୩୦୦ ନିୟୁତ ଡଲାରର ମାତ୍ର ୨%।
ତେଣୁ ଭାରତ ଏବେ ଚୀନର ଅଙ୍ଗୁର ବଜାର ଉପରେ ନଜର ପକାଇଛି। ନୂଆଦିଲ୍ଲୀର ଉଦ୍ୟମ କ୍ରମରେ ଚୀନର ଏକ ଆମଦାନିକାରୀ ଦଳ ଭାରତ ଗସ୍ତରେ ଯାଉଛନ୍ତି। ବେଜିଂସ୍ଥିତ ଭାରତର ଦୂତାବାସ ସହିତ ଗୁଆଙ୍ଗଝୁ ଏବଂ ସାଂଘାଇଠାରେ ଥିବା ବାଣିଜ୍ୟିକ ଦୂତାବାସ ପକ୍ଷରୁ ଚୀନରେ ଭାରତୀୟ ଅଙ୍ଗରର ବିକ୍ରିକୁ ପ୍ରୋତ୍ସାହନ ଦେବା ଲାଗି ପ୍ରଚେଷ୍ଟା କରାଯାଉଛି। ଏଥିପାଇଁ ମୁମ୍ବାଇଠାରେ ଭାରତର ବାଣିଜ୍ୟ ମନ୍ତ୍ରାଳୟ ଅଧୀନରେ ଥିବା ଏପେଡା (କୃଷିଜାତ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ରପ୍ତାନି ବିକାଶ କର୍ତ୍ତୃପକ୍ଷ) ପକ୍ଷରୁ ଏକ କ୍ରେତା-ବିକ୍ରେତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରେତା ବିକ୍ରେତା ସମ୍ମିଳନୀରେ ୧୦୦ରୁ ଅଧିକ ଅଙ୍ଗୁର ରପ୍ତାନିକାରୀ ଏବଂ ଚୀନର ପ୍ରାୟ ୨୩ ଜଣ ଆମଦାନିକାରୀ ଯୋଗଦେଇଥିଲେ। ଚୀନର ଆମଦାନିକାରୀମାନଙ୍କୁ ନାସିକ ବୁଲାଇ ନିଆଯିବା କାର୍ଯ୍ୟକ୍ରମ ମଧ୍ୟ ଏପେଡରା ରହିଛି। ଉଲ୍ଲେଖଯୋଗ୍ୟ ଯେ, ନାସିକ ଦେଶର ଅଙ୍ଗୁର ରାଜଧାନୀ ଭାବେ ଜଣାଶୁଣା। ଦେଶର ମୋଟ ଅଙ୍ଗୁର ଉତ୍ପାଦନ ଅଧା ଅଙ୍ଗୁର ନାସିକରୁ ହିଁ ହୋଇଥାଏ।

ସମ୍ବନ୍ଧିତ ଖବର