ନୂଆଦିଲ୍ଲୀ: ଭାରତୀୟ ଗୃହିଣୀଙ୍କ ସୁନା ପ୍ରତି ରୁଚି କାହାକୁ ଅଛପା ନାହିଁ। ଏକାଥରେ ଏକ ବଡ଼ ହାର ହେଉ କିମ୍ବା ଛୋଟ ମୁଦିଟିଏ, ସେମାନେ ନିୟମିତ ବ୍ୟବଧାନରେ କିଛି ନା କିଛି ସୁନା ଅଳଙ୍କାର କିଣିବାକୁ ପଛାନ୍ତି ନାହିଁ। ଗୃହିଣୀମାନଙ୍କ ସେହି ପାରମ୍ପରିକ ଅଭ୍ୟାସ ଭାରତୀୟ ପରିବାରଗୁଡ଼ିକ ପାଖରେ ୩୦ ହଜାର ଟନ୍‌ରୁ ଅଧିକ ସୁନା ପହଞ୍ଚାଇଛି। ଏକ ହିସାବରୁ ଜଣାପଡ଼ିଛି ଯେ ଗୃହିଣୀମାନଙ୍କ ପାଖରେ ଥିବା ସୁନାର ମୂଲ୍ୟ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ଠାରୁ ଅଧିକ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ତଥ୍ୟ ଅନୁସାରେ ଭାରତୀୟ ଜିଡିପି ପରିମାଣ ୪.୧୨୫ ଟ୍ରିଲିୟନ ଡଲାର ରହିଛି। କିନ୍ତୁ ଗୃହିଣୀମାନଙ୍କ ପାଖରେ ଥିବା ସୁନାର ମୂଲ୍ୟ ତାଠାରୁ ଯଥେଷ୍ଟ ଅଧିକ ୫ ଟ୍ରିଲିୟନ ଡଲାରରେ ପହଞ୍ଚିଛି।

Advertisment

ଗତବର୍ଷ ଅକ୍ଟୋବରରେ ମର୍ଗାନ ଷ୍ଟାନ୍‌ଲି ପକ୍ଷରୁ ଆକଳନ କରାଯାଇଥିଲା ଯେ ଭାରତୀୟ ପରିବାରଗୁଡ଼ିକ ପାଖରେ ୩୪,୬୦୦ ଟନ୍‌ରୁ ଅଧିକ ସୁନା ରହିଛି। ବିଶ୍ବର ଅନ୍ୟ କୌଣସି ଦେଶରେ ଏତେ ପରିମାଣର ସୁନା ଲୋକଙ୍କ ପାଖରେ ନାହିଁ। ସୁନା ଦରରେ ଘଟିଥିବା ବୃଦ୍ଧି ପ୍ରଭାବରେ ଲୋକଙ୍କ ପାଖରେ ଥିବା ସୁନାର ମୂଲ୍ୟ ବଢ଼ିଛି। କେବଳ ୨୦୨୫ରେ ସୁନା ଦର ୬୫ ପ୍ରତିଶତ ବଢ଼ିଥିଲା। ୨୦୨୬ରେ ମଧ୍ୟ ସେହି ଧାରା ଅବ୍ୟାହତ ରହିଛି।

ଭାରତରେ କେବଳ ସାଧାରଣ ଜନତା ନୁହେଁ, ଭାରତୀୟ ରିଜର୍ଭ ବ୍ୟାଙ୍କ ବି ବିପୁଳ ପରିମାଣର ସୁନା କିଣୁଛି। ବର୍ତ୍ତମାନ ଏହାର ଭଣ୍ଡାରରେ ୮୮୦.୧୭ ଟନ୍‌ ସୁନା ରହିଛି। ଗତ ୧୦ ବର୍ଷରେ ରିଜର୍ଭ ବ୍ୟାଙ୍କ ପାଖରେ ଥିବା ସୁନା ପରିମାଣ ୫୭.୮୧ ପ୍ରତିଶତ ବଢ଼ିଛି। ପୂର୍ବରୁ ଦେଶର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରରେ ସୁନାର ଭାଗ ୬-୭ ପ୍ରତିଶତ ସ୍ତରରେ ରହୁଥିଲା। ଏବେ ‌ସେହି ହାର ୧୭ ପ୍ରତିଶତ ରହିଛି। ବିଶ୍ବ ସୁନା ପରିଷଦ ସୂଚନା ଅନୁସାରେ ଆମେରିକା ପାଖରେ ସର୍ବାଧିକ ୮୦୦୦ ଟନ୍‌ରୁ ଅଧିକ ସୁନା ରହିଛି। ଏହାର ବହୁ ପଛରେ ଦ୍ବିତୀୟ ସ୍ଥାନରେ ଥିବା ଜର୍ମାନୀ ପାଖରେ ୩୦୦୦ ଟନ୍‌ ପାଖାପାଖି ସୁନା ରହିଛି। ଜର୍ମାନୀ ପଛକୁ କ୍ରମାନ୍ବୟରେ ଇଟାଲୀ, ଫ୍ରାନ୍ସ, ରୁଷ, ଚୀନ, ସ୍ବିଜରଲ୍ୟାଣ୍ଡ, ଭାରତ, ଜାପାନ ଓ ନେଦରଲ୍ୟାଣ୍ଡ୍‌ସ ରହିଛନ୍ତି।

ଆହୁରି ପଢ଼ନ୍ତୁ: Cricket: ସେଫର୍ଟ-ଆଲେନ୍‌ଙ୍କ ରେକର୍ଡ ଭାଗୀଦାର, ନ୍ୟୁଜିଲାଣ୍ଡର ଲଗାତାର ବିଜୟ

ମିରାଏ ଆସେଟ୍‌ସ ସେୟାରଖାନର କମୋଡିଟି ମୁଖ୍ୟ ପ୍ରବୀଣ ସିଂହ କହିଛନ୍ତି ଯେ ସୁନା ଦରବୃଦ୍ଧି ପଛରେ ଅନେକ କାରଣ ରହିଛି। ସରକାରୀ ବଣ୍ଡ୍‌ର ଚମକ ଫିକା ପଡ଼ିବା; ଆମେରିକା, ଜାପାନ ଓ ବ୍ରିଟେନ୍‌ରେ ଆର୍ଥିକ ସମସ୍ୟା, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନିଶ୍ଚିତ ଶୁଳ୍କ ନୀତି, କେତେକ ଦେଶରେ ଉଚ୍ଚ ମୁଦ୍ରାସ୍ଫୀତି ହାର, ଦୁର୍ବଳ ଡଲାର ଆଦି ପାଇଁ ସୁନା ମହଙ୍ଗା ହେଉଥିବା ସେ କହିଛନ୍ତି। ଯେଉଁଭଳି ଭାବେ ସୁନାର ଗୁରୁତ୍ବ ବଢ଼ୁଛି ଆଗାମୀ ଦିନରେ ତାହା ବିଶ୍ବ ବାଣିଜ୍ୟ ଓ ଅର୍ଥନୈତିକ ନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।