ନୂଆଦିଲ୍ଲୀ : ଗାଡ଼ିକୁ ନେଇ ଲୋକମାନଙ୍କ ପସନ୍ଦ ବଦଳିବାରେ ଲାଗିଛି। ଦେଶରେ ବିକ୍ରି ହେଉଥିବା ଗାଡ଼ି ତଥ୍ୟରୁ ସେଭଳି ସଙ୍କେତ ମିଳିଛି। ବହୁ ବର୍ଷ ପର୍ଯ୍ୟନ୍ତ ଛୋଟ ଗାଡ଼ିକୁ ପସନ୍ଦ କରୁଥିବା ଦେଶବାସୀ ଏବେ ବଡ଼ ଗାଡ଼ି ପ୍ରେମରେ ପଡ଼ିଛନ୍ତି। ବିଶେଷ କରି ଏସ୍ୟୁଭିକୁ ସେମାନେ ଅଧିକ ପସନ୍ଦ କରୁଥିବା ମନେ ହେଉଛନ୍ତି। ଗ୍ରାହକମାନଙ୍କ ମାନସିକତାରେ ହୋଇଥିବା ପରିବର୍ତ୍ତନକୁ ଗାଡ଼ି କଂପାନିଗୁଡ଼ିକ ମଧ୍ୟ ଭଲ ଭାବେ ବୁଝିପାରିଛନ୍ତି। ସେଥିପାଇଁ ଗତ ୫ ବର୍ଷ ଭିତରେ ୩୬ଟି ଏସ୍ୟୁଭି ମଡେଲ୍ର ବଜାର ପ୍ରବେଶ କରାଯାଇଛି। ଲୋକମାନେ ଏଭଳି ବଡ଼ ଗାଡ଼ିକୁ ଏତେ ପସନ୍ଦ କରୁଛନ୍ତି ଯେ ତାହାକୁ ପାଇବା ଲାଗି ଦୁଇ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ମଧ୍ୟ ପଛାଉ ନାହାନ୍ତି।
ଗ୍ରାହକମାନେ ଏବେ ଟପ୍-ଏଣ୍ଡ୍ ମଡେଲ୍ ଓ ସନ୍ରୁଫ୍ ଭଳି ସୁବିଧା ଥିବା ଗାଡ଼ି କିଣିବା ଲାଗି ଅଧିକ ବ୍ୟୟ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। ଭାରତରେ ମୁଖ୍ୟତଃ ହାଚ୍ବ୍ୟାକ୍ (ଛୋଟ ଗାଡ଼ି) ଅଧିକ ସଂଖ୍ୟାରେ ବିକ୍ରି ହୋଇଥାଏ। କିନ୍ତୁ ନିକଟ ଅତୀତର ବିକ୍ରିରେ ଏଣ୍ଟ୍ରି-ଲେବଲ୍ ଓ ମଧ୍ୟମ ଆକାରର ଏସ୍ୟୁଭି ବଢ଼ିବାରେ ଲାଗିଛି। ମାରୁତି ସୁଜୁକିର ବରିଷ୍ଠ କାର୍ଯ୍ୟନିର୍ବାହୀ ନିର୍ଦେଶକ (ବିକ୍ରି ଓ ମାର୍କେଟିଂ) ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି ଯେ ଗାଡ଼ି ଶିଳ୍ପ ପ୍ରତି ଏସ୍ୟୁଭିର ଅବଦାନ ପୂର୍ବରୁ ୧୯ ପ୍ରତିଶତ ଭଳି ନିମ୍ନ ସ୍ତରରେ ଥିଲା। ୨୦୨୧-୨୨ରେ ତାହା ୪୦%କୁ ବୃଦ୍ଧି ପାଇଛି। ଏସ୍ୟୁଭି ଦେଖିବା ଲାଗି ବହୁତ ସୁନ୍ଦର ହୋଇଥିବା ବେଳେ ରାସ୍ତାରେ ତାହାର ଉପସ୍ଥିତି ଅନ୍ୟଠାରୁ ଭିନ୍ନ ରହୁଥିବାରୁ ଗ୍ରାହକମାନେ ତାହାକୁ ଅଧିକ ପସନ୍ଦ କରୁଛନ୍ତି ବୋଲି ସେ କହିଛନ୍ତି।
୨୦୧୧ ପରଠାରୁ ଦେଶରେ ପ୍ରିମିୟମ୍ ହାଚ୍ବ୍ୟାକ୍ କାର୍ ସର୍ବାଧିକ ସଂଖ୍ୟାରେ ବିକ୍ରି ହେଉଥିଲା। ମାତ୍ର ଗତ ଆର୍ଥିକ ବର୍ଷରେ ସେହି ଧାରାରେ ବ୍ରେକ୍ ଲାଗିଛି। ଗତବର୍ଷ ଦେଶରେ ୩୦ ଲକ୍ଷ ୬୮ ହଜାର ଗାଡ଼ି ବିକ୍ରି ହୋଇଛି। ସେଥିରୁ ୬ ଲକ୍ଷ ୫୨ ହଜାର ହେଉଛି ଏସ୍ୟୁଭି। ବଡ଼ ଗାଡ଼ି ଦେଖିବାକୁ ଆକର୍ଷଣୀୟ ହୋଇଥିବା ବେଳେ ସେଥିରେ ଅଧିକ ସୁବିଧା ସୁଯୋଗ ମଧ୍ୟ ରହୁଛି। ମାରୁତି ସୁଜୁକି ଗାଡ଼ି ପାଇଁ ଯେଉଁ ବୁକିଂ ହାସଲ କରୁଛି ସେଥିରୁ ପ୍ରାୟ ୭୦% ବୁକିଂ ଏସ୍ୟୁଭି ପାଇଁ ଆସୁଛି। ଟାଟା ମୋଟର୍ସର ପରିଚାଳନା ନିର୍ଦେଶକ ଶୈଳେଶ ଚନ୍ଦ୍ରା କହିଛନ୍ତି ଯେ ଗତବର୍ଷ ଆମେ କାର୍ ବଜାରରେ ତୃତୀୟ ସ୍ଥାନ ହାସଲ କରିଛୁ। କାର୍ ଓ ଏସ୍ୟୁଭିର ପୂର୍ଣ୍ଣ ବର୍ଗମାଳା ଯୋଗୁଁ ତାହା ସମ୍ଭବ ହୋଇପାରିଛି। କିଆ ଇଣ୍ଡିଆର ବିକ୍ରି ମୁଖ୍ୟ ମ୍ୟୁଙ୍ଗ୍-ସିକ୍ ସୋନ୍ କହିଛନ୍ତି ଯେ ଏସ୍ୟୁଭି ପ୍ରତି ଗ୍ରାହକଙ୍କ ଆଗ୍ରହରୁ ଏହା ଜଣାପଡ଼ୁଛି ଯେ ସେମାନେ ବଳିଷ୍ଠ ଓ ଷ୍ଟାଇଲିସ୍ ଗାଡ଼ିକୁ ଅଧିକ ପସନ୍ଦ କରୁଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଆମେ କାରେନ୍ ମଡେଲ୍ ଉନ୍ମୋଚନ କରିଥିଲୁ। ପାଞ୍ଚ ମାସରୁ କମ୍ ସମୟ ଭିତରେ ଆମେ ତାହାର ୩୦ ହଜାର ୟୁନିଟ୍ ବିକ୍ରି କରିସାରିଲୁଣି। ଟୟୋଟା କିର୍ଲୋସ୍କର ମୋଟରର ସହକାରୀ ଉପସଭାପତି ଅତୁଲ ସୁଦ କହିଛନ୍ତି ଯେ ଦ୍ରୁତ ସହରୀକରଣ ଓ ଅର୍ଥନୈତିକ ବିକାଶ ଯୋଗୁଁ ଏସ୍ୟୁଭିର ଚାହିଦା ବଢ଼ୁଛି। ଏହି ବର୍ଗରେ ବହୁ ମଡେଲ୍ ବଜାରରେ ଉପଲବ୍ଧ ରହିଥିବାରୁ ତାହା ଏକ ବଡ଼ ବର୍ଗ ଭାବେ ଉଭା ହୋଇଛି।