ଆଇଆଇଏମ୍‌ କେନ୍ଦୁଝର ଶାଖାର ପ୍ରଥମ ଏଜିଏମ୍; ମଣିକାନ୍ତ ନାୟକ ଅଧ୍ୟକ୍ଷ ମନୋନୀତ

ବଡ଼ବିଲ: ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଟାଲ୍ସ (ଆଇଆଇଏମ୍‌) କେନ୍ଦୁଝର ଶାଖା ପକ୍ଷରୁ ନିଜ ପଦାଧିକାରୀଙ୍କ ଚୟନ ପାଇଁ ଏହାର ପ୍ରଥମ ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌) ଓ ବୈଷୟିକ ଅଧିବେଶନ ବଡ଼ବିଲଠାରେ ଆୟୋଜିତ ହୋଇଯାଇଛି । ଧାତୁ ଓ ଖଣିଜ ଶିଳ୍ପ ସହିତ ଜଡ଼ିତ ଅଧିକାଂଶ ସଂସ୍ଥା ଓ ଶାଖାରେ ସାମିଲ ହୋଇଥିବା କେନ୍ଦୁଝରର ପେସାଦାର ଅନୁଷ୍ଠାନଗୁଡ଼ିକର ପ୍ରତିନିଧିମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।

ବୈଠକରେ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ୍ ଲିମିଟେଡ଼ ଅପରେସନ୍ ଓ ମେଣ୍ଟେନାନ୍ସ ବିଭାଗର ବରିଷ୍ଠ ମହାପ୍ରବନ୍ଧକ ମଣିକାନ୍ତ ନାୟକଙ୍କୁ ସର୍ବସମ୍ମତିକ୍ରମେ ଶାଖାର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି। ମିନ୍‌ମେଟ୍ କନ୍‌ସଲଟାଂଟ୍‌ସର ପରିଚାଳନା ନିର୍ଦ୍ଦେଶକ ଡଃ ସୁରେଶ ଚନ୍ଦ୍ର ଖଟୋଇଙ୍କୁ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା । ସେହିପରି ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ୍ ଲିମିଟେଡ଼ର ଇଲେକ୍ଟ୍ରିକାଲ ବିଭାଗ ମୁଖ୍ୟ ଶ୍ରୀ ପ୍ରତ୍ୟୁଷ ନନ୍ଦଙ୍କୁ ସଚିବ, ଜେଏସ୍‌ପିଏଲ୍‌ର କାର୍ଯ୍ୟନିର୍ବାହୀ ଭାଇସ ପ୍ରେସିଡେଣ୍ଟ ବ୍ରିଜ୍ ବଧଦ୍ରାଙ୍କୁ ଯୁଗ୍ମ ସଚିବ, ମିନ୍‌ମେଟ୍ କନ୍‌ସଲଟାଂଟ୍‌ସର ନିର୍ଦ୍ଦେଶକ ପ୍ରତ୍ୟୁଷ ପଟ୍ଟନାୟକଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଆରିଆ ଷ୍ଟିଲର ମହାପ୍ରବନ୍ଧକ ସୁରଜ ପ୍ରସାଦ, ରାଉରକେଲାର ୟୁଜିଆଇଇ ମେଟାଲରଜିକାଲ ଇଞ୍ଜିନିୟରିଂ ବିଭାଗର ପୂର୍ବତନ ଏଚ୍‌ଓଡି ରାମଚନ୍ଦ୍ର ସାହୁ ଏବଂ ବଡ଼ବିଲ ରୁଙ୍ଗଟା ଷ୍ଟିଲର ମହାପ୍ରବନ୍ଧକ ପି କେ ଦେଓଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ କରାଯାଇଛି।

ବାର୍ଷିକ ସାଧାରଣ ବୈଠକ ପରେ ଆୟୋଜିତ ଏକ ଆକର୍ଷଣୀୟ ବୈଷୟିକ ଅଧିବେଶନରେ ୩ଜଣ ପ୍ରତିଷ୍ଠିତ ବକ୍ତା ନିଜ ତଥ୍ୟ ଉପସ୍ଥାପନା କରିଥିଲେ । ଏହି ଅବସରରେ କେନ୍ଦୁଝରଠାରେ ଅବସ୍ଥିତ ଓଡ଼ିଶା ସ୍କୁଲ ଅଫ୍ ମାଇନିଂ ଆଣ୍ଡ ଇଞ୍ଜିନିୟରିଂର ଅଧ୍ୟକ୍ଷ ଏ କେ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏଥିରେ ଭୁବନେଶ୍ୱର ଆଇଏମ୍‌ଏମ୍‌ଟିର ବରିଷ୍ଠ ବୈଜ୍ଞାନିକ ଡଃ ଅଶୋକ ସାହୁ ଷ୍ଟିଲ ମେକିଂରେ ଲିନ୍ ଓର୍‌ର ବ୍ୟବହାର ଉପରେ ମତ ଉପସ୍ଥାପନ କରିଥିଲେ । ସେହିପରି ଟିଆର୍‌ଏଲ୍ କ୍ରୋସାକି ରିଫ୍ରାକ୍ଟୋରିଜ୍ ଲିମିଟେଡ଼ର ବରିଷ୍ଠ ଭାଇସ୍ ପ୍ରେସିଡେଣ୍ଟ ଡଃ ଅରୂପ ସାମନ୍ତ ଡିଆରଆଇ ଏବଂ ପେଲେଟିଜେସନ୍ ପାଇଁ ରିଫ୍ରାକ୍ଟୋରିର ବ୍ୟବହାର ଏବଂ ଗ୍ୟାସ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ଼ର ଜୋନାଲ ମହା ପ୍ରବନ୍ଧକ ଶୈଳେନ୍ଦ୍ର ୱେଲେଟି ଷ୍ଟିଲ ମେକିଂର ଔଦ୍ୟୋଗିକ ଅନୁପ୍ରୟୋଗ ପାଇଁ ପ୍ରାକୃତିକ ଗ୍ୟାସର ବ୍ୟବହାରଭଳି ବିଷୟବସ୍ତୁଉପରେ ନିଜର ତଥ୍ୟ ଉପସ୍ଥାପନା କରିଥିଲେ।

ସମ୍ବନ୍ଧିତ ଖବର