ସ୍ୱିସ୍‌ ବ୍ୟାଙ୍କ ପ୍ରେମ: ବଢ଼ି ଚାଲିଛି ଭାରତର ଜମା

ଜୁରିକ୍‌/ନୂଆଦିଲ୍ଲୀ: ସ୍ୱିସ୍‌ ବ୍ୟାଙ୍କରେ ଭାରତୀୟମାନଙ୍କ କଳାଟଙ୍କା ଜମାରାଶି ୨୦୧୭ରେ ବୃଦ୍ଧି ପାଇଥିବା ରିପୋର୍ଟ ପ୍ରକାଶ ପାଇବାର ଦୁଇ ଦିନ ପରେ ଭାରତର ସ୍ୱିସ୍‌ ବ୍ୟାଙ୍କ ଜମା ସମ୍ପର୍କରେ ଆଉ ଏକ ରୋଚକ ତଥ୍ୟ ପଦାକୁ ଆସିଛି। ସ୍ୱିସ୍‌ ବ୍ୟାଙ୍କରେ ବିଶ୍ୱର ବିଭିନ୍ନ ଦେଶର ନାଗରିକ ଓ କମ୍ପାନିମାନେ ଜମା ରଖିଥିବା ଅର୍ଥକୁ ନେଇ ପ୍ରକାଶ ପାଇଥିବା ତାଲିକାରେ ଭାରତ ୭୩ତମ ସ୍ଥାନରେ ରହିଛି। ୨୦୧୭ ମସିହା ପାଇଁ ଭାରତ ଏହି ସ୍ଥାନରେ ରହିଛି। ୨୦୧୬ରେ ଭାରତର ଜମାରାଶି ୪୪ ପ୍ରତିଶତ ହ୍ରାସ ଘଟିବା ସହିତ ଭାରତ ଏହି ତାଲିକାର ୮୮ତମ ସ୍ଥାନରେ ରହିଥିଲା। ବର୍ଷକ ମଧ୍ୟରେ ଭାରତ ଏହି ତାଲିକାରେ ୧୫ଟି ପାହାଚ ଉପରକୁ ଉଠିଛି। ତାଲିକାରେ ଭାରତର ଗୋଟିଏ ଉପରେ ପାକିସ୍ତାନ ୭୨ତମ ସ୍ଥାନରେ ରହିଥିବାବେଳେ ଶୀର୍ଷରେ ବ୍ରିଟେନ୍‌ ରହିଛି। ୨୦୧୫ରେ ଭାରତ ଏହି ତାଲିକାର ୭୫ତମ, ୨୦୧୪ରେ ୬୧ତମ ସ୍ଥାନରେ ରହିଥିଲା। ୨୦୦୭ ମସିହା ପର୍ଯ୍ୟନ୍ତ ସ୍ୱିସ୍‌ ବ୍ୟାଙ୍କରେ ଅଧିକ ଟଙ୍କା ଜମା ରଖିବା ତାଲିକାରେ ଭାରତ ଶ୍ରେଷ୍ଠ ୫୦ ମଧ୍ୟରେ ରହି ଆସୁଥିଲା। ୨୦୦୪ରେ ଭାରତ ୩୭ତମ ସ୍ଥାନରେ ଥିଲା। ୨୦୧୭ରେ ବ୍ରିଟେନ୍‌ ଶୀର୍ଷ ସ୍ଥାନରେ ଥିବାବେଳେ ଆମେରିକା ଦ୍ୱିତୀୟ ସ୍ଥାନରେ ରହିଛି। ସ୍ୱିସ୍‌ ବ୍ୟାଙ୍କରେ ବିଦେଶୀମାନେ ଜମା ରଖିଥିବା ମୋଟ ଅର୍ଥର ପରିମାଣ ପ୍ରାୟ ୧୦୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏଥିରେ ବ୍ରିଟେନ୍‌ର ଅଂଶ ସର୍ବାଧିକ ୨୭ ପ୍ରତିଶତ ଥିବାବେଳେ ଆମେରିକାର ଅଂଶ ୧୧ ପ୍ରତିଶତ ରହିଛି। ଅନ୍ୟ କୌଣସି ଦେଶର ଅଂଶ ଦୁଇ ଅଙ୍କ ସଂଖ୍ୟା ଛୁଇଁ ପାରିନାହିଁ। ତେବେ ତାଲିକାର ତୃତୀୟ ସ୍ଥାନରେ େଓ୍ଵଷ୍ଟ ଇଣ୍ଡିଜ୍‌, ଚତୁର୍ଥ ସ୍ଥାନରେ ଫ୍ରାନ୍ସ, ପଞ୍ଚମ ସ୍ଥାନରେ ହଂକଂ, ଷଷ୍ଠ ସ୍ଥାନରେ ବାହାମସ୍‌, ସପ୍ତମ ସ୍ଥାନରେ ଜର୍ମାନୀ ରହିଛି। ବ୍ରିକ୍‌ ଦେଶଗୁଡ଼ିକ ମଧ୍ୟୃରୁ ଚୀନ୍‌ ୨୦ତମ ସ୍ଥାନରେ ଥିବାବେଳେ ରୁଷିଆ ୨୩ତମ, ବ୍ରାଜିଲ ୬୧ତମ ଏବଂ ଦକ୍ଷିଣ ଆଫ୍ରିକା ୬୭ତମ ସ୍ଥାନରେ ରହିଛି। ଏହି ତାଲିକାର ସବାତଳେ ପାଲାଉ ୨୧୪ତମ ସ୍ଥାନରେ ରହିଛି। ସ୍ୱିସ୍‌ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଏହାର ଗ୍ରାହକମାନଙ୍କୁ କେତେ ଅର୍ଥ ପ୍ରଦାନ କରାଯିବାକୁ ଅଛି ତାହାର ଏକ ତାଲିକା ପ୍ରତିବର୍ଷ ପ୍ରକାଶ ପାଇଥାଏ। ସେହିକ୍ରମରେ ଏହି ତାଲିକା ପ୍ରକାଶ ପାଇଛି। ତେବେ ଏଥିରେ କେତେ କଳା ଟଙ୍କା ଏବଂ କେତେ ଟିକସ ପଇଠ ହୋଇଥିବା ଟଙ୍କା ରହିଛି ସେ ନେଇ କିଛି ତଥ୍ୟ ନଥାଏ।

ସମ୍ବନ୍ଧିତ ଖବର