ଇଣ୍ଡିଆନ୍ ଅଏଲ୍‌ର ନିଟ୍ ଲାଭ ୧୯୧୧ କୋଟି

ନୂଆଦିଲ୍ଲୀ : ଭାରତୀୟ ତୈଳ ନିଗମ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ କମ୍ପାନିର ମୋଟ ରାଜସ୍ବ ୮୮,୯୩୭ କୋଟି ଟଙ୍କା ରହିଛି, ତେବେ ଗତ ଆର୍ଥିକ ବର୍ଷ ସମୟରେ କମ୍ପାନିର ରାଜସ୍ବ ୧୫୦୧୩୭ କୋଟି ଟଙ୍କା ରହିଥିଲା। ଏଥିଯୋଗୁ କମ୍ପାନିର ନିଟ୍ ଲାଭ ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ ମାସରେ ୧୯୧୧ କୋଟି ଟଙ୍କାକୁ ହ୍ରାସ ପାଇଛି। ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୩ ମାସରେ କମ୍ପାନିର ନିଟ୍ ଲାଭ ୩୫୯୬ କୋଟି ଟଙ୍କା ଥିଲା। ଇଣ୍ଡିଆନ୍ ଅଏଲର ଅଧ୍ୟକ୍ଷ ଏସ ଏମ ବୈଦ୍ୟ ଆର୍ଥିକ ଫଳାଫଳ ଘୋଷଣା କରିଛନ୍ତି। ପ୍ରଥମ ତ୍ରୟମାସରେ କମ୍ପାନି ମୋଟ ୧୬.୫୦୪ ନିୟୁତ ଟନ ଉତ୍ପାଦ ବିକ୍ରି କରିଛି। ଏଥିରେ ରପ୍ତାନି ମଧ୍ୟ ସାମିଲ ରହିଛି। କମ୍ପାନି ଆଲୋଚ୍ୟ ତ୍ରୟମାସରେ ୧୨.୯୩୦ ନିୟୁତ ଟନର ସାମଗ୍ରୀ ବିଶୋଧିତ କରିଥିବାବେଳେ ଦେଶବ୍ୟାପୀ ପାଇପଲାଇନ ମାଧ୍ୟମରେ ୧୫.୦୧୭ ନିୟୁତ ଟନ୍ ଉତ୍ପାଦ ପରିବହନ କରିଥିବା ଶ୍ରୀ ବୈଦ୍ୟ ସୂଚନା ଦେଇଛନ୍ତି। ଏହି ଅବସରରେ କମ୍ପାନିର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର