ଭୁବନେଶ୍ୱର: ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ପାରାଦୀପ ରିଫାଇନାରିଠାରେ ଏକ ପିଏକ୍ସ/ପିଟିଏ କାରଖାନା ସ୍ଥାପନ କରାଯିବ। ଏହି ପ୍ରକଳ୍ପରେ କଂପାନି ୯,୧୩୭ କୋଟି ଟଙ୍କା ବିନିଯୋଗ କରାଯିବ। କଂପାନି ପକ୍ଷରୁ ଏ ବିଷୟରେ ଟ୍ଵିଟର୍ରେ ସୂଚନା ପ୍ରଦାନ କରାଯାଇଛି। ପଲିଷ୍ଟର୍ ଷ୍ଟାପଲ୍ ଫାଇବର୍, ପଲିଷ୍ଟର ପିଲାମେଣ୍ଟ୍ ୟାର୍ଣ୍ଣ, ପିଇଟି ବୋତଲ, ଇତ୍ୟାଦି ଉତ୍ପାଦନ କରିବାରେ ପିଟିଏକୁ କଞ୍ଚାମାଲ ଭାବେ ବ୍ୟବହାର କରାଯାଇଥାଏ। ପ୍ରସ୍ତାବିତ ପିଟିଏ କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୧.୨ ଏମ୍ଏମ୍୍ଟିପି ରହିବ। ଓଡ଼ିଶାରେ ପ୍ଲାଷ୍ଟିକ୍ ପାର୍କ ପ୍ରତିଷ୍ଠା କରିବା ଦିଗରେ ଇଣ୍ଡିଆନ୍ ଅଏଲ୍ ପାଇଁ ଏହି ପିଟିଏ କାରଖାନା ବେଶ ସହାୟକ ହେବ। ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ପାରାଦୀପ ରିଫାଇନାରିଠାରେ ଏପିପି (ପଲିପ୍ରୋପେଲିନ୍) ୟୁନିଟ୍ର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି ପ୍ରକଳ୍ପର କ୍ଷମତା ହେଉଛି ବାର୍ଷିକ ୮୬୦ କିଲୋଟନ୍। କଂପାନି ଏଥିରେ ୩୧୫୦ କୋଟି ଟଙ୍କା ବିନିଯୋଗ କରିବ। ଏହି ୟୁନିଟ୍ ଚଳିତ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହୋଇଯିବ ବୋଲି କଂପାନି ପକ୍ଷରୁ ଟ୍ଵିଟର୍ରେ ସୂଚନା ପ୍ରଦାନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ପାରାଦୀପରେ ୧୨୦ ଏକର ଜମିରେ ଏକ ପ୍ଲାଷ୍ଟିକ୍ ପାର୍କ ପ୍ରତିଷ୍ଠା କରିବା ପାଇଁ ପରିକଳ୍ପନା କରାଯାଇଛି। ଏଥିପାଇଁ ଏକ ସ୍ପେସିଆଲ୍ ପରପସ୍ ଭେହିକିଲ୍ (ଏସ୍ପିଭି) ଗଠନ କରାଯାଇଛି। ଏ ନେଇ ଇଡ୍କୋ ଏବଂ ଇଣ୍ଡିଆନ୍ ଅଏଲ୍ ମଧ୍ୟରେ ୨୦୧୭ର ପେଟ୍ରୋକେମିକାଲ୍ସ ଇନଭେଷ୍ଟର୍ସ କନ୍କ୍ଲେଭ୍ରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ପ୍ରସ୍ତାବିତ ପାରାଦୀପ ପ୍ଲାଷ୍ଟିକ୍ ପାର୍କରେ ପଲିମର୍ କ୍ଷେତ୍ରର ୧୦୦ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା କରାଯିବ।