ବିଗିଡ଼ିଲାଣି ରେଳର ସ୍ବାସ୍ଥ୍ୟ: ଆୟ ୧୦୦, ବ୍ୟୟ ୧୧୨

ନୂଆଦିଲ୍ଲୀ: ଭାରତୀୟ ରେଳର ଆର୍ଥିକ ସ୍ଥିତି ବିଗିଡ଼ିଯାଇଛି। ‌ଏହି ଜାତୀୟ ପରିବହନ ସଂସ୍ଥାକୁ ୧୦୦ ଟଙ୍କା ଉପାର୍ଜନ କରିବାକୁ ୧୧୨ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଅର୍ଥାତ୍ ରେଳବାଇର ପରିଚାଳନା ଅନୁପାତ ୧୧୨ ପ୍ରତିଶତରେ ପହଞ୍ଚି ଯାଇଛି। ନିକଟ ଭବିଷ୍ୟତରେ ଅର୍ଥାତ୍ ୨୦୧୯ ମାର୍ଚ୍ଚ ପୂର୍ବରୁ ମଧ୍ୟ ରେଳବାଇର ଏହି ସ୍ଥିତିରେ ସୁଧାର ଆସିବା ଦେଖଯାଉନାହିଁ। ଆସନ୍ତା ଗ୍ରୀଷ୍ମ ଋତୁ ପାଇଁ ଯାତ୍ରୀମାନେ ବହୁ ସଂଖ୍ୟାରେ ଟିକଟ ଅଗ୍ରିମ ବୁକିଂ କରିବା ପରେ ସ୍ଥିତିରେ କିଛିଟା ସୁଧାର ଆସିବା ସମ୍ଭାବନା ରହିଛି। ଗ୍ରୀଷ୍ମ ଋତୁରେ ଯାତ୍ରା ପାଇଁ ଟିକଟ ବୁକଂ ସାଧାରଣତଃ ଫେବ୍ରୁଆରି ଓ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥାଏ। ଏତଦବ୍ୟତୀତ ଆଗାମୀ ଦିନରେ ରେଳ ଭଡ଼ା ବ୍ୟତୀତ ଅନ୍ୟାନ୍ୟ ସୂତ୍ରରୁ ମଧ୍ୟ ଅଧିକ ରାଜସ୍ବ ସଂଗ୍ରହ କରିବା ସମ୍ଭାବନା ରହିଛି। ବିଶେଷକରି ଷ୍ଟେସନର ନବୀକରଣ ସହିତ ଏଗୁଡ଼ିକରେ ବିଜ୍ଞାପନ କରିବା ମାଧ୍ୟମରେ ରେଳବାଇର ରାଜସ୍ବ ବଢ଼ିପାରେ। ରେଳବାଇ ପକ୍ଷରୁ କରାଯାଇଥିବା ଆର୍ଥିକ ସମୀକ୍ଷାରୁ ଜଣାଯାଇଛି, ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ରେଳବାଇର ଆୟ ବହୁତ କମ୍ ରହିଛି। ଗତ ନଭେମ୍ବର ସୁଦ୍ଧା ରେଳବାଇ ୧ ଲକ୍ଷ ୨୨ ହଜାର କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଆଦାୟ ହୋଇଛି ୧ ଲକ୍ଷ ୧୫ ହଜାର କୋଟି ଟଙ୍କା। ଅର୍ଥାତ୍ ରେଳବାଇର ରାଜସ୍ବ ସଂଗ୍ରହ ଲକ୍ଷ୍ୟ ତୁଳନାରେ ୭୮୪୦ କୋଟି ଟଙ୍କା କମ୍ ରହିଥିବା ଜଣାଯାଇଛି।

ଅନ୍ୟପକ୍ଷରେ ରେଳବାଇର ସାଧାରଣ ପରିଚାଳନା ବ୍ୟୟ ନଭେମ୍ବର ଶେଷ ସୁଦ୍ଧା ୯୮,୪୪୧ କୋଟି ଟଙ୍କା ରହିବ ବୋଲି ଧାର୍ଯ୍ୟ କରାଯାଇଥିବାବେଳେ ଏହା ୧ ଲକ୍ଷ ୩ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଯାତ୍ରୀ ପରିବହନ କ୍ଷେତ୍ରରେ ରେଳବାଇ ମଧ୍ୟ ରେଳବାଇ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ରାଜସ୍ବ ସଂଗ୍ରହ କରିପାରି ନାହିଁ। ନଭେମ୍ବର ସୁଦ୍ଧା ରେଳବାଇ ଯାତ୍ରୀ ପରିବହନ ବାବଦରେ ୩୪୫୮୩ କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଆଦାୟ ହୋଇଛି ୩୩,୯୦୦ କୋଟି ଟଙ୍କା। ଅର୍ଥାତ ଏ କ୍ଷେତ୍ରରେ ମଧ୍ୟ ରେଳବାଇ ୬୮୩ କୋଟିର କମ୍ ରାଜସ୍ବ ଆଦାୟ କରିଛି। ଏବେ ରେଳବାଇର ଯାତ୍ରୀ ପରିବହନ ବାବଦ କ୍ଷତି ପ୍ରାୟ ୩୦ ହଜାର କୋଟି ଟଙ୍କା ପାଖାପାଖି ରହିଛି। ଏଥିଯୋଗୁ ରେଳବାଇର ପରିଚାଳନା ଅନୁପାତ ଖରାପ ହୋଇଯାଇଛି। ଅର୍ଥାତ୍ ଗତ ଏପ୍ରିଲରୁ ନଭେମ୍ବର ମଧ୍ୟରେ ରେଳବାଇ ୧୦୦ ଟଙ୍କା ଆୟ କରିବା ପାଇଁ ୧୧୨ ଟଙ୍କା ୯୧ ପଇସା ଖର୍ଚ୍ଚ କରିଛି। ଗୋଟିଏ ପଟେ ଯାତ୍ରୀ ପରିବହନ ବାବଦ ରାଜସ୍ବ ଆଶାନୁରୂପ ହେଉ ନଥିବା ବେଳେ ଅନ୍ୟପଟେ ପରିଚାଳନା ଖର୍ଚ୍ଚ ଓ ପେନସନ ପ୍ରଦାନ ବାବଦ ରାଶି ବଢ଼ି ବଢ଼ି ଚାଲିଛି। ପରିଚାଳନା ଅନୁପାତ ଯେତେ କମ୍ ରହିବ ‌ରେଳବାଇ ସେତେ ଅଧିକ ଲାଭ କରିବା ସହିତ ନୂଆ ରେଳ ଧାରଣା ବିଛାଇବା, ବିଦ୍ୟୁତୀକରଣ ଭଳି ବିକାଶ ମୂଳକ କାର୍ଯ୍ୟକ୍ରମ ସମ୍ପାଦନ କରିପାରିବ। ‌ଚଳିତ ଆର୍ଥିକ ବର୍ଷରେ ରେଳବାଇ ସର୍ବାଧିକ ୧ ଲକ୍ଷ ୪୯ ହଜାର କୋଟି ଟଙ୍କାର ପୁଞ୍ଚି ବ୍ୟୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ସମ୍ବନ୍ଧିତ ଖବର