ରାତି ଟ୍ରେନ ଯାତ୍ରା ସମୟରେ ଲାଗୁ ହେଲା ଏସବୁ ନିୟମ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଟ୍ରେନରେ ଯାତ୍ରା କରିବା ପାଇଁ ସମୟସମୟରେ ନିୟମରେ ପରିବର୍ତ୍ତନ କରାଯାଇଥାଏ। ତେଣୁ ଆପଣଙ୍କୁ ରେଳବାଇ ପକ୍ଷରୁ ପରିବର୍ତ୍ତନ କରାଯାଉଥିବା ନିୟମ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ରହିବା ଦରକାର।

ଚଳିତ ଥର ରାତିରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଶୋଇବାରେ ହେଉଥିବା ଅସୁବିଧାକୁ ଦୃଷ୍ଟିରେ କିଛି ନିୟମ ପ୍ରସ୍ତୁତ କରାଯାଇଛି। ଏହି ନିୟମ  ଦ୍ବାରା ଯାତ୍ରୀଙ୍କୁ ଶୋଇବାରେ ‌ଆଉ କୌଣସି ପ୍ରକାର ଅସୁବିଧା ହେବନାହିଁ।

ଏହି ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ଆପଣଙ୍କ ଚାରିପାଖରେ କୌଣସି ଟ୍ରେନ୍ ଯାତ୍ରୀ ମୋବାଇଲରେ ଉଚ୍ଚ ସ୍ୱରରେ କଥା ହୋଇପାରିବେ ନାହିଁ କିମ୍ବା ଉଚ୍ଚ ସ୍ୱରରେ ଗୀତ ଶୁଣି ପାରିବେ ନାହିଁ। ଯାତ୍ରୀମାନଙ୍କ ଅଭିଯୋଗ ପାଇବା ପରେ ରେଳବାଇ ଏପରି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ନୂତନ ନିୟମ ଅନୁଯାୟୀ, ଏକ ବ୍ୟବସ୍ଥା ମଧ୍ୟ ଅଛି ଯେ ଯଦି ଟ୍ରେନରେ ଯାତ୍ରୀଙ୍କଠାରୁ ପ୍ରାପ୍ତ ଅଭିଯୋଗର ସମାଧାନ ନହୁଏ, ତେବେ ଟ୍ରେନ୍ କର୍ମଚାରୀଙ୍କ ଉତ୍ତର ଦେବାକୁ ନୋଟିସ ଜାରି ହୋଇପାରେ। ରେଳ ମନ୍ତ୍ରଣାଳୟ ଦ୍ୱାରା ସମସ୍ତ ଜୋନକୁ ଏହି ନିର୍ଦ୍ଦେଶ ଦିଆଯାଇ ନିୟମକୁ ତତ୍କାଳ ଲାଗୁ କରାଯିବାକୁ କୁହାଯାଇଛି।

ରେଳ ମନ୍ତ୍ରଣାଳୟର କହିବାନୁସାରେ, ପ୍ରାୟତଃ ଯାତ୍ରୀମାନଙ୍କ ସହିତ ଯାତ୍ରା କରୁଥିବା ସହଯାତ୍ରୀମାନେ ମୋବାଇଲରେ ଉଚ୍ଚ ସ୍ୱରରେ କଥା ହେବା ସହିତ ଅଧିକ ସାଉଣ୍ଡ ଦେଇ ଶୁଣୁଥିବାର ଅଭିଯୋଗ ହୋଇଥିଲା। ଏହା ବ୍ୟତୀତ କିଛି ଗୋଷ୍ଠୀ ରାତିରେ ଜୋରରେ କଥାବାର୍ତ୍ତା କରୁଥିବା ଅଭିଯୋଗ ମଧ୍ୟ ହୋଇଥିଲା। ଏହି କାରଣରୁ ଯାତ୍ରୀମାନଙ୍କ ନିଦରେ ବାଧା ସୃଷ୍ଟି ହେଉଥିଲା। ଏତଦ୍ ବ୍ୟତୀତ ରାତିରେ ଲାଇଟ ଲଗାଇ ବସିବା ଦ୍ବାରା କିଛି ସହଯାତ୍ରୀଙ୍କୁ ଅସୁବିଧା ହେଉଥିବା ବି ଅଭିଯୋଗ ହୋଇଛି।

ଟ୍ରେନରେ ରାତି ନିର୍ଦ୍ଦେଶାବଳୀ

୧. କୌଣସି ଯାତ୍ରୀ ଉଚ୍ଚ ସ୍ୱରରେ କଥାବାର୍ତ୍ତା କରିବେ ନାହିଁ କିମ୍ବା ମୋବାଇଲରେ ଉଚ୍ଚ ସ୍ୱର ଗୀତ ଶୁଣି ପାରିବେ ନାହିଁ ।

୨. ରାତିରେ ନାଇଟ ଲାଇଟ ବ୍ୟତୀତ ସମସ୍ତ ଲାଇଟ୍ ବନ୍ଦ କରିବାକୁ ପଡିବ। ଯାହାଫଳରେ ସହ-ଯାତ୍ରୀଙ୍କ ନିଦରେ ବାଧା ସୃଷ୍ଟି ହେବ ନାହିଁ।
୩. ଗୋଷ୍ଠୀରେ ହୋଇ ଯାତ୍ରା କରୁଥିବା ଯାତ୍ରୀମାନେ ଟ୍ରେନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କଥା ହୋଇପାରିବେ ନାହିଁ।
୪. ଯାଞ୍ଚ କରୁଥିବା କର୍ମଚାରୀ, ଆରପିଏଫ୍, ଇଲେକ୍ଟ୍ରିସିଆନ, କ୍ୟାଟରିଂ ଷ୍ଟାଫ୍ ଏବଂ ରକ୍ଷଣାବେକ୍ଷଣ କର୍ମଚାରୀମାନେ ରାତିରେ ଶାନ୍ତିପୂର୍ଣ୍ଣ ଭାବରେ କାର୍ଯ୍ୟ କରିବେ ।
୫. ରେଳ କର୍ମଚାରୀମାନେ ବୃଦ୍ଧ, ଭିନ୍ନକ୍ଷମ ଏବଂ ଏକା ଯାତ୍ରା କରୁଥିବା ମହିଳାଙ୍କୁ କିଛି ଅସୁବିଧା ହେଲେ ତୁରନ୍ତ ସହାୟତା ପ୍ରଦାନ କରିବେ|

ସମ୍ବନ୍ଧିତ ଖବର