ଭାରତ ଚାଉଳ ଯିବ ଚୀନ୍‌

ପେଇଚିଙ୍ଗ୍‌: ଆମେରିକା ଓ ଚୀନ୍‌ ମଧ୍ୟରେ ଚାଲିିଥିବା ବାଣିଜ୍ୟ ଲଢ଼େଇରୁ ଭାରତ ଲାଭ ଉଠାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଭାରତ ଏହାର ଚାଉଳକୁ ଚୀନ୍‌ରେ ବିକ୍ରି କରିବାକୁ ଯୋଜନା ପ୍ରସ୍ତୁତ କରିଛି। ବିଶ୍ବର ସର୍ବବୃହତ ଚାଉଳ ରପ୍ତାନିକାରୀ ହେଉଛି ଭାରତ। ଯଦିଓ ଏହା ବିଶ୍ବର ଅନେକ ଦେଶକୁ ଚାଉଳ ରପ୍ତାନି କରୁଛି, କିନ୍ତୁ ଏ ପର୍ଯ୍ୟନ୍ତ ଚୀନ୍ ବଜାରରେ ପ୍ରବେଶ କରିପାରିନାହିଁ।
ଚଳିତ ବର୍ଷ ଜୁନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚୀନ୍ ଗସ୍ତ ସମୟରେ ଚାଉଳ କାରବାରକୁ ନେଇ ଆଲୋଚନା ହୋଇଥିଲା। ସେହି ସମୟରେ ଏନେଇ ଏକ ବୁଝାମଣା ‌େହାଇଥିଲା। ତାହାକୁ ନଜରରେ ରଖି ଚୀନ୍‌ ଏହାର ବଜାରକୁ ଭାରତୀୟ ଚାଉଳ ପାଇଁ ଉନ୍ମୁକ୍ତ କରୁ ବୋଲି ଭାରତ ଚାହୁଛି। ସାଂଘାଇ ସହଯୋଗ ସମିତିର ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ଉପସ୍ଥିତିରେ ଅଣ ବାସୁମତି ଚାଉଳର ରପ୍ତାନି ପାଇଁ ଏକ ବୁଝାମଣା ସ୍ବାକ୍ଷରିତ ହୋଇଥିଲା। ଏହା ପରେ ଚୀନ୍‌ର ଏକ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଥିଲେ ଓ ବିଭିନ୍ନ ରାଇସ୍‌ ମିଲ୍ ପରିଦର୍ଶନ କରି ଚାଉଳର ମାନ ଯାଞ୍ଚ କରିଥିଲେ। ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଚାଉଳ ରପ୍ତାନି ପାଇଁ ଗତ ସପ୍ତାହରେ ଚୀନ୍‌ ସରକାରଙ୍କ ପକ୍ଷରୁ ୨୪ଟି ଭାରତୀୟ ରାଇସ୍‌ ମିଲ୍‌କୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହା ପରେ ଏହି ରାଇସ ମିଲ୍‌ଗୁଡ଼ିକ ମଧ୍ୟରୁ ୬ଟି ରାଇସ୍‌ ମିଲ୍‌କୁ ନେଇ ଏକ ବି୨ବି ବୈଠକ ଆୟୋଜନ କରାଯାଇଥିଲା। ସେଥିରେ ଚୀନ୍‌ର ୪୪ ଜଣ ଆମଦାନିକାରୀ ସାମିଲ ହୋଇଥିଲେ। ଭାରତୀୟ ଦୂତାବାସ ସହ‌େଯାଗରେ ଚୀନ୍ ଚାମ୍ବର ଅଫ୍‌ କମର୍ସ ପକ୍ଷରୁ ଏହି ବୈଠକ ଆ‌େୟାଜନ କରାଯାଇଥିଲା। ଯେହେତୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ ହୋଇଯାଇଛି, ତେଣୁ ଖୁବ୍‌ଶୀଘ୍ର ଭାରତୀୟ ଚାଉଳ ଚୀନ୍‌ରେ ପହଂଚିବ ବୋଲି ଆଶା କରାଯାଉଛି।
ଉଲ୍ଲେଖଯୋଗ୍ୟ, ଭାରତ ଓ ଚୀନ୍‌ ଏସିଆର ଦୁଇ ବଡ଼ ଆର୍ଥିକ ମହାଶକ୍ତି ହୋଇଥିଲେ ମଧ୍ୟ ବାଣିଜ୍ୟ କାରବାର ଦୃଷ୍ଟିରୁ ଉଭୟ ରାଷ୍ଟ୍ର ପରଷ୍ପର ପାଇଁ ଆଜି ପର୍ଯ୍ୟନ୍ତ ଉନ୍ମୁୂକ୍ତ ହୋଇପାରିନାହିଁ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ନିଅଣ୍ଟ ମଧ୍ୟ ଉଚ୍ଚ ସ୍ତରରେ ରହିଛି।

ସମ୍ବନ୍ଧିତ ଖବର