ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ ଜୀବନଯାପନ ଲାଗି ଖର୍ଚ୍ଚ କରିବାରେ ଭାରତୀୟ ଧନୀମାନେ ସବୁଠୁ ଆଗରେ ରହିଛନ୍ତି। ସେମାନେ ଏଥିପାଇଁ କରୁଥିବା ଖର୍ଚ୍ଚ ବିଶ୍ବର ଅନ୍ୟ ଯେକୌଣସି ଦେଶର ଧନୀମାନଙ୍କ ତୁଳନାରେ ଅଧିକ ବୋଲି ଏଚ୍ଏସ୍ବିସି ଏହାର ଏକ ରିପୋର୍ଟରେ ଜଣାଇଛି। ଭାରତ ଧନୀମାନେ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ଯାହା ଦରକାର ସେଥିରେ ବିପୁଳ ଖର୍ଚ୍ଚ କରୁଥିବା ବେଳେ ଅଧିକ ଅନ୍ତର୍ଜାତୀୟ ଭ୍ରମଣ କରୁଛନ୍ତି। ଦେଶର ୬୪ ପ୍ରତିଶତ ଧନୀ ନିଜ ବ୍ୟକ୍ତିଗତ ସମ୍ପତ୍ତିକୁ ରିଅଲ ଇଷ୍ଟେଟ୍ରେ ବିନିଯୋଗ କରୁଛନ୍ତି। ବିଶ୍ବସ୍ତରରେ ଏହି ହାର ୫୩ ପ୍ରତିଶତ ରହିଛି।
ସେହିପରି ସ୍ବାସ୍ଥ୍ୟସେବା, ୱେଲ୍ନେସ୍ ଓ ଦୀର୍ଘଜୀବୀ ହେବା ଲାଗି ୬୧ ପ୍ରତିଶତ ଭାରତୀୟ ଧନୀ ଖର୍ଚ୍ଚ କରୁଛନ୍ତି। ପ୍ରତି ୧୦ରୁ ୬ ଜଣ ଭାରତୀୟ ଧନୀ ବିଳାସପୂର୍ଣ୍ଣ ଜୀବନ ବଞ୍ଚିବା ଲାଗି ଉପାର୍ଜନ କରୁଥିବା ଟଙ୍କା ବିନିଯୋଗ କରୁଛନ୍ତି।ପ୍ରାୟ ସବୁ (୯୫%) ଭାରତୀୟ ଧନୀ ଭାବୁଛନ୍ତି ଯେ ଆସନ୍ତା କିଛି ବର୍ଷ ମଧ୍ୟରେ ସେମାନଙ୍କ ବ୍ୟକ୍ତିଗତ ସମ୍ପତ୍ତି ବଢ଼ିବ। ଦେଶର ୭୩ ପ୍ରତିଶତ ଉଦ୍ୟୋଗୀଙ୍କ ଏକାଧିକ ଦେଶରେ ବାସସ୍ଥାନ ରହିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦେଶ ଛାଡ଼ି ଅନ୍ୟତ୍ର ବସବାସ କରିବାକୁ ଯିବାକୁ ଚାହୁଛନ୍ତି। ସେମାନେ ବ୍ରିଟେନ, ଆମେରିକା, ସ୍ବିଜରଲ୍ୟାଣ୍ଡ୍, ୟୁଏଇ ଓ ସିଙ୍ଗାପୁରରେ ରହିବାକୁ ଚାହୁଛନ୍ତି। ଜୀବନ ବଞ୍ଚିବାର ଗୁଣାତ୍ମକ ମାନ, ନୂଆ ନିବେଶ ସୁଯୋଗ, ନୂଆ ବଜାରକୁ ସମ୍ପ୍ରସାରଣ ଭଳି କାରଣ ପାଇଁ ସେମାନେ ଦେଶ ଛାଡ଼ିବାକୁ ଚାହୁଛନ୍ତି। ଭାରତୀୟ ଧନୀମାନଙ୍କ ନିବେଶ ପ୍ରାଥମିକତା ଓ ଦାତବ୍ୟ କାର୍ଯ୍ୟ ଉପରେ ଆଲୋକପାତ କରି ଏଚ୍ଏସ୍ବିସି ରିପୋର୍ଟ ଜଣାଇଛି ଯେ ୭୩ ପ୍ରତିଶତ ଧନୀ ବ୍ୟକ୍ତି ଜୀବନ ବୀମା କରିଥିବା ବେଳେ ୫୮ ପ୍ରତିଶତ ବାଣିଜ୍ୟିକ ରିଅଲ ଇଷ୍ଟେଟ୍ରେ, ୫୩ ପ୍ରତିଶତ ଷ୍ଟକ୍ ବଜାରରେ ନିବେଶ କରିଛନ୍ତି ଏବଂ ୫୧ ପ୍ରତିଶତ ଘରୋଇ ସମ୍ପତ୍ତି ରଖିଛନ୍ତି। ୪୨ ପ୍ରତିଶତ ଉଦ୍ୟୋଗୀ ଦାତବ୍ୟ କାର୍ଯ୍ୟକୁ ପ୍ରାଥମିକତା ଦେଉଛନ୍ତି।