ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ବିଶ୍ବର ବିଭିନ୍ନ ଦେଶରେ ବାଣିଜ୍ୟିକ ବିମାନ ଉଡ଼ାଣ ବନ୍ଦ ହୋଇଯିବା ପରେ ବିଦେଶରେ ପାଠ ପଢ଼ୁଥିବା ଧନୀ ଭାରତୀୟଙ୍କ ପିଲାମାନେ ସେଠାରେ ଫସି ରହିଯାଇଥିଲେ। ଧନୀ ବାପାମାଆମାନେ ବିଦେଶରୁ ସେମାନଙ୍କ ପିଲାଙ୍କୁ ଆଣିବା ଲାଗି ଘରୋଇ ଜେଟ୍ର ସହାୟତା ନେଇଥିଲେ। ବିପୁଳ ଅର୍ଥ ଖର୍ଚ୍ଚ କରି ସେମାନଙ୍କ ପିଲାମାନଙ୍କୁ ଭାରତ ଫେରାଇ ଆଣିଥିବା ଭଳି ଖବର ସାମ୍ନାକୁ ଆସିଛି। ଧନୀ ଭାରତୀୟମାନେ ସେମାନଙ୍କ ପିଲାଙ୍କୁ ଆଣିବା ପାଇଁ ମୁଣ୍ଡପିଛା ପାଖାପାଖି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।
/sambad/media/post_attachments/wp-content/uploads/2020/04/jet-1.jpg)
ମାର୍ଚ୍ଚ ୮ ତାରିଖରୁ ୨୧ ତାରିଖ ମଧ୍ୟରେ ଅଧିକାଂଶ ଘରୋଇ ଜେଟ୍ ଭାରତୀୟ ଧନୀବ୍ୟକ୍ତିଙ୍କ ପିଲାଙ୍କୁ ବିଦେଶରୁ ଭାରତକୁ ଆଣିଛି। ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଏବଂ ସ୍ବିଜରଲାଣ୍ଡର ବିଭିନ୍ନ ବିଶ୍ବବିଦ୍ୟାଳୟରେ ଏହି ପିଲାମାନେ ପଢ଼ୁଥିଲେ। ଉପରୋକ୍ତ ସମୟ ମଧ୍ୟରେ ପ୍ରାୟ ୧୦୨ରୁ ଅଧିକ ଘରୋଇ ଚାର୍ଟର ବିମାନ ବିଦେଶରୁ ଧନୀ ଭାରତୀୟଙ୍କ ପିଲାମାନଙ୍କୁ ଭାରତ ଆଣିଛନ୍ତି। ଡାସଲ୍ଟ ଫାଲକନ ୨୦୦୦, ବମବାର୍ଡିୟର ଚ୍ୟାଲେଞ୍ଜର ସିରିଜ୍ ଏବଂ ହକର ବିଜନେସ୍ ଏୟାରକ୍ରାଫ୍ଟ ଭଳି ସଂସ୍ଥାର ଜେଟ୍ରେ ଏମାନେ ଆସିଛନ୍ତି। ଏହି ଜେଟ୍ ମଧ୍ୟରୁ ପ୍ରାୟ ୮୫ ପ୍ରତିଶତ ଜେଟ୍ରେ ଜଣେରୁ ୩ ଜଣ ମଧ୍ୟରେ ଛାତ୍ର ଆସିଛନ୍ତି ବୋଲି ଭାରତୀୟ ଆକାଶର ଉବର ଭାବେ ପରିଚିତ ଜେଟ୍ସେଟ୍ଗୋର ପ୍ରତିଷ୍ଠାତା କନିକା ତେକ୍ରିୱାଲ କହିଛନ୍ତି। ଏଥିସହିତ କରୋନା ସମୟରେ ଜେଟ୍ ବିମାନ ପ୍ରଦାନକାରୀଙ୍କ ଘଣ୍ଟା ପିଛା ଖର୍ଚ୍ଚ ମଧ୍ୟ ୧୮ ହଜାର ଟଙ୍କା ବଢ଼ିଯାଇଥିଲା। ଏଥିରୁ ଅଧିକାଂଶ ଅର୍ଥ ବିମାନ ସାନିଟାଇଜେସନରେ ଖର୍ଚ୍ଚ ହୋଇଥିଲା। କେବଳ ପିଲା ନୁହନ୍ତି ବାହାରେ ରହୁଥିବା ବାପାମାଆମାନଙ୍କୁ ମଧ୍ୟ ଧନୀ ଭାରତୀୟମାନେ ଘରୋଇ ଜେଟ୍ ମାଧ୍ୟମରେ ଆଣିଥିବା ଜଣାଯାଇଛି।