ମୁମ୍ବାଇ: ଭାରତୀୟ ଟଙ୍କା ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚିଛି। ଜାନୁଆରୀ ୧୦, ଶୁକ୍ରବାର ଗୋଟିଏ ଡଲାର ମୂଲ୍ୟ ୮୫.୯୭ ପଇସା ଥିଲା । ଗୁରୁବାର ବି ଡଲାର ତୁଳନାରେ ଟଙ୍କା ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ବନ୍ଦ ହୋଇଥିଲା। ସେଦିନ ଗୋଟିଏ ଡଲାର ମୂଲ୍ୟ ୮୫.୯୩ ପଇସା ଥିଲା । ଏହା କ୍ରମାଗତ ତୃତୀୟ ଦିନ ଥିଲା ଯେତେବେଳେ ଟଙ୍କା ପୂର୍ବ ରେକର୍ଡ ସର୍ବନିମ୍ନ ସ୍ତରରେ ବନ୍ଦ ହୋଇଥିଲା । ଏହା ସହିତ କ୍ରମାଗତ ଦଶମ ସପ୍ତାହ ପାଇଁ ଟଙ୍କା ଦୁର୍ବଳ ହୋଇଛି ।
ଟଙ୍କା ଉପରେ ଚାପର ମୁଖ୍ୟ କାରଣ ହେଉଛି ଡଲାରର ଶକ୍ତିବୃଦ୍ଧି ଏବଂ ଦୁର୍ବଳ ପୁଞ୍ଜି ପ୍ରବାହ । ବାସ୍ତବରେ ଡଲାର ସୂଚକାଙ୍କ ୧୦୯ ଉପରେ ରହିଛି, ଯାହା କି ଦୁଇ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଛି। ବଜାର ଆମେରିକାର ଅଣ-କୃଷି ପେରୋଲ ଡାଟା ଜାରିକୁ ଅପେକ୍ଷା କରିଛି, ଯାହା ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ସମ୍ଭାବନାକୁ ପ୍ରଭାବିତ କରିପାରେ । ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ନିର୍ଦ୍ଦେଶକ୍ରମେ କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଡଲାର ବିକ୍ରି କରିଛନ୍ତି, ଯାହା ଟଙ୍କା ହ୍ରାସକୁ ସୀମିତ କରିବାରେ ସହାୟକ ହୋଇଛି।
ଅନ୍ୟପକ୍ଷରେ ଷ୍ଟକ ବଜାରରେ କ୍ରମାଗତଭାବେ ହ୍ରାସ ଜାରି ରହିଛି । ଚଳିତ ସପ୍ତାହରେ ପ୍ରାୟ ପ୍ରତ୍ୟେକ ଦିନ ସୂଚକାଙ୍କରେ ହ୍ରାସ ଦେଖାଦେଇଛି । ଫଳରେ ନିବେଶକମାନେ ଏହି ସପ୍ତାହରେ ପ୍ରାୟ ୧୭ ଲକ୍ଷ କୋଟିର କ୍ଷତି ସହିଛନ୍ତି ।