ନୂଆଦିଲ୍ଲୀ: ଜାତୀୟ ସ୍ତରରେ ଭାରତୀୟ ମାନକ ସମୟ (ଆଇଏସ୍‌ଟି)କୁ ବାଧ୍ୟତାମୂଳକ କରିବା ଲାଗି ଏକ ନୀତି ଆଣିବା ବିଷୟରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଟେଲିକମ୍ କଂପାନିଠାରୁ ଆରମ୍ଭ କରି ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ, ପାୱାର ଗ୍ରିଡ୍‌, ବ୍ୟାଙ୍କ ଓ ଷ୍ଟକ ଏକ୍ସଚେଞ୍ଜ୍‌ ଆଦି ସଂସ୍ଥା ଯେଭଳି ଆଇଏସ୍‌ଟିକୁ ସମାନ ଭାବେ ବ୍ୟବହାର କରିବେ ସେଥିପାଇଁ ନୀତିରେ ବ୍ୟବସ୍ଥା ରହିବ। ସବୁ ନେଟ୍‌ୱର୍କ ଓ କମ୍ପ୍ୟୁଟରକୁ ସରକାର ଆଇଏସ୍‌ଟି ସହ ଯୋଡ଼ିବାକୁ ଚାହୁଛନ୍ତି। ଦେଶର ପାଞ୍ଚଟି ସ୍ଥାନରୁ ଆଇଏସ୍‌ଟି ସମୟ ଜାରି କରାଯିବ। ସେଥିରେ ଭୁବନେଶ୍ବର ନାମ ରହିଛି।

Advertisment

ଅହମ୍ମଦାବାଦ, ଭୁବନେଶ୍ବର, ବେଙ୍ଗାଲୁରୁ, ଫରିଦାବାଦ ଓ ଗୌହାଟିରେ ଉପଭୋକ୍ତା ବ୍ୟାପାର ବିଭାଗ ଅଧିନରେ ପରିଚାଳିତ ହେଉଥିବା ରେଜିଓନାଲ୍ ରେଫରେନ୍ସ ଷ୍ଟାଣ୍ଡାର୍ଡ ଲାବୋରେଟୋରିଜ୍‌ (ଆର୍‌ଆରଏସ୍‌ଏଲ୍‌)ରୁ ସବୁ ସଂସ୍ଥାଙ୍କୁ ଆଇଏସ୍‌ଟି ସମୟ ଜାରି କରିବାକୁ ଯୋଜନା ରଖାଯାଇଛି। ସବୁ ଟେଲିକମ୍ କଂପାନି ଓ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥା ଆଇଏସ୍‌ଟିକୁ ଗ୍ରହଣ କରିନାହାନ୍ତି। ସେମାନେ ଗ୍ଲୋବାଲ୍ ନାଭିଗେସନ ସାଟେଲାଇଟ୍‌ ସିଷ୍ଟମ୍ (ଜିଏନ୍ଏସ୍‌ଏସ୍‌)କୁ ଗ୍ରହଣ କରି କାମ କରୁଛନ୍ତି। ଆଇଏସ୍‌ଟିକୁ କିଭଳି ସବୁ ସଂସ୍ଥାରେ ସମାନ ଭାବେ ଲାଗୁ କରାଯାଇପାରିବ ସେ ନେଇ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ନ୍ୟାସନାଲ୍ ଫିଜିକାଲ ଲାବୋରେଟୋରି (ଏନ୍‌ପିଏଲ୍‌) ଓ ଇସ୍ରୋ ସହ ମିଶି କାମ କରୁଛି। ଆଇଏସ୍‌ଟିକୁ କିଭଳି ବାଧ୍ୟତାମୂଳକ କରାଯାଇପାରିବ ଏବଂ ଏଥିପାଇଁ କ’ଣ କରିବାକୁ ହେବ ତାହା ଜାଣିବା ଲାଗି କନସଲ୍‌ଟାଣ୍ଟ୍‌ ମୂତୟନ କରାଯିବ। ବିଶେଷ କରି ଜାତୀୟ ନିରାପତ୍ତା ଲାଗି କାମ କରୁଥିବା କମ୍ପ୍ୟୁଟରଗୁଡ଼ିକୁ ଯେଭଳି ଆଇଏସ୍‌ଟି ଅନୁସାରେ ବାସ୍ତବ ସମୟରେ କାମ କରିବ ତାହାକୁ ସରକାର ନିଶ୍ଚିତ କରିବାକୁ ଚାହୁଛନ୍ତି।