ଭାରତୀୟ ଷ୍ଟାର୍ଟଅପ୍ ସଂସ୍ଥାଙ୍କ କମାଲ୍‌: ୟୁନିକର୍ଣ୍ଣ କ୍ଲବରେ ୩୩ କମ୍ପାନି

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଷ୍ଟାର୍ଟଅପ୍ କମ୍ପାନି ଗୁଡ଼ିକ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଭାରତୀୟ ଷ୍ଟାର୍ଟଅପ୍ କମ୍ପାନି ଗୁଡ଼ିକ ମଧ୍ୟରୁ ୨୦୨୧ ମସିହାର ବର୍ତ୍ତମାନ ସୁଦ୍ଧା ୩୩ଟି ସଂସ୍ଥା ୟୁନିକର୍ଣ୍ଣ କ୍ଲବରେ ସାମିଲ ହୋଇସାରିଲେଣି। ଏହି ବୃଦ୍ଧି ଧାରା ଜାରି ରହିଲେ ବର୍ଷ ଶେଷବେଳକୁ ଭାରତରେ ୟୁନିକର୍ଣ୍ଣ ଷ୍ଟାର୍ଟଅପ୍ ସଂସ୍ଥା ସଂଖ୍ୟା ୪୦ ଟପିଯିବ ବୋଲି ଆକଳନ କରାଯାଉଛି। ୟୁନିକର୍ଣ୍ଣ କ୍ଲବରେ ସାମିଲ ହୋଇଥିବା ଶେଷ କମ୍ପାନିଟି ହେଉଛି କାର୍‌ ଦେଖୋ। ଏହି କମ୍ପାନି ନିକଟରେ ଲିପଫ୍ରଗ୍ ଇନଭେଷ୍ଟମେଣ୍ଟ ଠାରୁ ୨୫୦ ନିୟୁତ ଡଲାର ପାଣ୍ଠି ସଂଗ୍ରହ କରିବାରେ ସଫଳ ହୋଇଛି। ୟୁନିକର୍ଣ୍ଣ କହିଲେ ସେହି ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକୁ ବୁଝାଏ ଯାହାର ମୋଟ ମୂଲ୍ୟ ୧ ବିଲିଅନ ଆମେରିକୀୟ ଡଲାର ଛୁଇଁଛି। ଭେଞ୍ଚର କ୍ୟାପିଟାଲ ଇଣ୍ଡଷ୍ଟ୍ରିରେ ଏହି ଶବ୍ଦର ବ୍ୟବହାର କରାଯାଏ। ଉକ୍ତ ଶବ୍ଦର ବ୍ୟବହାର ପ୍ରଥମ ଥର ପାଇଁ କାଉବୟ ଭେଞ୍ଚର୍ସର ପ୍ରତିଷ୍ଠାତା ଏଲିନ ଲି କରିଥିଲେ। ୧୦ ବିଲିଅନ ଡଲାର ମୂଲ୍ୟରୁ ଅଧିକ ହେଲେ ଷ୍ଟାର୍ଟଅପ୍ ସଂସ୍ଥାକୁ ଡେକାକର୍ଣ୍ଣ ଏବଂ ୧୦୦ ବିଲିଅନ ଡଲାରରୁ ଅଧିକ ମୂଲ୍ୟ ହେଲେ ଷ୍ଟାର୍ଟଅପ୍ ସଂସ୍ଥାକୁ ହେକ୍ଟୋକର୍ଣ୍ଣ କୁହାଯାଇଥାଏ।

ୟୁନିକର୍ଣ୍ଣରେ ପରିଣତ ହୋଇଥିବା ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକ ମୁଖ୍ୟତଃ କ୍ରୟବିକ୍ରୟରେ ବଡ଼ ଧରଣର ପରିବର୍ତ୍ତନ ଆଣି ପାରିଲା ଭଳି ନବସୃଜନ ଆଣିଥାନ୍ତି। ଯେଭଳି ଫ୍ଲିପକାର୍ଟ ଭାରତରେ ସପିଂ ତରିକାକୁ ବଦଳାଇ ଦେଇଥିଲା। ଏହାବ୍ୟତୀତ ଏଗୁଡ଼ିକ ଇଣ୍ଡଷ୍ଟ୍ରିରେ ଷ୍ଟାର୍ଟର ଭୂମିକା ଗ୍ରହଣ କରିଥାନ୍ତି। ଅର୍ଥାତ୍ ଲୋକଙ୍କ କାମ କରିବା ତରିକା ବଦଳାଇ ଦେଇଥାନ୍ତି। ଏମାନେ ଉଚ୍ଚ ପ୍ରଯୁକ୍ତିର ବ୍ୟବହାର କରିଥାନ୍ତି। ସାଧାରଣତଃ ଗ୍ରାହକକୈନ୍ଦ୍ରିକ ହୋଇ କାର୍ଯ୍ୟ କରିଥାନ୍ତି। ୟୁନିକର୍ଣ୍ଣ କ୍ଲବରେ ସାମିଲ ହୋଇଥିବା କମ୍ପାନି ଗୁଡ଼ିକ ହେଲେ ଡିଜିଟ, ଇନୋଭାସର, ଇନଫ୍ରା ଡଟ୍ ମାର୍କେଟ, ଫାଇଭ ଷ୍ଟାର ବିଜନେସ୍ ଫାଇନାନ୍ସ, ଫାଷ୍ଟଡ୍ରର୍ଡ, ମିଶୋ, କ୍ରେଡ, ଫାର୍ମଇଜି, ଗ୍ରୋ, ସେୟାରଚାର୍ଟ, ଗପସପ, ଚାର୍ଜବି, ଅର୍ବାନ କମ୍ପାନି, ମୋଗ୍ଲିକ୍ସ, ଜିଟା, ବ୍ରାଉଜରଟେକ୍, ବ୍ଲାକବକ୍‌, ଡ୍ରୁମ, ଅଫବିଜନେସ, ଭାରତପେ, ମାଇଣ୍ଡଟିକଲ, ଅପଗ୍ରେଡ, କଏନ ଡିସିଏକ୍ସ, ଏରୁଡିଟସ, ଗ୍ରୋଫର୍ସ, ଜେଟୱର୍କ, ମୋବାଇଲ ପ୍ରିମିୟର ଲିଗ୍, ଅପନା ଡଟ୍ କୋ, ବେଦାନ୍ତୁ, ଲିସିୟସ, କଏନସ୍ବିଚ, ରିବେଲ ଫୁଡସ ଏବଂ କାରଦେଖୋ।

ସମ୍ବନ୍ଧିତ ଖବର