ଇଜିପ୍ଟ ଯିବ ଭାରତୀୟ ଗହମ, ମିଳିଲା ଅନୁମୋଦନ

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ବଡ଼ ଗହମ ଗ୍ରାହକ ଦେଶ ଇଜିପ୍ଟକୁ ଭାରତ ଏହାର ଗହମ ପଠାଇବ। ଆମଦାନିକାରୀ ଭାବେ ଭାରତକୁ ଇଜିପ୍ଟ ଅନୁମୋଦନ ପ୍ରଦାନ କରିଛି। ଆଜି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏହି ସୂଚନା ଦେଇଛନ୍ତି। ଇଜିପ୍ଟ ମୁଖ୍ୟତଃ ୟୁକ୍ରେନ ଓ ରୁଷ୍‌ରୁ ଗହମ ମଗାଉଥିଲା। ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ବାଣିଜ୍ୟ କାରବାର ଗୁରୁତର ଭା‌ବେ ପ୍ରଭାବିତ ହୋଇଛି। ସେଥିପାଇଁ ଅନ୍ୟ ଦେଶରୁ ଗହମ କିଣିବା ଉପରେ ଇଜିପ୍ଟ ଗୁରୁତ୍ବ ଦେଇଥିଲା। ସୁଯୋଗକୁ ହାତଛଡ଼ା ନକରି ଭାରତ ତୁରନ୍ତ ଏହାର ଗହମ ପଠାଇବାର ପ୍ରସ୍ତାବ ଦେଇଥିଲା ଓ ସେହି ପ୍ରସ୍ତାବକୁ ଇଜିପ୍ଟ ଗ୍ରହଣ କରିଛି।

୨୦୨୦ରେ ରୁଷ୍‌ରୁ ୧୮୦ କୋଟି ଡଲାର ଓ ୟୁକ୍ରେନ୍‌ରୁ ୬୧ କୋଟି ଡଲାର ମୂଲ୍ୟର ଗହମ କିଣିଥିଲା ଇଜିପ୍ଟ। ଏବେ ଏହା ଭାରତରୁ ୧ ନିୟୁତ ଟନ୍ ଗହମ କିଣିବାକୁ ଲକ୍ଷ୍ୟ ରଖିଛି। ଏପ୍ରିଲ୍ ମାସରେ ଭାରତ ୨,୪୦,୦୦ ଟନ୍‌ ଗହମ ଏହି ଆଫ୍ରିକୀୟ ରାଷ୍ଟ୍ରକୁ ପଠାଇବ। ଆଜି ଏକ ଟୁଇଟ୍‌ରେ ମନ୍ତ୍ରୀ ଶ୍ରୀ ଗୋୟଲ ଲେଖିଛନ୍ତି ଯେ ସାରା ବିଶ୍ବକୁ ଖାଦ୍ୟ ଖୁଆଉଛନ୍ତି ଭାରତୀୟ ଚାଷୀ। ଭାରତକୁ ଗହମ ଆମଦାନିକାରୀ ଭାବେ ଇଜିପ୍ଟ ଅନୁମୋଦନ ଦେଇଛି। ସାରା ବିଶ୍ବ ଖାଦ୍ୟ ଯୋଗାଣର ଏକ ବିକଳ୍ପ ଭରସାଯୋଗ୍ୟ ଉତ୍ସରୁ ସନ୍ଧାନରେ ଥିବା ବେଳେ ମୋଦୀ ସରକାର ହସ୍ତକ୍ଷେପ କରିଥିଲେ। ଆମ ଚାଷୀମାନେ ଉତ୍ପାଦନକୁ ପର୍ଯ୍ୟାପ୍ତ କରିବା ନିଶ୍ଚିତ କରିଛନ୍ତି ଏବଂ ସାରା ଦୁନିଆର ଆବଶ୍ୟକତା ପୂରଣ କରିବାକୁ ଆମେ ପ୍ରସ୍ତୁତ ବୋଲି ସେ ଲେଖିଛନ୍ତି।

୨୦୨୧-୨୨ ଆର୍ଥିକ ବର୍ଷର ଏପ୍ରିଲ୍‌-ଜାନୁଆରିରେ ଭାରତ ୧୭୪ କୋଟି ଡଲାର ମୂଲ୍ୟର ଗହମ ରପ୍ତାନି କରିଛି ଯାହା ପୂର୍ବବର୍ଷର ସେହି ସମୟ ତୁଳନାରେ ଯଥେଷ୍ଟ ଅଧିକ। ୨୦୧୯-୨୦ରେ ଭାରତ ୬.୧ କୋଟି ଡଲାର ମୂଲ୍ୟର ଗହମ ରପ୍ତାନି କରିଥିଲା। ଭାରତ ମୁଖ୍ୟତଃ ଏହାର ଗହମଗୁଡ଼ିକୁ ବାଲାଂଦେଶକୁ ବିକ୍ରି କରିଥା‌ଏ। ନିକଟରେ ଏହା ‌ୟେମେନ୍, ଆଫଗାନିସ୍ତାନ, କତାର ଓ ଇଣ୍ଡୋନେସିଆକୁ ଗହମ ରପ୍ତାନି ଆରମ୍ଭ କରିଛି। ଭାରତକୁ ଗହମ ମଗାଉଥିବା ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ରହିଛନ୍ତି ନେପାଳ, ୟୁଏଇ, ଶ୍ରୀଲଙ୍କା, ଓମାନ ଓ ମାଲେସିଆ ଭଳି ଦେଶ। ବିଶ୍ବ ଗହମ ରପ୍ତାନି ବଜାରରେ ଭାରତର ଭାଗ ୧ ପ୍ରତିଶତରୁ କମ୍ ରହିଛି। ୨୦୧୬ରେ ଏହି ହାର ୦.୧୪% ଥିବା ବେଳେ ୨୦୨୦ ସୁଦ୍ଧା ତାହା ୦.୫୪%ରେ ପହଞ୍ଚିଥିଲା। ଭାରତ ହେଉଛି ବିଶ୍ବର ଦ୍ବିତୀୟ ବୃହତ ଗହମ ଉତ୍ପାଦନକାରୀ। ଭାରତରେ ବର୍ଷକୁ ୧୦୭.୫୯ ନିୟୁତ ଟନ୍ ଗହମ ଉତ୍ପାଦନ ହେଉଛି। ମାତ୍ର ଦେଶର ଆବଶ୍ୟକତା ପୂରଣ କରିବାରେ ଅଧିକାଂଶ ଗହମ ବ୍ୟବହାର ହେଉଛି। ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ବିହାର ଓ ଗୁଜରାଟ ଭଳି ରାଜ୍ୟରେ ଅଧିକାଂଶ ଗହମ ଉତ୍ପାଦନ ହେଉଛି।

ସମ୍ବନ୍ଧିତ ଖବର