ନୂଆଦିଲ୍ଲୀ: ଗତ ବର୍ଷ ଏପ୍ରିଲମାସରେ ଭାରତରେ ଖୋଲିଥିବା ଆପଲ୍‌ କମ୍ପାନି ତାହାର ନିଜସ୍ବ ମାଲିକାନାରେ ଦୁଇଟି ଷ୍ଟୋର୍‌ ଖୋଲିଥିଲା। ସେଥିରୁ ଗୋଟିଏ ମୁମ୍ବାଇରେ ଏବଂ ଅନ୍ୟଟି ଦିଲ୍ଲୀରେ ଖୋଲାଯାଇଥିଲା। ଏହି ‌‌ଷ୍ଟୋର ଦୁଇଟିରେ ବହୁ ସଂଖ୍ୟକ ଗ୍ରାହକ ନଗଦ ଟଙ୍କା ‌ଦେଇ ଆଇଫୋନ୍‌ କିଣିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଅଧିକ ଲୋକ ନଗଦ ଅର୍ଥରେ ଆଇଫୋନ କିଣୁଥିବାରୁ କମ୍ପାନି ଏହାର ଦୁଇଟି ଯାକ ‌ଷ୍ଟୋର୍‌ରେ ଟଙ୍କା ଗଣା ମେସିନ ସ୍ଥାପନ କରିଛି। ଏକ ରିପୋର୍ଟ ଅନୁଯାୟୀ, ଗ୍ରାହକମାନେ ମୋବାଇଲ ଫୋନ୍ କିମ୍ବା କମ୍ପ୍ୟୁଟର କିଣିବା ପାଇଁ ନଗଦ ଟଙ୍କା ଦେଉଥିବାରୁ ଆପଲ୍‌ର ଭାରତୀୟ ଷ୍ଟୋର୍ ଗୁଡ଼ିକରେ ପ୍ରାୟ ୭ରୁ ୯ ପ୍ରତିଶତ ବିକ୍ରି ନଗଦ ଆକାରରେ ହେଉଛି। କିନ୍ତୁ ଆମେରିକା କିମ୍ବା ୟୁରୋପରେ ଆପଲ୍‌ ଷ୍ଟୋରଗୁଡ଼ିକରେ ନଗଦ ଅର୍ଥରେ ୧ ପ୍ରତିଶତରୁ କମ୍ ଉତ୍ପାଦ ନଗଦ ଅର୍ଥରେ ବିକ୍ରି ହୋଇଥାଏ।

Advertisment

ଫେଡେରେସନ୍‌ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏସନ(ଫାଡା)ର ରିପୋର୍ଟ ଅନୁଯାୟୀ, ଭାରତରେ ବିକ୍ରି ହେଉଥିବା କାର୍ ମଧ୍ୟରୁ ୧୫ରୁ ୨୦ ପ୍ରତିଶତ ନଗଦ ଅର୍ଥରେ ଗ୍ରାହକମାନେ କ୍ରୟ କରୁଛନ୍ତି। ଏପରିକି ବିଳାସପୂର୍ଣ୍ଣ ଯାନ ଏକ ପଞ୍ଚମାଂଶ ବିକ୍ରି ମଧ୍ୟ ନଗଦ ଦେୟ ମାଧ୍ୟମରେ ହେଉଛି। ଏଥିପାଇଁ କ୍ରେତାମାନେ ସାଧାରଣତଃ ୨,୦୦,୦୦୦ ଟଙ୍କା ଆଗୁଆ ପ୍ରଦାନ କରିଥାନ୍ତି। ଅବଶିଷ୍ଟ ଅର୍ଥକୁ ବ୍ୟାଙ୍କ ଆକାଉଣ୍ଟ, ନେଟ୍ ବ୍ୟାଙ୍କିଂ, ଡେବିଟ୍ କାର୍ଡ କିମ୍ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍ ପଦ୍ଧତି, ଚେକ୍, ଡ୍ରାଫ୍ଟ ଜରିଆରେ ପୈଠ କରିବାର ବିକଳ୍ପ ରହିଛି।

ଜର୍ମାନୀର ବିଳାସପୂର୍ଣ୍ଣ କାର ନିର୍ମାତା ମର୍ସିଡିଜ୍ ବେଞ୍ଜ ଇଣ୍ଡିଆ ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ନଗଦ ଏବଂ ନିଜସ୍ବ ପାଣ୍ଠିରୁ କାର୍‌ କିଣୁଥିବା ଗ୍ରାହକଙ୍କ ସଂଖ୍ୟା ଅଧିକ। ଏଠାରେ ପ୍ରାୟ ୨୫ ପ୍ରତିଶତ ଗ୍ରାହକ ନଗଦ ଅର୍ଥ ଏବଂ ନିଜସ୍ବ ପାଣ୍ଠିରୁ କାର୍‌ କିଣୁଛନ୍ତି। ଦେଶର ଅନ୍ୟ ବଜାରରେ ଏହା ପ୍ରାୟ ୧୫ ପ୍ରତିଶତ ରହିଛି। ମର୍ସିଡିଜ୍ ବେଞ୍ଜ ଇଣ୍ଡିଆର ପରିଚାଳନା ନିର୍ଦେଶକ ସନ୍ତୋଷ ଆୟରଙ୍କ କହିବାନୁଯାୟୀ, ଆମର ପ୍ରାୟ ୨୦ ପ୍ରତିଶତ ଗ୍ରାହକ ସମ୍ପୂର୍ଣ୍ଣ ଭାବେ ନଗଦ ଦେଇ କାର୍‌ କିଣିବାକୁ ପସନ୍ଦ କରନ୍ତି। ଫାଡା ସଭାପତି ମନୀଷ ରାଜ ସିଂଘାଣିଆ କହିଛନ୍ତି ଯେ ଭାରତରେ ଅନେକ ଗ୍ରାହକ ଅଛନ୍ତି ଯେଉଁମାନେ ଫାଇନାନ୍ସ ପରିବର୍ତ୍ତେ ନିଜ ସଞ୍ଚୟରୁ ଗାଡ଼ି କିଣିବାକୁ ପସନ୍ଦ କରିଥାନ୍ତି। ସିଂଘାଣିଆଙ୍କ କହିବାନୁଯାୟୀ, ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ବ୍ୟାଙ୍କ ଋଣ ପାଇବା ପାଇଁ ଆୟକର ରିଟର୍ଣ୍ଣ ଭଳି ଆବଶ୍ୟକ କାଗଜପତ୍ର ନାହିଁ କିମ୍ବା ସେମାନଙ୍କୁ କ୍ରେଡିଟ୍ ଯୋଗ୍ୟ ବିବେଚନା କରାଯାଏନାହିଁ। ଏମାନେ ନିୟମ ଅନୁଯାୟୀ ୨ ଲକ୍ଷ ଟଙ୍କା ନଗଦ ଦେଇଥାନ୍ତି। ଅବିଶିଷ୍ଟ ଅର୍ଥକୁ ଚେକ୍ ଏବଂ ଆରଟିଜିଏସ୍ ମାଧ୍ୟମରେ ପ୍ରଦାନ କରିଥାନ୍ତି।