କ୍ରିପ୍ଟୋ ଉପରେ ଭାରତୀୟଙ୍କ ଭରସା କମ୍

ନୂଆଦିଲ୍ଲୀ: ନଭେମ୍ବର ୨୯ରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନରେ କେନ୍ଦ୍ର ସରକାର କ୍ରିପ୍ଟୋକରେନ୍ସି ବିଲ୍ ଉପସ୍ଥାପନ କରିବେ। ଏହି ଘୋଷଣା ହେବା ପରଠାରୁ କ୍ରିପ୍ଟୋକୁ ନେଇ ନାନା ପ୍ରକାର ଆଲୋଚନା ହେଉଛି। ଆଜି ଏ ସମ୍ପର୍କିତ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ କୁହାଯାଇଛି ଯେ କ୍ରିପ୍ଟୋକରେନ୍ସି ଉପରେ ଭାରତୀୟମାନଙ୍କ ଆଦୌଁ ଭରସା ନାହିଁ କିମ୍ବା ବହୁତ କମ୍ ଭରସା ରହିଛି। ଏହି ସର୍ଭେରେ ଭାଗ ନେଇଥିବା ଅଧାରୁ ଅଧିକ ଲୋକ କ୍ରିପ୍ଟୋକୁ ଆଇନଗତ ମାନ୍ୟତା ନମିଳୁ ବୋଲି ଚାହୁଛନ୍ତି।

ଲୋକାଲ୍‌ସର୍କଲ୍‌ସ ନାମକ ସଂସ୍ଥା ପକ୍ଷରୁ ଗତ ୧୫ ଦିନ ଭିତରେ ଦେଶର ୩୪୨ଟି ଜିଲ୍ଲାରେ ଏହି ସର୍ଭେ କରାଯାଇଥିଲା। ସେଥିରେ ୨୯,୩୫୨ ଜଣ ଲୋକ ଅଂଶଗ୍ରହଣ କରି କ୍ରିପ୍ଟୋକରେନ୍ସି ଉପରେ ନିଜର ମତ ରଖିଥିଲେ। ସେମାନଙ୍କ ମଧ୍ୟରୁ ୭୧% ଜଣାଇଥିଲେ ଯେ କ୍ରିପ୍ଟୋ ଉପରେ ସେମାନଙ୍କ ଆଦୌଁ ଭରସା ନାହିଁ। ପ୍ରାୟ ୫୪% ଲୋକ କହିଥିଲେ ଯେ କ୍ରିପ୍ଟୋକରେନ୍ସିକୁ ସରକାର ଆଇନଗତ ମାନ୍ୟତା ଦିଅନ୍ତୁ ବୋଲି ସେମାନେ ଚାହୁନାହାନ୍ତି। ବିଦେଶରେ ଥିବା ଡିଜିଟାଲ୍ ସମ୍ପତ୍ତି ଉପରେ ଯେଭଳି ଟିକସ ଲଗାଯାଇଛି କ୍ରିପ୍ଟୋ ଉପରେ ମଧ୍ୟ ସେଭଳି ଟିକସ ଲଗାଯାଉ ବୋଲି ସେମାନେ କହିଛନ୍ତି। ୫୧% ଲୋକ କହିଛନ୍ତି ଯେ ଭାରତ ନିଜର ଏକ କ୍ରିପ୍ଟୋକରେନ୍ସି ବା ଡିଜିଟାଲ୍ ମୁଦ୍ରା ଜାରି କରୁ ଯାହା ରିଜର୍ଭ ବ୍ୟାଙ୍କ ଦ୍ବାରା ପରିଚାଳିତ ହେବା ଦରକାର। ୨୬% ଲୋକ ତାହା ମଧ୍ୟ ଚାହୁନଥିବା ଜଣାପଡ଼ିଛି। ନିକଟରେ ଅନୁ‌ଷ୍ଠିତ ହୋଇଥିବା ଟି-୨୦ କ୍ରିକେଟ୍‌ ବିଶ୍ବକପ୍ ସମୟରେ ପ୍ରତି ତିନି ବିଜ୍ଞାପନ ମଧ୍ୟରୁ ଗୋଟିଏ କ୍ରିପ୍ଟୋକରେନ୍ସି ସମ୍ପର୍କିତ ବିଜ୍ଞାପନ ଥିଲା। ଏହି ବିଜ୍ଞାପନ ସମ୍ପର୍କରେ ମତ ରଖି ସର୍ଭେରେ ଭାଗ ନେଇଥିବା ୭୪% ଲୋକ କହିଛନ୍ତି ଯେ ବିଜ୍ଞାପନରେ କ୍ରିପ୍ଟୋକରେନ୍ସି ସହିତ ଜଡ଼ିତ ଥିବା ବିପଦକୁ ଠିକ୍ ଭାବେ ଉପସ୍ଥାପନ କରାଯାଉନାହିଁ। ୫% ଲୋକ ଚାହୁଛନ୍ତି କ୍ରିପ୍ଟୋକରେନ୍ସି ବିଜ୍ଞାପନ ଜାରି ରହୁ। ୭୬% ଲୋକ ଚାହୁଛନ୍ତି କୌଣସି ନିର୍ଦିଷ୍ଟ ନିୟମ ନଆସିବା ପର୍ଯ୍ୟନ୍ତ କ୍ରିପ୍ଟୋକରେନ୍ସି ବିଜ୍ଞାପନ ଉପରେ କଟକଣା ଲଗାଯାଉ।

ସମ୍ବନ୍ଧିତ ଖବର