ମୁମ୍ବାଇ: ବିଦେଶରେ ବସବାସ କରୁଥିବା ଭାରତୀୟମାନେ ୨୦୨୪ ମସିହାରେ ଦେଶକୁ ୧୨୯.୪ ବିଲିଅନ ଡଲାର ପ୍ରେରଣ କରିଛନ୍ତି। ଡିସେମ୍ବର ତ୍ରୟମାସରେ ସେମାନେ ୩୬ ବିଲିଅନ ଡଲାର ପଠାଇଛନ୍ତି ବୋଲି ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାଯାଇଛି। କ୍ରମାଗତଭାବେ ତୃତୀୟବର୍ଷ ପାଇଁ ଭାରତ ରିମିଟାନ୍ସ ବାବଦରେ ୧୦୦ ବିଲିଅନ ଡଲାରରୁ ଅଧିକ ରାଶି ପାଇଛି।୨୫ ବର୍ଷ ଧରି ରିମିଟାନ୍ସ କ୍ଷେତ୍ରରେ ଭାରତ ଅଗ୍ରଣୀ ସ୍ଥାନ ହାସଲ କରିଆସୁଛି। ଗତ ଶତାବ୍ଦୀର ନବେ ଦଶକରେ ସୂଚନା ପ୍ରଯୁକ୍ତି କ୍ଷେତ୍ରର ସଂପ୍ରସାରଣ ପରେ ବିଦେଶରୁ ଭାରତକୁ ରିମିଟାନ୍ସ ବାବଦ ରାଶି ବଢ଼ିବାରେ ଲାଗିଛି। ୨୦୦୮ ମସିହାରୁ ଭାରତ ଏ କ୍ଷେତ୍ରରେ ଲଗାତାର ଶୀର୍ଷ ସ୍ଥାନରେ ରହିଆସିଛି ବୋଲି ଏକ ରିପୋର୍ଟରୁ ଜଣାଯାଇଛି। 

Advertisment

ଭାରତୀୟମାନେ ପୂର୍ବରୁ ଉପସାଗରୀୟ ଦେଶଗୁଡ଼ିକରେ ଅଧିକ ମାତ୍ରାରେ କାମ କରୁଥିଲେ। କିନ୍ତୁ ଦେଶର ଉଚ୍ଚଶିକ୍ଷିତ ଏବଂ କୁଶଳୀ ବ୍ୟକ୍ତିମାନେ ଗତ କିଛି ଦଶନ୍ଧି ହେଲା ଉତ୍ତର ଆମେରିକା ଓ ୟୁରୋପର ବିଭିନ୍ନ ଦେଶରେ ଚାକିରି ଓ ବସବାସ କରୁଛନ୍ତି। ବିଦେଶକୁ ଯାଇ କାର୍ଯ୍ୟ କରୁଥିବା ଭାରତୀୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୧୯୯୦ ମସିହାରେ ଏମାନଙ୍କ ସଂଖ୍ୟା ୬.୬ ନିୟୁତ ଥିବାବେଳେ ୨୦୨୪ରେ ୧୮.୫ ନିୟୁତରେ ପହଞ୍ଚିଛି। ସବୁଦେଶର ଉକ୍ତ ବର୍ଗର ବ୍ୟକ୍ତିଙ୍କ ସଂଖ୍ୟାକୁ ବିଚାରକୁ ନେଲେ ବିଶ୍ବରେ ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ୧୯୯୦ରେ ୪.୩ ପ୍ରତିଶତ ରହିଥିବାବେଳେ ୨୦୨୪ରେ ୬ ପ୍ରତିଶତରୁ ଅଧିକ ହୋଇଛି। ବିଦେଶରେ ଚାକିରି କରିଥିବା ଭାରତୀୟଙ୍କ ମଧ୍ୟରୁ ପ୍ରାୟ ଅଧା ଉପସାଗରୀୟ ଦେଶଗୁଡ଼ିକରେ ରହୁଛନ୍ତି। ୨୦୨୪ରେ ରିମିଟାନ୍ସ କ୍ଷେତ୍ରରେ ମେକ୍ସିକୋ ୬୮ ବିଲିଅନ ଡଲାର ସହିତ ଦ୍ବିତୀୟ ସ୍ଥାନରେ ଏବଂ ଚୀନ ୪୮ ବିଲିଅନ ଡଲାର ସହିତ ତୃତୀୟ ସ୍ଥାନରେ ରହିଛି।  ୨୦୨୯ ‌ମସିହା ବେଳକୁ ଭାରତର ରିମିଟାନ୍ସ ୧୬୦ ବିଲିଅନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।