ନୂଆଦିଲ୍ଲୀ: ଭାରତୀୟମାନଙ୍କୁ ସେମାନଙ୍କ ଦୈନିକ ରୋଜଗାରର ବହୁ ଅଧିକ ଅର୍ଥ ଖାଦ୍ୟ ବାବଦରେ ଖର୍ଚ୍ଚ କରିବାକୁ ପଡ଼ୁଛି। ଜଣେ ଭାରତୀୟଙ୍କୁ ଗୋଟିଏ ଥାଳି ଖାଦ୍ୟ ପାଇଁ ଦୈନିକ ରୋଜଗାରର ୩.୫ ପ୍ରତିଶତ ଅର୍ଥ ବ୍ୟୟ କରିବାକୁ ପଡ଼ୁଛି। ତେବେ ଧନୀ ଦେଶ ଆମେରିକାର ଜଣେ ନ୍ୟୁୟର୍କବାସୀଙ୍କୁ ଏ ବାବଦରେ ତାଙ୍କ ଦୈନିକ ରୋଜଗାରର ମାତ୍ର ୦.୬ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ହେଉଛି। ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଶୁକ୍ରବାର ପ୍ରକାଶିତ ଏକ ରିପୋର୍ଟରୁ ଏଭଳି ତଥ୍ୟ ପଦାକୁ ଆସିଛି। ଏହି ରିପୋର୍ଟର ନାମ ‘କଷ୍ଟ୍ ଅଫ୍ ଏ ପ୍ଲେଟ୍ ଅଫ୍ ଫୁଡ୍’ ବା ଗୋଟିଏ ଥାଳି ଖାଦ୍ୟର ମୂଲ୍ୟ ରଖାଯାଇଛି।
ଗୁରୁତ୍ବପୂର୍ଣ ବିଷୟ ହେଲା ସବୁଠୁ ଅଧିକ ଅର୍ଥ ଖାଦ୍ୟ ବାବଦରେ ଦକ୍ଷିଣ ସୁଦାନବାସୀଙ୍କୁ କରିବାକୁ ପଡ଼ୁଛି। ସେଠାରେ ଲୋକମାନଙ୍କୁ ସେମାନଙ୍କ ଦୈନିକ ରୋଜଗାରଠାରୁ ପାଖାପାଖି ଦୁଇଗୁଣ ବା ୧୮୬ ପ୍ରତିଶତ ଅର୍ଥ ଖାଦ୍ୟ ନିମନ୍ତେ ବ୍ୟୟ କରିବାକୁ ହେଉଛି। ବିଶ୍ବର ୩୬ଟି ଦେଶକୁ ନେଇ ଜାତିସଂଘ ପକ୍ଷରୁ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ଭାରତ ଏହି ତାଲିକାର ୨୮ତମ ସ୍ଥାନରେ ରହିଛି। ଅର୍ଥାତ୍ ତାଲିକାରେ ଥିବା ବିଶ୍ବର ୩୬ଟି ଦେଶର ଲୋକେ ସେମାନଙ୍କ ଦୈନିକ ରୋଜଗାରର ଯେତିକି ପ୍ରତିଶତ ଅର୍ଥ ଗୋଟିଏ ଥାଳି ଖାଦ୍ୟ ବାବଦରେ ଖର୍ଚ୍ଚ କରନ୍ତି ତାହାକୁ ବିଚାରକୁ ନେଇ ଏହି ରୢାଙ୍କ ପ୍ରସ୍ତୁତ ହୋଇଛି। ଉପ ସାହାର ଆଫ୍ରିକୀୟ ଦେଶଗୁଡ଼ିକର ସ୍ଥିତି ଏ କ୍ଷେତ୍ରରେ ସର୍ବାଧିକ ଖରାପ ରହିଛି। ଏହି ଅଞ୍ଚଳରେ ଥିବା ଦେଶଗୁଡ଼ିକ ଅଧିକ ମାତ୍ରାରେ ଖାଦ୍ୟ ସାମଗ୍ରୀ ଆମଦାନି କରନ୍ତି। ତେଣୁ ବିଶ୍ବ ଅର୍ଥନୀତିରେ କୌଣସି ସମସ୍ୟା ଦେଖାଦେଲେ ଏମାନେ ବଡ଼ ଧରଣର ସମସ୍ୟାରେ ପଡ଼ନ୍ତି। ବହୁସଂଖ୍ୟକ କର୍ମଚାରୀ ଅସଙ୍ଗଠିତ କ୍ଷେତ୍ରର ହୋଇଥିବାରୁ ହଠାତ୍ କୌଣସି କାରଣରୁ ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ହୋଇଗଲେ ସେମାନଙ୍କ ରୋଜଗାର ସାଂଘାତିକ ମାତ୍ରାରେ ପ୍ରଭାବିତ ହେଉଛି। ଜାତିସଂଘର ଉକ୍ତ ରିପୋର୍ଟରେ ବିକଶିତ ଦେଶ ଏବଂ ଅନୁନ୍ନତ ଦେଶଗୁଡ଼ିକ ମଧ୍ୟରେ ଆର୍ଥିକ ବୈଷମ୍ୟର ଚିତ୍ର ପଦାକୁ ଆସୁଛି। ସଂଘର୍ଷ ଏବଂ ଜଳବାୟୁ ପରିବର୍ତ୍ତନ ଆଦି କାରଣରୁ ଲୋକଙ୍କ ଖାଦ୍ୟରେ ଖର୍ଚ୍ଚ କରିବା ସାମର୍ଥ୍ୟ ହ୍ରାସ ପାଇଛି।
ଏପରିକି ଏଥିଯୋଗୁ ସେମାନଙ୍କ ସେମାନଙ୍କ ଭିଟାମାଟି ଛାଡ଼ିଛନ୍ତି, ଜୀବିକା ପ୍ରଭାବିତ ହୋଇଛି। ଫଳରେ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଆବଶ୍ୟକ ଖାଦ୍ୟ ଯୋଗାଡ଼ କରିବାରେ ମଧ୍ୟ ବିଫଳ ହୋଇଛନ୍ତି। ଏବେ କରୋନା ସେହିସବୁ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। କରୋନା ମହାମାରୀ ପ୍ରଭାବରେ ଲୋକଙ୍କ ଚାକିରି ଯାଇଛି। ପରିବାରଗୁଡ଼ିକୁ ବିଦେଶରୁ ଅର୍ଥ ପ୍ରବାହ ହ୍ରାସ ପାଇଛି। ଅର୍ଥନୈତିକ ଅଭିବୃଦ୍ଧି ଖରାପ ରହିବା କାରଣରୁ ଦେଶଗୁଡ଼ିକ ମହାମାରୀ ମୁକାବିଲା ପାଇଁ ସେଭଳି ବଳିଷ୍ଠ ପଦକ୍ଷେପ ନେଇପାରୁ ନାହାନ୍ତି। ସହରାଞ୍ଚଳରେ ବାସ କରୁଥିବା ଲୋକ ଯେଉଁମାନେ ବଜାର ଉପରେ ଅଧିକ ମାତ୍ରାରେ ନର୍ଭରଶୀଳ ସେମାନଙ୍କ ପ୍ରତି ବିପଦ ଅଧିକ ବୋଲି ରିପୋର୍ଟରେ କୁହାଯାଇଛି। କୋଭିଡ-୧୯ ମହମାରୀରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ସହାୟତା ଦେବା ପାଇଁ ଖୁବଶୀଘ୍ର ଅଧିକ ନିବେଶର ଆବଶ୍ୟକତା ରହିଛି। ଏଥିସହିତ ନିରବଚ୍ଛିନ୍ନ ଖାଦ୍ୟ ବ୍ୟବସ୍ଥା କରିବା ପାଇଁ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ଏହାହେଲେ ଗରିବ ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ପୁଷ୍ଟିକର ଖାଦ୍ୟ ମିଳିବାର ଦୀର୍ଘମିଆଦୀ ଭିତ୍ତିଭୂମି ପଡ଼ିପାରିବ। ସେହିଭଳି ବୈଷମ୍ୟଜନିତ ସମସ୍ୟାର ସମାଧାନ ହୋଇପାରିବ ବୋଲି ଜାତିସଂଘ କହିଛି।