ପାର୍ବଣରେ ଅଢ଼େଇ ଲକ୍ଷ କୋଟି ଖର୍ଚ୍ଚ କରିବେ ଭାରତୀୟ

୩୩% ପରିବାର ୧୦ ହଜାରରୁ ଅଧିକ ବ୍ୟୟ କରିବେ

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ୨୦୨୦ ଏବଂ ୨୦୨୧ର ପାର୍ବଣରେ ଲୋକମାନେ ସେତେଟା କିଣାକିଣି କରି ନଥିଲେ। ଏବେ ଦେଶରେ କରୋନାର ପ୍ରକୋପ କମିଛି। ତେଣୁ ଚଳିତବର୍ଷ ପାର୍ବଣରେ ଗ୍ରାହକମାନେ ଅଧିକ ମାତ୍ରାରେ କିଣାକିଣି କରିବେ। ପାର୍ବଣ ସମୟରେ ଭାରତୀୟ ଗ୍ରାହକଙ୍କ ଖର୍ଚ୍ଚ ପ୍ରାୟତଃ ୩୨ ବିଲିଅନ ଡଲାର ବା ପାଖାପାଖି ଅଢ଼େଇ ଲକ୍ଷ କୋଟି ଟଙ୍କା ରହିବ ବୋଲି ଲୋକାଲ ସର୍କଲ୍ସ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାଯାଇଛି। ତେବେ କରୋନା ମହାମାରୀ ପୂର୍ବରୁ ୨୦୧୯ ପାର୍ବଣରେ ଭାରତୀୟ ଗ୍ରାହକମାନେ ୩୭ ବିଲିଅନ ଡଲାର ଖର୍ଚ୍ଚ କରିଥିଲେ। ତେଣୁ ତାହା ତୁଳନାରେ ଚଳିତବର୍ଷ ପାର୍ବଣରେ ଲୋକଙ୍କ ଖର୍ଚ୍ଚ କମ୍‌ ରହିବ।

ପାର୍ବଣ ସମୟରେ ଲୋକମାନେ ସାଧାରଣତଃ ନୂଆ ଘର, ଟିଭି, ରେଫ୍ରିଜରେଟର, ୱାସିଂମେସିନ, ଗାଡ଼ି, ସୁନା ଓ ରୁପା ଆଦି ସାମଗ୍ରୀ କିଣିଥାନ୍ତି। ମଧ୍ୟମ ଏବଂ ଉଚ୍ଚ ମଧ୍ୟମ ଆୟବର୍ଗର ଲୋକମାନେ ଏହି ଦୌଡ଼ରେ ଅଧିକ ମାତ୍ରାରେ ସାମିଲ ହୋଇଥାନ୍ତି। ସର୍ଭେରୁ ଜଣାଯାଇଛି ଯେ, ୩ଟି ପରିବାର ମଧ୍ୟରୁ ଗୋଟିଏ ପରିବାର ବା ୩୩ ପ୍ରତିଶତ ପରିବାର ୧୦ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରିବେ। ୩ ପ୍ରତିଶତ ପରିବାର ୧ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ, ୯% ପରିବାର ୫୦ ହଜାରରୁ ୧ ଲକ୍ଷ ଟଙ୍କା, ୧୫ ପ୍ରତିଶତ ପରିବାର ୨୦ ହଜାରରୁ ୫୦ ହଜାର ଟଙ୍କା, ୬ ପ୍ରତିଶତ ପରିବାର ୧୦ ହଜାରରୁ ୨୦ ହଜାର ଟଙ୍କା, ୧୭ ପ୍ରତିଶତ ପରିବାର ୫ ହଜାରରୁ ୧୦ ହଜାର ଟଙ୍କା ଏବଂ ୯ ପ୍ରତିଶତ ପରିବାର ୨ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବେ ବୋଲି ସର୍ଭେରୁ ଜଣାଯାଇଛି। ତେଣୁ ଏମାନେ ହିଁ ଚଳିତବର୍ଷ ପାର୍ବଣରେ ଖର୍ଚ୍ଚର ମୁଖ୍ୟ ବାହକ ହେବେ ବୋଲି ଆଶା ରଖାଯାଇଛି। ୩୫ ପ୍ରତିଶତ ମତ ଦେଇଛନ୍ତି ଚଳିତ ପାର୍ବଣରେ ସେମାନଙ୍କର କିଛି କିଣାକିଣି ଯୋଜନା ନାହିଁ।

ସମ୍ବନ୍ଧିତ ଖବର