ଭାରତୀୟ ଏସ୍‌ୟୁଭି ଆଣିବ ଜର୍ମାନି ‘ସ୍କୋଡା’

ଓଡ଼ିଶାରେ ଖୋଲିଲା ପ୍ରଥମ ଡିଲର୍‌ସିପ୍‌

ଭୁବନେଶ୍ବର: ଫକ୍ସୱାଗନ୍‌ ଗ୍ରୁପ୍‌ର ସଂସ୍ଥା ସ୍କୋଡା ଅଟୋ ଇଣ୍ଡିଆ ଭାରତ ପାଇଁ ଏକ ସ୍ବତନ୍ତ୍ର ଏସ୍‌ୟୁଭି ବିକଶିତ କରୁଛି। ୨୦୨୦ ଶେଷ ସୁଦ୍ଧା ଏହା ବଜାରକୁ ଆସିବ ବୋଲି କଂପାନିର ନିର୍ଦେଶକ ଜ୍ୟାକ୍ ହୋଲିସ୍‌ କହିଛନ୍ତି। ଭାରତୀୟ ସଂସ୍ଥା ଯୋଗାଉଥିବା ଉପକରଣକୁ ସେଥିରେ ବ୍ୟବହାର କରାଯିବ ଓ ଏହାକୁ ପୁନେ କାରଖାନାରେ ନିର୍ମାଣ କରାଯିବ। ଏହି ଏସ୍‌ୟୁଭିରେ ଭାରତୀୟ ଛାପ ସ୍ପଷ୍ଟ ପ୍ରତିଫଳିତ ହେବ। କଟକ-ଭୁବନେଶ୍ବରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ପାର୍ଶ୍ବରେ କଂପାନିର ନୂଆ ଡିଲର୍‌ସିପ୍ ‘ଟ୍ରିନିଟି’ (ଦୁର୍ଗେଶ ମୋଟର୍ସ ପ୍ରାଇଭେଟ୍ ଲିମିଟେଡ୍‌)କୁ ଉଦ୍‌ଘାଟନ କରିବା ଅବସରରେ ସେ ଏହା କହିଛନ୍ତି। ଭାରତ ପାଇଁ ସ୍କୋଡ଼ାର ବହୁତ ବଡ଼ ଯୋଜନା ରହିଛି। ଆମେ ଭାରତ ପାଇଁ ଏକ ମଧ୍ୟମ ଧରଣର ଏସ୍‌ୟୁଭି ଆଣିବୁ। ତାହା ଆମ ବିକ୍ରି ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହା ବ୍ୟତୀତ ଆମେ ଆହୁରି ଅନେକ ନୂତନ ମଡେଲ୍‌ ମଧ୍ୟ ବଜାରକୁ ଆଣିବୁ। ପୁନେ ଠାରେ ଥିବା କାରଖାନାରେ ଆମେ ୨୦୨୩ ସୁଦ୍ଧା ୮ ହଜାର କୋଟି ଟଙ୍କା ନିବେଶ କରିବୁ। ଏହାର ଏକ ବଡ଼ ଭାଗ ନୂତନ ମଡେଲ୍‌ ବିକଶିତ କରିବା ଦିଗରେ ଖର୍ଚ କରାଯିବ। ବଳକା ଅର୍ଥ ଗବେଷଣା ଓ ବିକାଶ, ଡିଲର୍‌ସିପ୍ ସମ୍ପ୍ରସାରଣ ଓ ମାର୍କେଟିଂରେ ଖର୍ଚ କରାଯିବ। ବର୍ତମାନ ସାରା ଦେଶରେ ସ୍କୋଡ଼ାର ୬୬ଟି ଡିଲର୍‌ସିପ୍ ରହିଛି। ଆସନ୍ତା ୨-୩ ବର୍ଷ କଂପାନି ତାହାକୁ ଦ୍ବିଗୁଣିତ କରିବ। କଂପାନିର ମୋଟ ବିକ୍ରିରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଅବଦାନ ବୃଦ୍ଧି କରିବାକୁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି। ଇଲେକ୍ଟ୍ରିକ୍ ଯାନକୁ ନେଇ ମଧ୍ୟ ସ୍କୋଡ଼ାର ଯୋଜନା ରହିଛି। ଏହା ପାଖରେ ପ୍ରଯୁକ୍ତି ଅଛି। ଯେତେବେଳେ ବଜାରରେ ଚାହିଦା ଦେଖାଦେବ ସେହି ସମୟରେ କଂପାନି ଇଲେକ୍ଟ୍ରିକ୍ କାର୍‌ ବଜାରକୁ ଆଣିବ ବୋଲି ଶ୍ରୀ ହୋଲିସ୍‌ କହିଛନ୍ତି। କଂପାନି ପକ୍ଷରୁ ଆଜି ନୂଆ ମଡେଲ୍‌ ‘କୋଡିଆକ୍ ଲରିନ୍ ଓ କ୍ଲେମେଣ୍ଟ୍‌’କୁ ମଧ୍ୟ ଉନ୍ମୋଚନ କରାଯାଇଛି।
ଏବେ ଭାରତରେ ସ୍କୋଡା ଅଟୋ ପକ୍ଷରୁ କୋଡିଆକ୍, ରାପିଡ୍‌, ଅକ୍ଟାଭିଆ ଓ ସୁପର୍ବ ନାମକ ଚାରିଟି ମଡେଲ୍‌ ବିକ୍ରି କରାଯାଉଛି। ବିକ୍ରିରେ ସୁପର୍ବ ଓ ଅକ୍ଟାଭିଆର ଅବଦାନ ଅଧିକ ରହିଛି। ଏହି ଅବସରରେ ଡିଲର୍‌ ପ୍ରିନ୍‌ସିପାଲ୍‌ (ଦୁର୍ଗେଶ ମୋଟର୍ସ) ଦେବେଶ ନନ୍ଦ, ହକି ତାରକା ପଦ୍ମଶ୍ରୀ ଦିଲୀପ ତିର୍କି ଉପସ୍ଥିତ ଥିଲେ। ଆଜି ଖୋଲାଯାଇଥିବା ବିଶାଳ ଡିଲର୍‌ସିପ୍‌ରେ ଗ୍ରାହକମାନେ ବିକ୍ରି, ସର୍ଭିସ୍‌ ଓ ସ୍ପେୟାର୍‌ ଆଦି ସେବା ପାଇପାରିବେ।

ସମ୍ବନ୍ଧିତ ଖବର