ନୂଆଦିଲ୍ଲୀ/ଜୁରିକ୍: ସ୍ବିସ୍ ବ୍ୟାଙ୍କରେ ଭାରତୀୟଙ୍କ ନାମରେ ଥିବା ଡଜନେରୁ ଅଧିକ ଖାତାର କେହି ଦାବିଦାର ମିଳୁନାହାନ୍ତି। ଖାତାଗୁଡ଼ିକରେ ପଡ଼ିରହିଥିବା ପାଣ୍ଠିର ପ୍ରକୃତ ଦାବିବାର ଖୋଜିବା ଲାଗି ୨୦୧୫ରେ ସ୍ବିଜରଲ୍ୟାଣ୍ଡ୍ ସରକାର ଅଚଳ ଖାତାଗୁଡ଼ିକର ଏକ ତାଲିକା ଜାରି କରିଥିଲେ। ସେହି ତାଲିକାରେ ଅତିକମ୍ରେ ୧୦ରୁ ଅଧିକ ଖାତା ଭାରତୀୟଙ୍କ ନାମରେ ଥିଲା। କିଛି ଖାତା ଭାରତୀୟ ନାଗରିକଙ୍କ ନାମରେ ଥିବା ବେଳେ ଆଉ କେତେକ ଖାତା ରହିଛି ଯାହା ବ୍ରିଟିଶ ଅମଳର ଲୋକଙ୍କ ନାମରେ ରହିଛି। ଅଚଳ ଖାତାର ତାଲିକା ପ୍ରକାଶ ପାଇବାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ଭାରତୀୟ ଏପର୍ଯ୍ୟନ୍ତ ସେଥିରେ ଥିବା ପାଣ୍ଠି ପାଇବାକୁ ଦାବି କରୁନାହାନ୍ତି।
ଅଚଳ ଖାତାଗୁଡ଼ିକରେ ଥିବା ପାଣ୍ଠି ପାଇଁ ଦାବି କରିବା ଲାଗି ଯେଉଁ ସମୟ ଦିଆଯାଇଥିଲା ତାହା ଆସନ୍ତା ମାସରେ ଶେଷ ହେଉଛି। ଏହା ପରେ ଅଚଳ ଖାତାଗୁଡ଼ିକରେ ଥିବା ପାଣ୍ଠି ସ୍ବିଜରଲ୍ୟାଣ୍ଡ୍ ସରକାରଙ୍କ ଖାତାକୁ ଚାଲିଯିବ। ସ୍ବିସ୍ ବ୍ୟାଙ୍କ ଲୋକପାଳଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟଙ୍କ ନାମରେ ଥିବା ଅଚଳ ଖାତାଗୁଡ଼ିକ ମଧ୍ୟରୁ ଦୁଇ ଜଣ କଲିକତାର, ଜଣେ ଡେରାଡୁନ, ଜଣେ ବମ୍ବେର ବୋଲି ସେଥିରେ ଥିବା ଠିକଣାରୁ ଜଣାପଡ଼ିଛି। ଅନ୍ୟ ଭାରତୀୟ ଗ୍ରାହକମାନେ ଏବେ ଫ୍ରାନ୍ସ ଓ ବ୍ରିଟେନ୍ରେ ବସବାସ କରୁଥିବା ଜଣାପଡ଼ିଛି। ଲିଲା ତାଲୁକଦାର, ପ୍ରମଥା ତାଲୁକଦାର, ଚନ୍ଦ୍ରଲତା ପ୍ରାଣଲାଲ ପଟେଲ, ମୋହନ ଲାଲ, କିଶୋର ଲାଲ, ଚନ୍ଦ୍ର ବାହାଦୂର ସିଂହ, ଯୋଗେଶ ପ୍ରଭୁଦାସ ସୁଚାହ, ରୋଜମେରି ବର୍ନେଟ୍ ଓ ପିଏରି ଭାଚେକ୍ଙ୍କ ନାମରେ ଏହି ଅଚଳ ଖାତାଗୁଡ଼ିକ ରହିଛି।
୨୦୧୫ରେ ପ୍ରାୟ ୨୬୦୦ ଅଚଳ ଖାତାର ତାଲିକା ଜାରି କରାଯାଇଥିଲା, ଯେଉଁଥିରେ ୩୦୦ କୋଟିରୁ ଅଧିକ ଟଙ୍କା ଜମା ରହିଛି। ୧୯୯୫ ପର ଠାରୁ ଏହି ଖାତାଗୁଡ଼ିକରେ ଆଉ କାରବାର ହୋଇନାହିଁ। ୮୦ରୁ ଅଧିକ ‘ସେଫ୍ଟି ବକ୍ସ’ ମଧ୍ୟ ରହିଛି ଯାହାର କେହି ଦାବିଦାର ନାହାନ୍ତି। ପ୍ରତିବର୍ଷ ଏହି ତାଲିକାରେ ଅଚଳ ହେଉଥିବା ଅନେକ ଖାତା ଯୋଡ଼ିହେଉଛି। ବର୍ତ୍ତମାନ ସୁଦ୍ଧା ଅଚଳ ଖାତା ତାଲିକାରେ ୩୫୦୦ରୁ ଅଧିକ ଖାତା ଯୋଡ଼ିହୋଇସାରିଲାଣି। ସ୍ବିଜରଲ୍ୟାଣ୍ଡ୍ର ନିୟମ ଅନୁସାରେ ଯେଉଁ ଖାତାଗୁଡ଼ିକରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ କୌଣସି କାରବାର ହୋଇନଥିବ ସେଗୁଡ଼ିକୁ ଅଚଳ ଖାତା ଭାବେ ଘୋଷଣା କରାଯାଇପାରିବ। ସେହି ସବୁ ଖାତାରେ ଥିବା ପାଣ୍ଠିକୁ ଯୋଗ୍ୟ ଦାବିଦାରଙ୍କ ପାଖରେ ପହଞ୍ଚାଇବା ଲାଗି ଖାତାଧାରକଙ୍କ ନାମଙ୍କୁ ପ୍ରକାଶ କରାଯାଉଛି। ଖାତା ଖୋଲିଥିବା ଗ୍ରାହକ ନିଜେ କିମ୍ବା ତାଙ୍କ ଉତ୍ତରାଧିକାରୀ ସେଥିରେ ଥିବା ପାଣ୍ଠି ପାଇବାକୁ ଆବେଦନ କରିପାରିବେ। କିଛି ବର୍ଷ ତଳେ ସ୍ବିସ୍ ବ୍ୟାଙ୍କରେ ଜମା ଭାରତରେ ଏକ ବଡ଼ ରାଜନୈତିକ ପ୍ରସଙ୍ଗ ଥିଲା। ଲୋକମାନେ ନିଜ କଳାଟଙ୍କା ମହଜୁଦ ରଖିବା ଲାଗି ସ୍ବିସ୍ ବ୍ୟାଙ୍କକୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ଦୀର୍ଘବର୍ଷ ଧରି ସ୍ବିସ୍ ବ୍ୟାଙ୍କ ତଥ୍ୟ ଅନ୍ୟ କୌଣସି ଦେଶକୁ ମିଳୁ ନଥିଲା। କିନ୍ତୁ ବିଭିନ୍ନ ଦେଶର ପ୍ରୟାସ ପରେ ଏହି ତଥ୍ୟ ଏବେ ମିଳିବା ଆରମ୍ଭ ହେଲାଣି। ଭାରତ ମଧ୍ୟ ଏହି କ୍ରମରେ ସ୍ବିସ୍ ବ୍ୟାଙ୍କରେ ବେଆଇନ ଟଙ୍କା ଜମା ରଖିଥିବା ଭାରତୀୟଙ୍କ ତଥ୍ୟ ପାଇପାରୁଛି।