ନୂଆଦିଲ୍ଲୀ: ଭାରତରେ ପେଟ୍ରୋରସାୟନ ସାମଗ୍ରୀର ମୁଣ୍ଡପିଛା ବ୍ୟବହାର କମ୍ ରହିଛି। ଏଥିପାଇଁ ଆଗାମୀ ଦିନରେ ଭାରତରେ ଏହାର ବ୍ୟବହାର ବଢ଼ିବ। ବିଶ୍ବରେ ବର୍ଦ୍ଧିତ ଚାହିଦାରେ ଭାରତର ଯୋଗଦାନ ୧୦ ପ୍ରତିଶତ ରହିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି।
ପେଟ୍ରୋରସାୟନରୁ ଆମେ ପ୍ରତିଦିନ ବ୍ୟବହାର କରୁଥିବା ସାମଗ୍ରୀ ଯଥା ପ୍ଲାଷ୍ଟିକ, ସାର, ପୋଷାକ, ଡିଜିଟାଲ ଡିଭାଇସ, ଡିଟରଜେଣ୍ଟଏବଂ ଟାୟାର ଆଦି ପ୍ରସ୍ତୁତ ହୋଇଥାଏ। ବିଶ୍ବରେ ବଢ଼ୁଥିବା ତୈଳ ବ୍ୟବହାରରେ ଏସବୁ ସାମଗ୍ରୀ ପ୍ରମୂଖ ଭୂମିକା ଗ୍ରହଣ କରିଛନ୍ତି। ୨୦୩୦ ମସିହା ସୁଦ୍ଧା ବିଶ୍ବରେ ତେଲ ଚାହିଦାରେ ଯେଉଁ ବୃଦ୍ଧି ଦେଖାଦେବ ସେଥିରେ ଏସବୁ ସାମଗ୍ରୀର ଯୋଗଦାନ ଏକ ତୃତୀୟାଂଶରୁ ଅଧିକ ରହିବ। ସେହିଭଳି ୨୦୫୦ ମସିହା ସୁଦ୍ଧା ଅଧାରୁ ଅଧିକ ଯୋଗଦାନ ରହିବ ବୋଲି ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି ପକ୍ଷରୁ ଆକଳନ କରାଯାଇଛି।
ଭାରତରେ ପେଟ୍ରୋରସାୟନ ସାମଗ୍ରୀର ବଜାର ଆକାର ୧୯୦୦୦ କୋଟି ଡଲାର ରହିଛି। କିନ୍ତୁ ମୁଣ୍ଡପିଛା ବ୍ୟବହାର କ୍ଷେତ୍ରରେ ବିକଶିତ ଦେଶଗୁଡ଼ିକ ତୁଳନାରେ ଭାରତ ବହୁ ତଳେ ରହିଛି। ଫଳରେ ଏ କ୍ଷେତ୍ରରେ ପର୍ଯ୍ୟାପ୍ତ ନିବେଶ ସୁଯୋଗ ମଧ୍ୟ ରହିଛି। ସପ୍ତମ ପେଟ୍ରୋକେମିକାଲ କନକ୍ଲେଭର ପ୍ଲେନାରି ସେସନରେ ଯୋଗଦେଇ ମନ୍ତ୍ରୀ ଏହା କହିଛନ୍ତି। ଭାରତ ବିଶ୍ବର ତୃତୀୟ ଶକ୍ତି ବ୍ୟବହାରକାରୀ ଦେଶ ହୋଇଥିବାବେଳେ ବିଶ୍ବର ଏକ ପ୍ରମୁଖ ପେଟ୍ରୋରସାୟନ ସାମଗ୍ରୀ ଉତ୍ପାଦନ କେନ୍ଦ୍ରରେ ପରିଣତ ହେବା ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି। ପେଟ୍ରୋରସାୟନ କ୍ଷେତ୍ରରେ ନିବେଶ ବୃଦ୍ଧି ପାଇଁ ଭାରତ ଅନେକ ପଦକ୍ଷେପ ନେଉଛି। ୧୦୦ ପ୍ରତିଶତ ବିଦେଶୀ ନିବେଶ ଭାରତରେ ଅଟୋମେଟିକ ରୁଟ୍ ଜରିଆରେ ନିବେଶ ହୋଇପାରୁଛି।