ମୁମ୍ବାଇରେ ବିକ୍ରି ହେଲା ଭାରତର ସବୁଠାରୁ ଦାମୀ ଫ୍ଲାଟ୍ ! ଦାମ କେତେ ଜାଣନ୍ତି ?

ମୁମ୍ବାଇ : ମୁମ୍ବାଇରେ ଏକ ପେଣ୍ଟହାଉସ୍ ( ଗୋଟିଏ ଆପାର୍ଟମେଣ୍ଟର ସବୁଠାରୁ ଉପର ମହଲାରେ ଥିବା ଲକଜୁରୀ ଫ୍ଲାଟ୍ ) ପ୍ରାୟ ୨୪୦ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହାକୁ ଭାରତର ସବୁଠାରୁ ଦାମୀ ଫ୍ଲାଟ୍ ବୋଲି କୁହାଯାଉଛି । ଏହାକୁ ଜଣେ ଶିଳ୍ପପତି କିଣିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ମୁମ୍ବାଇର ଓ୍ବର୍ଲି ସ୍ଥିତ ଆନି ବେସାନ୍ତ ରୋଡରେ ଥିବା ଲକଜୁରୀ ଆପାର୍ଟମେଣ୍ଟ ‘ଥ୍ରୀ ସିକ୍ସଟି ଓ୍ବେଷ୍ଟ’ ର ୬୩, ୬୪ ଓ ୬୫ ତମ ମହଲାରେ ଏହି ପେଣ୍ଟହାଉସ୍ ଅବସ୍ଥିତ । ଏହା ପ୍ରାୟ ୩୦ ହଜାର ବର୍ଗଫୁଟ୍ ପରିମିତ ଅଂଚଳରେ ଅବସ୍ଥିତ । ଏହାକୁ ଓ୍ବେଲସ୍ପୁନ ଗ୍ରୁପର ଅଧ୍ୟକ୍ଷ ବି.କେ.ଗୋଏଙ୍କା ୨୪୦ କୋଟି ଟଙ୍କାରେ ଖରିଦ କରିଛନ୍ତି ।

ଏହି ଆପାର୍ଟମେଣ୍ଟରେ ମୋଟ ୨ଟି ଟାଓ୍ବାର ଥିବାବେଳେ ଟାଓ୍ବାର-ବି ରେ ଏହି ଦାମୀ ପେଣ୍ଟହାଉସଟି ରହିଛି । ଗୋଏଙ୍କା ଗତ ବୁଧବାରଦିନ ଏହି ପେଣ୍ଟହାଉସକୁ କିଣିଛନ୍ତି ଓ ସେ ନିଜେ ସେଠାରେ ରହିବେ ।

ଏହି ପେଣ୍ଟହାଉସଟି କେତେ ବଡ଼ ତାହା ଆପଣ ଏକ ତୁଳନାତ୍ମକ ଚିତ୍ରରୁ ଜାଣିପାରିବେ । ସରକାରଙ୍କ ପକ୍ଷରୁ ମୁମ୍ବାଇରେ ବସ୍ତିବାସିନ୍ଦାଙ୍କୁ ଦିଆଯାଉଥିବା ୩୦୦ ବର୍ଗଫୁଟ୍ ଫ୍ଲାଟର ଏହା ପ୍ରାୟ ୧୦୦ ଗୁଣ ।

ଗତ ୨୦୧୫ ମସିହାରେ ମୁମ୍ବାଇର ଲୋଧା ଆପାର୍ଟମେଣ୍ଟରେ ଥିବା ଏକ ପେଣ୍ଟହାଉସକୁ ଜିନ୍ଦଲ ପରିବାର ୧୬୦ କୋଟି ଟଙ୍କାରେ କିଣିଥିଲେ । ୨୦୨୨ରେ ମୁମ୍ବାଇର ବାନ୍ଦ୍ରାଠାରେ ଥିବା ସାଗରସଂଗମ ବିଲଡିଂରେ ଅଭିନେତା ରଣବୀର ସିଂ ୧୧୬ କୋଟି ଟଙ୍କା ଦେଇ ଏକ ଫ୍ଲାଟ କିଣିଥିଲେ ।

 

ସମ୍ବନ୍ଧିତ ଖବର