ନୂଆଦିଲ୍ଲୀ: ଏକ ପ୍ରମୁଖ ରପ୍ତାନିକାରୀ ଦେଶ ଭାବେ ଭାରତର ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ଦେଶ ଭିତରେ ବିଭିନ୍ନ ଜିନିଷ ଉତ୍ପାଦନ କରି ବିଭିନ୍ନ ରାଷ୍ଟ୍ରକୁ ପଠାଇବା ଏବଂ ଏକ ମାନୁଫାକ୍ଚରିଂ ହବ୍ରେ ପରିଣତ ହେବା ଲାଗି ରହିଥିବା ସ୍ବପ୍ନ ପ୍ରତି ଝଟ୍କା ଲାଗିଛି। ବିଶ୍ବର ଅନେକ ଦେଶକୁ ଭାରତର ରପ୍ତାନି ହ୍ରାସ ପାଇଛି। ଚୀନ୍, ବ୍ରିଟେନ୍, ଜର୍ମାନୀ, ଦକ୍ଷିଣ ଆଫ୍ରିକା, ମାଲେସିଆ, ଫ୍ରାନ୍ସ, ଇଟାଲି, ଅଷ୍ଟ୍ରେଲିଆ, ନେପାଳ, ବ୍ରାଜିଲ୍, ବେଲଜିୟମ୍, ତୁର୍କୀ ଓ ଇଣ୍ଡୋନେସିଆକୁ ଭାରତର ରପ୍ତାନି ହ୍ରାସ ପାଇଛି।
ଚୀନ୍ ଉପରେ ନିର୍ଭରଶୀଳତା କମ୍ କରିବା ଲାଗି ଯେତେ ଉଦ୍ୟମ କରାଯାଉଥିଲେ ମଧ୍ୟ ତାହା ବିଶେଷ ସଫଳ ହେଉନାହିଁ। ସଦ୍ୟତମ ବ୍ୟବସାୟ ତଥ୍ୟରୁ ଜଣାପଡ଼ିଛି ଯେ ଜୁଲାଇରେ ଚୀନ୍ରୁ ଭାରତର ଆମଦାନି ୧୩ ପ୍ରତିଶତ ବଢ଼ିଥିବା ବେଳେ ରପ୍ତାନି ୯.୪୪ ପ୍ରତିଶତ ହ୍ରାସ ପାଇଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଚଳିତ ବର୍ଷ ଏପ୍ରିଲ୍-ଜୁଲାଇ ମଧ୍ୟରେ ଚୀନ୍କୁ ରପ୍ତାନି ୪.୫୪ ପ୍ରତିଶତ ହ୍ରାସ ପାଇ ୪୮୦ କୋଟି ଡଲାର ହୋଇଛି।
ସେହି ସମୟରେ ଆମଦାନି ୯.୬୬ ପ୍ରତିଶତ ବୃଦ୍ଧି ପାଇ ୩୫୮୫ ଡଲାରରେ ପହଞ୍ଚିଛି। ଫଳରେ ଉଭୟ ଦେଶ ମଧ୍ୟରେ ୩୧୩୧ କୋଟି ଡଲାରର ବାଣିଜ୍ୟ ନିଅଣ୍ଟ ସୃଷ୍ଟି ହୋଇଛି। ତେବେ ଆଶ୍ବସ୍ତିର ବିଷୟ ହେଉଛି ଆମେରିକା, ୟୁଏଇ, ନେଦରଲ୍ୟାଣ୍ଡ୍ସ, ସିଙ୍ଗାପୁର, ସାଉଦି ଆରବ, ବାଲାଂଦେଶ ଓ ମେକ୍ସିକୋକୁ ରପ୍ତାନି ବୃଦ୍ଧି ପାଇଛି। ଆମେରିକାକୁ ରପ୍ତାନି ୩.୧୫ ପ୍ରତିଶତ ବୃଦ୍ଧି ପାଇ ୬୫୫ କୋଟି ଡଲାର ହୋଇଥିବା ବେଳେ ସେଠାରୁ ଆମଦାନି ୧.୪୩ ପ୍ରତିଶତ ବୃଦ୍ଧି ପାଇ ୩୭୧ କୋଟି ଡଲାର ହୋଇଛି। ରୁଷ୍ରୁ ଆମଦାନି ୨୨.୫୬ ପ୍ରତିଶତ ବୃଦ୍ଧି ପାଇ ୫୪୧ କୋଟି ଡଲାର ହୋଇଛି। ରୁଷ୍-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତ ବିପୁଳ ପରିମାଣର ଅଶୋଧିତ ତେଲ ରୁଷ୍ରୁ ମଗାଉଛି।
ବାଣିଜ୍ୟ ସଚିବ ସୁନିଲ ବର୍ଥୱାଲ୍ କହିଛନ୍ତି ଯେ ଚୀନ୍କୁ ରପ୍ତାନିରେ କୌଣସି ଦେଶ ଅତିକ୍ରମ କରିପାରିନାହାନ୍ତି। ଏଭଳିକି ଆମେରିକା ଓ ୟୁରୋପୀୟ ସଂଘ ମଧ୍ୟ ପଛରେ ରହିଛନ୍ତି। ତେବେ ଭାରତ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇରହିଛି ଏବଂ ଏଠାରେ ଉପଯୋଗିତା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସେ କହିଛନ୍ତି। ଦେଶରେ ଲୋକମାନେ ଅଧିକ ଜିନିଷ ବ୍ୟବହାର କରୁଥିବାରୁ ଆମଦାନି ବଢ଼ୁଛି। ଏହା ବିଶେଷ ଚିନ୍ତାର ବିଷୟ ନୁହେଁ ବୋଲି ସେ କହିଛନ୍ତି। ସଦ୍ୟତମ ତଥ୍ୟ ଅନୁସାରେ ଚୀନ୍ ହେଉଛି ଭାରତର ସବୁଠୁ ବଡ଼ ବାଣିଜ୍ୟ ସହଯୋଗୀ। ଚୀନ୍ ସହ ଦ୍ବିପାକ୍ଷିକ କାରବାର ୧୧୮୪ କୋଟି ଡଲାର ରହିଛି। ଏହି ତାଲିକାରେ ଆମେରିକା ଦ୍ବିତୀୟ ସ୍ଥାନକୁ ଖସିଯାଇଛି। ୨୦୧୩-୧୪ରୁ ୨୦୧୭-୧୮ ପର୍ଯ୍ୟନ୍ତ ଏବଂ ୨୦୨୦-୨୧ରେ ଚୀନ୍ ଭାରତର ସବୁଠୁ ବଡ଼ ବାଣିଜ୍ୟ ସହଯୋଗୀ ଥିଲା। ଚୀନ୍ ପୂର୍ବରୁ ୟୁଏଇ ଶୀର୍ଷ ସ୍ଥାନରେ ଥିଲା। ୨୦୨୧-୨୨ ଓ ୨୦୨୨-୨୩ରେ ଆମେରିକା ଭାରତର ସବୁଠୁ ବଡ଼ ବାଣିଜ୍ୟ ସହଯୋଗୀ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/sfhfshhsfsfh.jpg)