ଭାରତର ପ୍ରଥମ ମହିଳା ବିଜନେସ୍ ମେଳା ୪ରୁ: ୧୨୬ଟି ଷ୍ଟଲ୍‌ ରହିବ, ବଲିଉଡ୍ କଳାକାର ଯୋଗଦେବେ

ଭୁବନେଶ୍ବର: ଇଣ୍ଡିଆନ୍ ଚାମ୍ବର ଅଫ୍‌ କମର୍ସର ମହିଳା ଉଦ୍ୟୋଗୀ ପରିଷଦ (ଆଇଡବ୍ଲୁଇସି) ଓଡ଼ିଶା ପକ୍ଷରୁ ଜନତା ମଇଦାନରେ ଭାରତର ପ୍ରଥମ ମହିଳା ବିଜନେସ୍ ମେଳା ଆୟୋଜନ କରାଯିବ। ଏହି ପାଞ୍ଚ ଦିନିଆ ମେଳା ମେ’ ୪ରୁ ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସମ୍ପୂର୍ଣ୍ଣ ରୂପେ ମହିଳା ଉଦ୍ୟୋଗୀମାନଙ୍କ ଦ୍ବାରା ପରିକଳ୍ପନା କରାଯାଇଥିବା ଏହି ମେଳାରେ ୧୨୬ଟି ଷ୍ଟଲ୍‌ ସ୍ଥାପନ କରାଯିବ। ଏସ୍ଏଚ୍‌ଜି ଓ ଆଦିବାସୀ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ୩୦ରୁ ଅଧିକ ଉତ୍ସର୍ଗୀକୃତ ଷ୍ଟଲ୍‌ ରହିବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଉଦ୍‌ଯାପନୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହି ମେଳା ପରିଦର୍ଶନ କରିବାକୁ ଆଇସିସି ଓଡ଼ିଶାର ଅଧ୍ୟକ୍ଷ ଜେ ବି ପାଣି, ଅଧ୍ୟକ୍ଷ ଏମ୍ କେ ଗୁପ୍ତା ଓ ଜେ ପି ପାଲ୍ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ମେଳା ସମ୍ପର୍କରେ ଆଇଡବ୍ଲୁଇସିର ସହ-ଅଧ୍ୟକ୍ଷା ଓ ସଂଯୋଜିକା ସୁକୀର୍ତି ପଟ୍ଟନାୟକ କହିଛନ୍ତି ଯେ ଏହି ମେଳା ଆୟୋଜନ କରିବାର ଉଦ୍ଦେଶ୍ୟ ହେଉଛି ମହିଳା ଉଦ୍ୟୋଗୀମାନଙ୍କୁ ଏକତ୍ରୀତ କରି ସେମାନଙ୍କ ଦକ୍ଷତାକୁ ପ୍ରଦର୍ଶନ କରିବା ଏବଂ ସେମାନଙ୍କ ସଫଳତାକୁ ମିଳିତ ଭାବେ ପାଳନ କରିବା। ଓଡ଼ିଶାରେ ବ୍ୟବସାୟ କରିବା ବହୁତ ସହଜ। ଏଠାକାର ସୁରକ୍ଷିତ ପରିବେଶ ଓ ସ୍ଥିର ସରକାର ବ୍ୟବସାୟ କରିବାରେ ବିଶେଷ ସହାୟକ ହେଉଥିବା ସେ କହିଛନ୍ତି। ମହିଳା ବିଜନେସ୍ ମେଳାରେ ଉଦ୍ୟୋଗୀମାନେ ନିଜର ବ୍ୟବସାୟ ପରିକଳ୍ପନାକୁ ନିବେଶକମାନଙ୍କ ସାମ୍ନାରେ ଉପସ୍ଥାପନ କରିବା ଓ ଏମ୍ଏସ୍‌ଏମ୍‌ଇଗୁଡ଼ିକ ପାଇଁ ରହିଥିବା ସ୍କିମ୍ ବିଷୟରେ ଜାଣିବାର ସୁଯୋଗ ପାଇବେ ଏବଂନିଜକୁ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକ ସହ ଯୋଡ଼ିପାରିବେ। ଆର୍ଥିକ ସାକ୍ଷରତା ବଢ଼ାଇବା, ପୁରସ୍କାର ଏବଂ ନେଟ୍‌ୱର୍କିଂ ଉପରେ ମଧ୍ୟ ଏଥିରେ ଗୁରୁତ୍ବାରୋପ କରାଯିବ ବୋଲି ସେ କହିଛନ୍ତି।

ମେଳା ବିଷୟରେ ଆଇଡବ୍ଲୁଇସି ଓଡ଼ିଶାର ସହ-ସଂଯୋଜିକା ‌ତନୟା ପଟ୍ଟନାୟକ କହିଛନ୍ତି ଯେ ଏହି ପାଞ୍ଚ ଦିନିଆ ମେଳାରେ ସମ୍ମିଳନୀ, କର୍ମଶାଳା, ସେମିନାର, ଟକ୍ ସୋ’, ଫେସନ୍ ସୋ’, ଓଲିଉଡ୍‌ ନାଇଟ୍‌ ଆଦି ବହୁ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହା ବ୍ୟତୀତ ଏଥିରେ ଫୁଡ୍ ଫେ‌ଷ୍ଟିଭାଲ୍, ଶିଶୁଙ୍କ ପାଇଁ ଖେଳିବା ସ୍ଥାନ ଓ ସେଲ୍‌ଫି ଜୋନ୍‌ ଆଦି ରହିବ। ଏହି ମେଳାରେ ଓଡ଼ିଶା ଦକ୍ଷତା ବିକା‌ଶ ଏଜେନ୍ସିରର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ବଲିଉଡ୍‌ ଅଭିନେତ୍ରୀ ଲାରା ଦତ୍ତା, ଅଭିନେତା ଅର୍ଜୁନ ରାମପାଲ, ନିର୍ଦେଶକ ଇମ୍‌ତିଆଜ୍ ଅଲ୍ଲୀ, ପ୍ରେରଣାଦାୟୀ ବକ୍ତା ଗୌରାଙ୍ଗ ଦାସ ପ୍ରଭୁ, ଲାଇଫ୍ ଷ୍ଟାଇଲ୍‌ କୋଚ୍ ଲ୍ୟୁକ୍ କୋଟିନୋ ଓ ସମିର ‌ପୁରୋହିତ ଓ ସେଲିବ୍ରିଟି ଫଟୋଗ୍ରାଫର ବିକ୍ରମ ବାୱା ଭଳି ବିଶି‌‌ଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆଇଡବ୍ଲୁଇସିର ସଦସ୍ୟା, ଆୟୋଜନ କମିଟିର ପ୍ରମୁଖ ସଦସ୍ୟା ଓ ମେଳାର ପ୍ରାୟୋଜକମାନେ ଉପସ୍ଥିତ ରହି ମହିଳା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର