ନୂଆଦିଲ୍ଲୀ : କରୋନା ମହାମାରୀ ସତ୍ତ୍ବେ ବିଗତ ୨ ବର୍ଷ ହେଲା ଦେଶକୁ ବିଦେଶୀ ମୁଦ୍ରା ଆଗମନ ଉଲ୍ଲେଖନୀୟ ରହିଛି । ଏହା ଫଳରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୩୧ ଡିସେମ୍ବର ୨୦୨୧ ସୁଦ୍ଧା ୬୩୪ ବିଲିୟନ ଡଲାରରେ ପହଞ୍ଚିଛି, ଯାହାକି ଦେଶର ବିଦେଶୀ ଋଣ ଠାରୁ ଅଧିକ । ଏହି ପରିମାଣର ବିଦେଶୀ ମୁଦ୍ରା ଭଣ୍ଡାର ୧୩ ମାସ ପାଇଁ ଦେଶର ଆମଦାନୀ ବିଲ୍ ସହ ସମାନ ବୋଲି ସର୍ଭେରେ କୁହାଯାଇଛି ।
ରେକର୍ଡ ବିଦେଶୀ ମୁଦ୍ରା ଭଣ୍ଡାର, ନିୟମିତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫଡିଆଇ) ଓ ରପ୍ତାନି ବୃଦ୍ଧି ଯୋଗୁଁ ଦେଶର ଅର୍ଥନୀତି ଏକ ସୁବିଧାଜନକ ସ୍ଥିତିରେ ରହିଛି । ଏହା ୨୦୨୨-୨୩ରେ ଆନ୍ତର୍ଜାତିକ ଅର୍ଥନୀତିରେ ହେଉଥିବା ଯେକୌଣସି ଅସ୍ଥିରତା ଓ ସଂକଟର ସମ୍ମୁଖୀନ ହେବାକୁ ସମକ୍ଷ ବୋଲି ଅର୍ଥନୈତିକ ସର୍ଭେରେ କୁହାଯାଇଛି ।
ସର୍ଭେ ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ମହାମାରୀର ପ୍ରଥମ ଲହର ତୁଳନାରେ ୨ୟ ଲହର ଜିଏସଟି ରାଜସ୍ବ ଆଦାୟକୁ କମ ପ୍ରଭାବିତ କରିଛି । ଏପ୍ରିଲରୁ ଜୁନ ୨୦୨୧ ପର୍ଯ୍ୟନ୍ତ ମାସିକ ୧ ଲକ୍ଷ କୋଟିରୁ କମିବା ପରେ ଜୁଲାଇ ୨୦୨୧ ପରଠାରୁ ଜିଏସଟି ରାଜସ୍ବ ଆଦାୟ ନିୟମିତ ଭାବେ ୧ ଲକ୍ଷ କୋଟି ଉପରେ ରହୁଛି । ଏହା ଅର୍ଥନୀତିରେ ଦ୍ରୁତ ସୁଧାରର ଲକ୍ଷଣ । ଅର୍ଥନୀତି ଏବେ ମହାମାରୀ ପୂର୍ବସ୍ଥିତିକୁ ଫେରିଯାଇଛି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ।