ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୫୦୦ ବିଲିୟନ ଡଲାର ଟପିଲା

ଭୁବନେଶ୍ୱର : ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରଥମ ଥର ପାଇଁ ୫୦୦ ବିଲିୟନ ଡଲାର ବା ଅଧ-ଟ୍ରିଲିୟନ ଡଲାର ମାଇଲଖୁଣ୍ଟ ଅତିକ୍ରମ କରିଛି । ଜୁନ ୫ରେ ସମାପ୍ତ ସପ୍ତାହରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ୮.୨୨ ବିଲିୟନ ବୃଦ୍ଧି ସହ ମୋଟ ପରିମାଣ ଏହି ସ୍ତରରେ ପହଞ୍ଚିଛି ।
ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ତଥ୍ୟରେ କୁହାଯାଇଛି ଯେ ଜୁନ ୫ରେ ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୮.୨୨ ବିଲିୟନ ଡଲାର ବୃଦ୍ଧି ପାଇ ୫୦୧.୭୦ ବିଲିୟନ ଡଲାରରେ ପହଞ୍ଚିଛି । ଏହାର ପୂର୍ବ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ୩.୪୪ ବିଲିୟନ ଡଲାର ଯୋଗ ହୋଇ ୪୯୩.୪୮ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା ।
ଆଲୋଚ୍ୟ ସପ୍ତାହରେ ଦେଶର ମୋଟ ୫୦୧.୭୦ ବିଲିୟନ ଡଲାର ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟରୁ ଫରେନ କରେନ୍ସି ଆସେଟ (ଏଫସିଏ) ପରିମାଣ ପ୍ରାୟ ୪୬୩ ବିଲିୟନ ଡଲାର ରହିଛି । ଏଗି ସପ୍ତାହରେ ଦେଶର ସ୍ୱର୍ଣ୍ଣ ଭଣ୍ଡାର (ଗୋଲ୍ଡ ରିଜର୍ଭ)ର ମୂଲ୍ୟ ପରିମାଣ ୩୨୯ ନିୟୁତ ଡଲାର ହ୍ରାସ ପାଇ ୩୨.୩୫୨ ବିଲିୟନ ଡଲାରରେ ପହଞ୍ଚିଛି । ସେହିପରି ଆଇଏମଏଫରେ ଭାରତର ସ୍ୱତନ୍ତ୍ର ଉଠାଣ ଅଧିକାର ବା ଏସଡିଆର ମୂଲ୍ୟ ୧.୪୪ ବିଲିୟନ ଡଲାର ଥିଲା । ବୈଦେଶିକ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଗୋଟିଏ ଦେଶର ଆର୍ଥିକ ନିରାପତ୍ତା ଓ ସ୍ଥିରତାକୁ ବୁଝାଏ ।

ସମ୍ବନ୍ଧିତ ଖବର